ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଇସ୍ତଫା ଓ ଗିରଫ ଦାବିରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ହଜାର ହଜାର ସମର୍ଥକଙ୍କ ଗହଣରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ଆଗରେ ମହମବତି ଶୋଭାଯାତ୍ରା କରିଛନ୍ତି। ଏହି ଯାତ୍ରାରେ ହରିୟାଣା ଓ ପଞ୍ଜାବର ଅନେକ କୃଷକ ସାମିଲ ଥିଲେ। ଆନ୍ଦୋଳନକାରୀମାନେ ହାତରେ ଜାତୀୟ ପତାକା ଓ ମହମବତି ଧରି ଯାତ୍ରା କରିଥିଲା ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଥିଲେ। ବ୍ରିଜଭୂଷଣଙ୍କ ବିରୋଧରେ ଚାଲିଥିବା କୁସ୍ତିଯୋଦ୍ଧାମାନଙ୍କ ଆନ୍ଦୋଳନକୁ ମାସେ ପୂରିଲାଣି। ପ୍ରବଳ ଖରା ସତ୍ତ୍ବେ କୁସ୍ତିଯୋଦ୍ଧାମାନେ ଆନ୍ଦୋଳନ ଜାରି ରଖିଛନ୍ତି।
ସୁପ୍ରିମ୍କୋର୍ଟରୁ ଏହି ମାମଲା ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ପହଞ୍ଚିଥିଲା ବେଳେ ଦିଲ୍ଲୀ ପୁଲିସ ଏହାର ତଦନ୍ତ କରୁଛି। ତଥାପି ଶାସକ ଦଳ ଏପର୍ଯ୍ୟନ୍ତ ନିରବତା ଅବଲମ୍ବନ କରୁଛି। ଏହି ଆନ୍ଦୋଳନ ପୁଣି ଥରେ ୨୦୧୮ ମସିହାରେ ହୋଇଥିବା ‘ମି ଠୁ’ ଅଭିଯାନର ପୁନରାବୃତ୍ତି କରିବା ଭଳି ମନେହେଉଛି। ଯୌନ ନିର୍ଯାତନାର ବିରୋଧରେ ଅଭିନେତା, ଅଭିନେତ୍ରୀ, ଲେଖକମାନେ ସାମାଜିକ ଗଣମାଧ୍ୟମରେ ଉକ୍ତ ଅଭିଯାନ ଚଲାଇଥିଲେ। କିଛି ଦିନ ପରେ ଏହାର ପ୍ରଚାର ଜୋରଦାର ହେବାରୁ ଦେଶବ୍ୟାପୀ ସମର୍ଥନ ମିଳିଥିଲା। କୁସ୍ତିଯୋଦ୍ଧାଙ୍କ କ୍ଷେତ୍ରରେ ଏପରି ଘଟଣା ପୁଣି ଥରେ ଘଟିବା ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି।