ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବଲ୍ୟୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିବା କୁସ୍ତିଯୋଦ୍ଧାମାନେ ଆଜି ଏକ ଅଭିଯୋଗ ଆଣିଛନ୍ତି | ବ୍ରିଜଭୂଷଣଙ୍କୁ ହଟାଇବାକୁ ଦାବି କରି ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧାମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଆଇପିଏଲ ମ୍ୟାଚ ଦେଖାଇବାକୁ ଦିଆଯାଇନାହିଁ | ଅଲିମ୍ପିଆନ୍‌ ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଆଜି ଦିଲ୍ଲୀରେ ଆଇପିଏଲ ମ୍ୟାଚ ଦେଖିବାକୁ ସେମାନଙ୍କୁ ଦିଆଯାଇନାହିଁ |

Advertisment

ସେମାନେ କହିଛନ୍ତି ଯେ ଆମ ପାଖରେ ମ୍ୟାଚ ଟିକେଟ ଥିଲା | ଆମେ ଯେତେବେଳେ ମ୍ୟାଚ ଦେଖିବାକୁ ଅରୁଣ ଜେଟଲୀ ଷ୍ଟାଡିୟମ ଯାଇଥିଲୁ ସେତେବେଳେ ପୁଲିସ ଆମକୁ ଅଟକାଇଥିଲା | ଆମ ପାଖରେ ବୈଧ ଟିକେଟ ଥିବା ସତ୍ତ୍ୱେ ଆମକୁ ମ୍ୟାଚ ଦେଖିବାକୁ ଦିଆଯାଇନଥିଲା | ତେବେ ଦିଲ୍ଲୀ ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି | ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି ଏଭଳି କୌଣସି ଘଟଣା ଘଟିନାହିଁ | ବୈଧ ଟିକେଟ ଓ ପାସ ଥିବା କୌଣସି ବ୍ୟକ୍ତିଙ୍କୁ ଅଟକାଯାଇନାହିଁ | ନିର୍ଦ୍ଧାରିତ ଗେଟରେ ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା | ଉଲ୍ଲେଖ ଥାଉ କି ଲଗାତାର ୨୮ ଦିନ ଧରି ଏହି କୁସ୍ତିଯୋଦ୍ଧାମାନେ ଆନ୍ଦୋଳନ ଚଳାଇଆସୁଛନ୍ତି |

ଉଲ୍ଲେଖ ଥାଉ କି ବିଜେପି ଷ୍ଟ୍ରଙ୍ଗମ୍ୟାନ୍ ତଥା ୬ ଥର ସାଂସଦ ବ୍ରିଜଭୂଷଣଙ୍କ ନାମରେ ଜଣେ ନାବାଳିକାଙ୍କ ସହ ୭ ଜଣ କୁସ୍ତିଯୋଦ୍ଧା‌ ଯୌନ ନିର୍ଯାତନା ଅଭିଯୋଗ ଆଣି ଜନ୍ତରମନ୍ତରରେ ଏହି ଆନ୍ଦୋଳନ ଚଳାଇଛନ୍ତି। ଅଲିମ୍ପିଆନ୍‌ ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକଙ୍କ ସହ ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ଏହି ଆନ୍ଦୋଳନର ନେତୃତ୍ବ ନେଉଛନ୍ତି |