ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ଅଭିଯୋଗ ଉପରେ ତଦନ୍ତ ଜାରି ରଖିଛି। ଏପର୍ଯ୍ୟନ୍ତ ତଦନ୍ତ ଶେଷ ହୋଇନାହିଁ। ଏପରିସ୍ଥଳେ କୁସ୍ତିଯୋଦ୍ଧାମାନେ ପୁଣି ଥରେ ଆନ୍ଦୋଳନରେ ବସିବା ପ୍ରସଙ୍ଗକୁ ନେଇ ବର୍ଷିଛନ୍ତି ଆଇଓଏ ସଭାପତି ପିଟି ଉଷା। ତାରକା ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଦେଶର ଭାବମୂର୍ତ୍ତିକୁ ଖରାପ କରୁଛି। ବିଶ୍ବସ୍ତରରେ ଭାରତର ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେଣୁ ଏପରି ନକାରାତ୍ମକ ପ୍ରଚାର ଦେଶ ପାଇଁ ଆଦୌ ଭଲ ନୁହେଁ ବୋଲି ଉଷା କହିଛନ୍ତି। ତାଙ୍କ ମତରେ, ଯୌନ ନିର୍ଯାତନା ଅଭିଯୋଗକୁ ତଦନ୍ତ କରିବା ପାଇଁ ଆଇଓଏର ଏକ କମିଟି ରହିଛି ଓ ଆଥ୍ଲେଟ୍ସ କମିସନ ଅଛି। ହେଲେ କୁସ୍ତିଯୋଦ୍ଧାମାନେ ଆମ ପାଖକୁ ଆସିବା ପରିବର୍ତ୍ତେ ପୁଣି ଥରେ ରାସ୍ତାକୁ ବାହାରିବା ସେମାନଙ୍କର ବିଶୃଙ୍ଖଳିତ ଆଚରଣକୁ ଦର୍ଶାଉଛି। ଏହି ଘଟଣାରେ ଆମେ କେବଳ କୁସ୍ତିଯୋଦ୍ଧାଙ୍କ ସହିତ ଛିଡ଼ା ହେବାକୁ ଚାହୁଁଛୁ ତାନୁହେଁ, ବରଂ ଯେଉଁମାନେ ବି ଭାରତକୁ ପ୍ରତିନିଧିତ୍ବ କରିଛନ୍ତି ସମସ୍ତଙ୍କ ପାଇଁ ସମାନ ଭାବନା ରହିଛି। କିନ୍ତୁ ଦେଶର ଆଇନ୍ ପରିସରରେ ରହି ନିଜ ଅଭିଯୋଗ ଉପସ୍ଥାପନ କରାଯିବା ଉଚିତ୍ ବୋଲି ଉଷା କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଆଇଓଏ ଏକ ୩ ଜଣିଆ ଆଡହକ୍ କମିଟି ଗଠନ କରି ଭାରତୀୟ କୁସ୍ତି ସଂଘର ଦୈନଦିନ ବ୍ୟାପାର ବୁଝିବାକୁ ଦାୟିତ୍ବ ଦେଇଛି। ପିଟି ଉଷାଙ୍କ ବିବୃତି ପରିପ୍ରେକ୍ଷୀରେ କିନ୍ତୁ କୁସ୍ତିଯୋଦ୍ଧା ମାନେ ଆହୁରି ଅସନ୍ତୋଷ ପ୍ରକଟ କରିଛନ୍ତି। ଏହା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି।
ଆଇଓଏ ଗଢ଼ିଲା ଆଡହକ୍ କମିଟି
ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫ୍ଆଇ)ର ସଭାପତି ବ୍ରିଜଭୂଷଣ ସରଣ ସିଂହଙ୍କ ବିରୋଧରେ କୁସ୍ତିଯୋଦ୍ଧାମାନେ ଚଳାଇଥିବା ଆନ୍ଦୋଳନ ଜାରି ରହିଥିବା ବେଳେ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ଗୁରୁବାର ଏକ ୩ ଜଣିଆ ଆଡ୍ହକ୍ କମିଟି ଗଠନ କରିଛି। ଏହି କମିଟି ଡବଲ୍ୟୁଏଫ୍ଆଇର ଦୈନଦିନ କାର୍ଯ୍ୟ ତଦାରଖ କରିବା ସହ ୪୫ ଦିନ ଭିତରେ ନୂଆ କାର୍ଯ୍ୟନିର୍ବାହୀ ପରିଷଦ ପାଇଁ ନିର୍ବାଚନ କରାଇବାକୁ ଆଇଓଏ କହିଛି। ଭୂପେନ୍ଦ୍ର ସିଂହ ବାଜୱା, ସୁମା ସିରୂର ଏବଂ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଏହି କମିଟିର ସଦସ୍ୟ ରହିବେ। ଅବସରପ୍ରାପ୍ତ ବିଚାରପତିଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରାଯିବ। ବାଜୱା ଏବେ ଭାରତୀୟ ଉଷୁ ସଂଘ ସଭାପତି ଥିବାବେଳେ ଚଳିତ ବର୍ଷର ହାଙ୍ଗଜୁ ଏସୀୟ କ୍ରୀଡ଼ା ଲାଗି ଭାରତର ଚିଫ୍ ଡି ମିଶନ ନିଯୁକ୍ତ ହୋଇଛନ୍ତି। ବାଜୱା ଆଇଓଏର କାର୍ଯ୍ୟନିର୍ବାହୀ ପରିଷଦର ପ୍ରତିନିଧିତ୍ବ କରିବେ। ସେହିଭଳି ଅଲିମ୍ପିଆନ୍ ସୁଟର୍ ସୁମା ଜଣେ ଜାତୀୟ ସ୍ତରର ପ୍ରଶିକ୍ଷକ ଏବଂ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା। ସେ ଆଇଓଏର ସ୍ପୋର୍ଟସପରସନ୍ ଅଫ୍ ଆଉଟଷ୍ଟାଣ୍ଡିଂ ମେରିଟ୍ର ପ୍ରତିନିଧିତ୍ବ କରିବେ। କମିଟିର ରିପୋର୍ଟ ଭିତ୍ତିରେ ନିରପେକ୍ଷ ନିର୍ବାଚନ କରାଯିବ, ସେପର୍ଯ୍ୟନ୍ତ ଆଡହକ୍ କମିଟି ଭାରତୀୟ କୁସ୍ତି ସଂଘର ଆଭ୍ୟନ୍ତରୀଣ ବ୍ୟାପାର ବୁଝାବୁଝି କରିବ।
ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଦିଲ୍ଲୀ ପୁଲିସ୍ ସାଂସଦ ବ୍ରିଜଭୂଷଣ ସରଣଙ୍କ ବିରୋଧରେ ମାମଲା ଦାଏର ପାଇଁ ପ୍ରସ୍ତୁତ ହେଉଥିବା ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଛନ୍ତି। ସୂଚନାଯୋଗ୍ୟ, ୭ ଜଣ ମହିଳା କୁସ୍ତିଯୋଦ୍ଧା ବ୍ରିଜଭୂଷଣଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିବା ପରେ ଏହା କ୍ରମେ ଏକ ଆନ୍ଦୋଳନର ରୂପ ନେଇଛି। ପୂର୍ବରୁ ଆଇଓଏର ଏକ ୭ ଜଣିଆ ତଦନ୍ତ କମିଟି ମଧ୍ୟ କାର୍ଯ୍ୟ ଜାରି ରଖିଛି। ବିଶ୍ବ ବିଜୟିନୀ ଏମ୍ସି ମେରିକମ୍ ଅଧ୍ୟକ୍ଷ ଥିବାବେଳେ ଅଚନ୍ତା ଶରଥ କମଲ ଉପାଧ୍ୟକ୍ଷ ଦାୟିତ୍ବରେ ରହିଛନ୍ତି। ସାକ୍ଷୀମାନଙ୍କ ତାଲିକା ପ୍ରସ୍ତୁତି ଚୂଡ଼ାନ୍ତ ହେବା ପରେ ଖୁବ ଶୀଘ୍ର ଏହି କମିଟି ରିପୋର୍ଟ ପ୍ରଦାନ କରିବ।
