ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବଲ୍ୟୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଚଳାଇଥିବା ଆନ୍ଦୋଳନ ୨୨ତମ ଦିବସରେ ପହଞ୍ଚିଛି। ବିଜେପି ଷ୍ଟ୍ରଙ୍ଗମ୍ୟାନ୍ ତଥା ୬ ଥର ସାଂସଦ ବ୍ରିଜଭୂଷଣଙ୍କ ନାମରେ ଜଣେ ନାବାଳିକାଙ୍କ ସହ ୭ ଜଣ କୁସ୍ତିଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ ଆଣି ଯନ୍ତର ମନ୍ତରରେ ଏହି ଆନ୍ଦୋଳନ ଚଳାଇଛନ୍ତି। ଏହି ଆନ୍ଦୋଳନର ନେତୃତ୍ବ ନେଇଥିବା ଅଲିମ୍ପିଆନ୍ ଭିନେଶ ଫୋଗଟ ଓ ସାକ୍ଷୀ ମଲ୍ଲିକ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ମଧ୍ୟ ଏହି ଅବସରରେ ବ୍ରିଜଭୂଷଣଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀ ଅବସରରେ କୁସ୍ତିଯୋଦ୍ଧାମାନେ କହିଛନ୍ତି, ‘ସରକାର ବେଟି ପଢ଼ାଓ ବେଟି ବଚାଓ’ ସ୍ଲୋଗାନ୍ ଦେଉଛନ୍ତି, କିନ୍ତୁ ଆମେ ଦେଶର ଝିଅମାନେ ଦୀର୍ଘ ୩ ସପ୍ତାହ ହେଲାଣି ଆନ୍ଦୋଳନ ଚଳାଇଥିବା ବେଳେ ଶାସକ ଦଳର ଜଣେ ହେଲେ ମହିଳା ସାଂସଦ ଘଟଣାସ୍ଥଳକୁ ଆସିନାହାନ୍ତି କି ସମର୍ଥନ ଦେଇନାହାନ୍ତି।
ସେମାନଙ୍କୁ ଆମେ ଅନୁରୋଧ କରି ଚିଠି ଲେଖିଛୁ, ଏହା ମେଲ୍ ଯୋଗେ ପଠାଯିବା ସହ ଆମ କୁସ୍ତି ବଂଧୁମାନେ ମଧ୍ୟ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଚିଠି ପ୍ରଦାନ କରିବେ। କର୍ଣ୍ଣାଟକର ରାଜ୍ୟସଭା ସାଂସଦ ତଥା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଜୁବିନ୍ ଈରାନୀଙ୍କୁ ମଧ୍ୟ ଏହି ଚିଠି ପ୍ରଦାନ କରି ସମର୍ଥନ ଭିକ୍ଷା କରିବୁ। ବିଜେପିର ମୋଟ ୪୩ ଜଣ ମହିଳା ସାଂସଦଙ୍କୁ ଏହି ଚିଠି ପ୍ରଦାନ କରାଯିବ’। ଯନ୍ତର ମନ୍ତରରେ ‘କୁସ୍ତିଯୋଦ୍ଧା ସଂଘର୍ଷ ସମିତି’ ବ୍ୟାନରରେ ଆନ୍ଦୋଳନ ଚାଲିଥିବା ବେଳେ ସେମାନେ ଅଭିଯୋଗ କରିଛନ୍ତି, ବ୍ରିଜଭୂଷଣ ତାଙ୍କ ଲମ୍ବା ସମୟର ସଭାପତିତ୍ବ କାଳରେ ଅନେକ କୁସ୍ତିଯୋଦ୍ଧାଙ୍କ ଭବିଷ୍ୟତକୁ ନଷ୍ଟ କରିଛନ୍ତି। ବ୍ରିଜ୍ ତଳେ ଏବେ ବହୁ ପାଣି ବୋହିଯାଇଛି ଏବେ ପାଣି ନାକ ଉପରେ ଚଢ଼ିଗଲାଣି। ବ୍ରିଜଭୂଷଣଙ୍କ କ୍ଷମତା ପାଇଁ ସରକାର ଅନ୍ଧ ଓ ବଧିର ପାଲଟିଯାଇଛନ୍ତି। ଖେଳ ଓ ଜୀବନକୁ ପଛରେ ପକାଇ ଆମେ ନ୍ୟାୟ ଓ ସମ୍ମାନ ପାଇଁ ଲଢ଼ୁଛୁ ବୋଲି ସେମାନେ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ଭାରତୀୟ କୁସ୍ତି ମହାସଂଘର ଦାୟିତ୍ବ ସମ୍ପୂର୍ଣ୍ଣ ଭାବେ ଏକ ଆଡହକ୍ କମିଟି ନେବାଲାଗି ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)ର ନିଷ୍ପତ୍ତିକୁ ବଜରଙ୍ଗ ପୁନିଆ ସ୍ବାଗତ କରିଛନ୍ତି। ଏହା ଆମ ବିଜୟ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ବଜରଙ୍ଗ ପ୍ରକାଶ କରିଛନ୍ତି। ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଚାଲିବ ବୋଲି ସେ କହିଛନ୍ତି। ଆଡହକ କମିଟି ଦାୟିତ୍ବ ନେବା ଫଳରେ ବ୍ରିଜଭୂଷଣଙ୍କ ନେତୃତ୍ବରେ ଥିବା ଭାରତୀୟ କୁସ୍ତି ମହାସଂଘର ଆଉ କୌଣସି ଭୂମିକା ନାହିଁ। ୪୫ ଦିନ ଭିତରେ ଆଡହକ୍ କମିଟି ମଧ୍ୟ କୁସ୍ତି ମହାସଂଘର ନିର୍ବାଚନ କରାଇବ। ବ୍ରିଜଭୂଷଣଙ୍କ କାର୍ଯ୍ୟକାଳ ସରିଯାଇଥିବାରୁ ସେ ମଧ୍ୟ ଆଉ ଲଢ଼ି ପାରିବେ ନାହିଁ।