ନୂଆଦିଲ୍ଲୀ: ଯନ୍ତର ମନ୍ତରରେ ଆନ୍ଦୋଳନ ଚଳାଇଥିବା କୁସ୍ତିଯୋଦ୍ଧାମାନେ ଗୁରୁବାର କଳା ପଟି ପରିଧାନ କରି ‘କଳା ଦିବସ’ ପାଳିଛନ୍ତି। ଗୁରୁବାର ସକାଳ ୧୦ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଏହି କଳା ଦିବସ ପାଳିଥିଲେ। ଭାରତୀୟ କୁସ୍ତି ମହାସଂଘ (ଡବଲ୍ୟୁଏଫ୍‌ଆଇ)ର ସଭାପତି ବ୍ରିଜଭୂଷଷ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦୀର୍ଘ ୧୮ ଦିନ ହେବ କୁସ୍ତିଯୋଦ୍ଧା ଆନ୍ଦୋଳନ ଚଳାଇଛନ୍ତି। ବ୍ରିଜଭୂଷଣ ଗିରଫ ନ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ମଧ୍ୟ ସେମାନେ ସ୍ପଷ୍ଟ କରିଛନ୍ତି। ଏପରିକି ମେ’ ୨୧ ତାରିଖ ମଧ୍ୟରେ ବ୍ରିଜଭୂଷଣ ଗିରଫ ନ ହେ‌ଲେ ଆନ୍ଦୋଳନ ବ୍ୟାପକ ରୂପ ନେବ ବୋଲି ମଧ୍ୟ ଧମକ ଦିଆଯାଇଛି। ଗୁରୁବାର ଭିନେଶ ଫୋଗଟ, ବଜରଙ୍ଗ ପୂନିଆ, ସାକ୍ଷୀ ମଲ୍ଲିକ, ସତ୍ୟବ୍ରତ କୈଦିୟାଁ, ଜିତେନ୍ଦର କିହ୍ନା କଳା ପଟି ପରିଧାନ କରିଥିବା ବେଳେ କିଛି ସମର୍ଥକ ମଧ୍ୟ ଅନୁରୂପ ଭାବେ କଳା ପଟି ପରିଧାନ କରିଥିଲେ। ଭାଜପାର ଅନ୍ୟତମ ସାଂସଦ ଥିବା ବ୍ରିଜଭୂଷଣଙ୍କ ନାମରେ ଦିଲ୍ଲୀ ପୁଲିସ ପସ୍କୋ ଧାରା ୧୦ ଅନୁଯାୟୀ ଦୁଇଟି ମାମଲା ଦାଏର କରିଥିଲେ ମଧ୍ୟ ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଚାଲିଛନ୍ତି। ଏପରିକି ଗୋଟିଏ ବି ଅଭିଯୋଗ ପ୍ରମାଣିତ ହେଲେ ସେ ନିଜକୁ ଝୁଲାଇ ଆତ୍ମହତ୍ୟା କରିଦେବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Advertisment

ପୀଡ଼ିତା କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଥିବା ଜଣେ ନାବାଳିକାଙ୍କର ସିଆର୍‌ପିସି ଧାରା ୧୬୪ ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଗୁରୁବାର ବୟାନ ରେକର୍ଡ କରାଯାଇଛି। ‌ସେହିଭଳି ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫ୍‌ଆଇ)ରେ‌ ଯୌନ ‌ଶୋଷଣର ଅଭିଯୋଗ ପାଇଁ କୌଣସି ପାନେଲ ନଥିବାରୁ କ୍ରୀଡ଼ା ମନ୍ତ୍ରଣାଳୟକୁ ଜାତୀୟ ମାନବିକ ଅଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ନୋଟିସ୍ ପଠାଇଛି।