ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ଏବଂ ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟରେ ଚାଲିଥିବା ମତଭେଦ କାରଣରୁ କୁସ୍ତିଯୋଦ୍ଧାମାନେ ଏହାର କୁପରିଣତି ଭୋଗୁଛନ୍ତି। ୨୦୨୩ ଡିସେମ୍ବରଠାରୁ ଡବ୍‌ଲ୍ୟୁଏଫ୍‌ଆଇକୁ କ୍ରୀଡ଼ା ମନ୍ତ୍ରଣାଳୟ ବାସନ୍ଦ କରିଛି। ସମୟକ୍ରମେ ଆବଶ୍ୟକୀୟ ଦସ୍ତାବିଜ୍ ହସ୍ତାନ୍ତର କରିବାରେ ମହାସଂଘ ବିଫଳ ହେଉଥିବାରୁ ଡବ୍‌ଲ୍ୟୁଏଫ୍‌ଆଇକୁ ବାସନ୍ଦ କରିଛି ମନ୍ତ୍ରଣାଳୟ। କିନ୍ତୁ ଖେଳାଳିମାନେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାରୁ ବଞ୍ଚିତ ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ଶନିବାର ପ୍ରାୟ ୩୦ ଜଣ ଖେଳାଳି ନିଜ ଦାବି ଉପସ୍ଥାପନ କରିବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ବାସଭବନ ସମ୍ମୁଖରେ ଏକାଠି ହୋଇଥିଲେ। 

Advertisment

ମନ୍ତ୍ରୀ କିନ୍ତୁ ଗସ୍ତରେ ଥିବାରୁ ଏମାନେ ନିରାଶ ହୋଇ ଫେରିଛନ୍ତି। ୨୩ ବର୍ଷରୁ କମ୍ ଏସୀୟ ବିଜେତା ସୁନିଲ କୁମାର ଏବଂ ଅନ୍ୟ ବହୁ କୁସ୍ତିଯୋଦ୍ଧା ଏକାଠି ହୋଇଥିଲେ ମଧ୍ୟ ମନ୍ତ୍ରୀଙ୍କୁ ଭେଟିବା ସୁଯୋଗ ପାଇନାହାନ୍ତି। ‘‘ଆଲବାନିଆ ପ୍ରତିଯୋଗିତାରେ ଖେଳି ଆମେ ମାର୍ଚ୍ଚରେ ଖେଳାଯିବାକୁ ଥିବା ଏସୀୟ ପ୍ରତିଯୋଗିତା ଲାଗି ପଏଣ୍ଟ୍ ଅର୍ଜନ କରିବା ଲକ୍ଷ୍ୟରେ ରହିଛୁ। ପୂର୍ବରୁ ଆମକୁ କ୍ରୋଏସିଆରେ ଅନୁଷ୍ଠିତ ବିଶ୍ବ ରୢାଙ୍କିଙ୍ଗ୍‌ ପ୍ରତିଯୋଗିତାରେ ବି ଅଂଶଗ୍ରହଣ ସୁଯୋଗ ମିଳି ନଥିଲା’’ ବୋଲି ସୁନିଲ ପ୍ରକାଶ କରିଛନ୍ତି।

ଗତ ଜାନୁଆରି ୩୦ ତାରିଖରେ ଡବଲ୍ୟୁଏଫଆଇ ଏ ସମ୍ପର୍କିତ ପ୍ରସ୍ତାବକୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ପ୍ରଦାନ କରିଛି। କିନ୍ତୁ ନିଲମ୍ବିତ ଡବଲ୍ୟୁଏଫ୍‌ଆଇ ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟରେ ମତଭେଦ ଲାଗି ରହିଥିବାରୁ‌ କୌଣସି ସୁଫଳ ବାହାରିପାରିନାହିଁ। କିନ୍ତୁ ଭାରତୀୟ କୁସ୍ତି ସଂଘ (ଡବ୍‌ଲ୍ୟୁଏଫ୍‌ଆଇ)କୁ କୁସ୍ତିର ଅନ୍ତର୍ଜାତୀୟ ମହାସଂଘ ୟୁଡବ୍‌ଲ୍ୟୁଡବ୍‌ଲ୍ୟୁ ସ୍ବୀକୃତି ପ୍ରଦାନ ଜାରି ରଖିଛି। ଆଗକୁ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଥିବାରୁ ସରକାରଙ୍କ ସକ୍ରିୟ ହସ୍ତକ୍ଷେପ ଆଶା କରିଛନ୍ତି ଖେଳାଳିମାନେ। ସୂଚନାଯୋଗ୍ୟ, ଗତବର୍ଷ ୧୨ ଜଣ ମନୋନୀତ ଖେଳାଳି କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିବା ପରେ ସେମାନଙ୍କୁ ବିଶ୍ବ ପ୍ରତ‌ିଯୋଗିତା ଲାଗି ସରକାର ଅନୁମ‌ତି ପ୍ରଦାନ କରିଥିଲେ।