ବ୍ରିଜଭୂଷଣ କହିଲେ ‘ଶକ୍ତି ଥିବା ଯାଏ ଲଢ଼ିବି’
କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ଅଭିଯୁକ୍ତ ସାଂସଦ ବ୍ରିଜଭୂଷଣ ସରଣ ସିଂହ ଗୁରୁବାର ଏକ ଭିଡିଓ ବାର୍ତା ଜାରି କରିଛନ୍ତି। ନିଜ ନୀରିହତାକୁ ପ୍ରମାଣିତ କରିବା ପର୍ଯ୍ୟନ୍ତ ମୁଁ ଲଢ଼ିବି ବୋଲି ସେ ପ୍ରକାଶ କରିଛନ୍ତି। ଏହି ଭାବବିହ୍ବଳ ବାର୍ତାରେ ବ୍ରିଜଭୂଷଣ କହିଛନ୍ତି, ‘ବଂଧୁଗଣ, ଜୀବନରୁ କ’ଣ ପାଇଛି କି ହରାଇଛି ମୋ ଜୀବନରେ ପ୍ରତିଫଳିତ ହୋଇଛି। ଯେଉଁଦିନ ଅନୁଭବ କରିବି ଲଢ଼ିବାର ଶକ୍ତି ହରାଇଛି, ଯେଉଁଦିନ ଭାବିବି ମୁଁ ଅସହାୟ ସେଭଳି ଜୀବନ ଜିଇଁବି ନାହିଁ। ଏଭଳି ଜୀବନ ଜିଇଁବା ଅପେକ୍ଷା ମୁଁ ମୃତ୍ୟୁକୁ ଆଲିଙ୍ଗନ କରିବାକୁ ଇଚ୍ଛା ପ୍ରକାଶ କରିବି’। ଏହି ବାର୍ତା ଫଳରେ ଅଲିମ୍ପିକ୍ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ବିଶ୍ବ ପଦକ ବିଜୟିନୀ ଭିନେଶ ଫୋଗଟଙ୍କ ଆନ୍ଦୋଳନ ବ୍ରିଜଭୂଷଣଙ୍କୁ କେତେ କଷ୍ଟ ଦେଇଛି ପ୍ରତିଫଳିତ ହୋଇଛି। ଯେଉଁ ବ୍ୟକ୍ତିଙ୍କ ସମର୍ଥନ ପାଇ ଏମାନେ ସଫଳ ହୋଇଥିଲେ ଏବେ ତାଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି। ନୂଆଦିଲ୍ଲୀର ଯନ୍ତର ମନ୍ତରରେ ଏହି ତିନି କୁସ୍ତିଯୋଦ୍ଧାଙ୍କ ସହିତ ୭ ଜଣ ବ୍ରିଭଜୂଷଣଙ୍କ ନାମରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣି ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନ କରୁଛନ୍ତି। ବ୍ରିଜଭୂଷଣଙ୍କ ନାମରେ ମାମଲା ଦାଏର ଓ ଗିରଫ ନହେବା ଯାଏଁ ବିଦ୍ରୋହ ଜାରି ରହିବ ବୋଲି ସେମାନେ ଦାବି କରିଛନ୍ତି।
ରିପୋର୍ଟ ମାଗିଲେ ଜାତୀୟ ମହିଳା କମିସନ୍
ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀ ପୁଲିସ ନିକଟରୁ ଜାତୀୟ ମହିଳା କମିସନ୍ (ଏନ୍ସିଡବୁଲ୍ୟ) ଅଧ୍ୟକ୍ଷା ରେଖା ଶର୍ମା ରିପୋର୍ଟ ମାଗିଛନ୍ତି। ଦିଲ୍ଲୀ ପୁଲିସ୍ କମିସନରଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗ ସମ୍ପର୍କରେ ବିବରଣୀ ମାଗିଛନ୍ତି। କାହିଁକି ଏଫ୍ଆଇଆର୍ ଦାଏର ହୋଇନାହିଁ ବୋଲି ଜାଣିବାକୁ ଚାହିଁଛି ଏନସିଡବଲ୍ୟୁ।