ନୂଆଦିଲ୍ଲୀ: ପାକିସ୍ତାନ ସହ ରାଜନୈତିକ ଉତ୍ତେଜନାକୁ କେନ୍ଦ୍ର କରି ଦେଶରୁ କୌଣସି ଆନ୍ତର୍ଜାତିକ ପ୍ରତିଯୋଗିତା ସ୍ଥାନାନ୍ତର କରାନଯିବା ପାଇଁ ଆମେ ସରକାରଙ୍କଠୁ ନିର୍ଭର ପ୍ରତିଶ୍ରୁତି ମାଗିଛୁ। ଏକଥା ମଙ୍ଗଳବାର ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍ଆଇ) କହିଛି। ଭାରତ ସହ ସମସ୍ତ ସଂପର୍କ ବାତିଲ କରିବାକୁ ସଂଯୁକ୍ତ ବିଶ୍ବ କୁସ୍ତି ସଂଘ (ୟୁଡବ୍ଲୁଡବ୍ଲୁ) ସୋମବାର ତା’ର ଅନୁବନ୍ଧିତ ସମସ୍ତ ସଂଘମାନଙ୍କୁ ନିର୍ଦେଶ ଦେବା ପରେ ଭାରତରେ କନିଷ୍ଠ ଏସିଆ କପ୍ ଆୟୋଜନ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏପରିସ୍ଥଳେ ଦେଶରେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ହେଲେ ଆମକୁ ପ୍ରତିଶ୍ରୁତି ଦିଅ ବୋଲି ଭାରତୀୟ କୁସ୍ତି ସଂଘ ସରକାରଙ୍କୁ କହିଛି। ଏହାର ସମାଧାନ ପାଇଁ ମଙ୍ଗଳବାର ଆମେ ସରକାରଙ୍କୁ ଚିଠି ଲେଖିଛୁ ବୋଲି ସଂଘର ସଭାପତି ବ୍ରିଜ୍ଭୂଷଣ ସରନ୍ ସିଂହ ସୂଚନା ଦେଇଛନ୍ତି। ପାକିସ୍ତାନ ସହ କୁଟନୈତିକ ସଂପର୍କ ପାଇଁ କୁସ୍ତି ଏବଂ କୁସ୍ତିବିତ୍ମାନେ ବିଶେଷକରି ପ୍ରଭାବିତ ନହୁଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଥିବା ବ୍ରିଜ୍ ଭୂଷଣ କହିଛନ୍ତି। କନିଷ୍ଠ ଏସୀୟ ପ୍ରତିଯୋଗିତା ଆମ ଦେଶରେ ଆୟୋଜିତ ହେବା ନେଇ ଆମେ ପ୍ରୟାସ କରିବୁ। ଏନେଇ କିଛିଟା ସମାଧାନର ବାଟ ବାହାରିବ। ମୁଁ ଏବେ ବି ବିଶ୍ବ କୁସ୍ତି ସଂଘର ନିର୍ଦେଶକୁ ପଢ଼ିନାହିଁ। ତଥାପି କୌଣସି ଖେଳ ଆମ ଦେଶରେ କ୍ଷତିଗ୍ରସ୍ତ ନହେବା ଆମେ ଚାହୁଁ ବୋଲି ବ୍ରିଜ୍ ଭୂଷଣ କହିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପରେ ଗତମାସରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ବିଶ୍ବକପ୍ ପାଇଁ ପାକିସ୍ତାନୀ ବନ୍ଧୁକଚାଳକଙ୍କୁ ଭାରତ ଭିସା ମଞ୍ଜୁର କରିବାକୁ ମନା କରିଦେଇଥିଲା। ଏହାକୁ ନେଇ ଆନ୍ତର୍ଜାତିକ ଅଲିମ୍ପିକ୍ ସମିତି (ଆଇଓସି) ଭାରତ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଭବିଷ୍ୟତର ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜନ ଅଧିକାର କାଢ଼ି ନେଇଥିଲା। ଏପରିକି ଭାରତ ସହ ମଧ୍ୟ ଆଇଓସି ସମସ୍ତ କଥାବାର୍ତାକୁ ବାତିଲ କରିଦେଇଥିଲା। କେବଳ ସେତିକି ନୁହେଁ, ଆଇଓସି ମଧ୍ୟ ୨୫ ମିଟର ରାପିଡ୍ ପିସ୍ତଲ ବର୍ଗର ଦୁଇଟି ଅଲିମ୍ପିକ୍ ଟିକେଟ୍ ମଧ୍ୟ ଭାରତ ହାତରୁ କାଢ଼ିନେଲା। ଭାରତ ସରକାର ଲିଖିତ ଭାବେ ନିର୍ଭର ପ୍ରତିଶ୍ରୁତି ରଖିଲେ ଦେଶକୁ ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜନ ଅଧିକାର ଦିଆଯିବ ବୋଲି ଆଇଓସି ରୋକ୍ଠୋକ୍ ଜଣାଇ ଦେଇଥିଲା। ଏବେ ବିଶ୍ବ କୁସ୍ତି ସଂଘ ଅନୁରୂପ ଭାବେ ଭାରତ ସହ ସଂପର୍କ ତୁଟାଇବାକୁ ଅନ୍ୟାନ୍ୟ ସମସ୍ତ ସଂଘକୁ ନିର୍ଦେଶ ଦେବା ପରେ ଭାରତ ପାଇଁ ଅଡୁଆ ସୃଷ୍ଟି ହୋଇଛି। ଫଳରେ ଚଳିତ ବର୍ଷ ଜୁଲାଇ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା କନିଷ୍ଠ ଏସୀୟ ପ୍ରତିଯୋଗିତା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏହି ପ୍ରତିଯୋଗିତା ପାଇଁ ପାକିସ୍ତାନ ସମେତ ଅଂଶ ଗ୍ରହଣ କରିବାକୁ ଥିବା ସମସ୍ତ କୁସ୍ତିବିତ୍ଙ୍କୁ ଭିସା ମଞ୍ଜୁର କରିବା ନେଇ ଭାରତ ସରକାର ଲିଖିତ ପ୍ରତିଶ୍ରୁତି ରଖିଲେ ହିଁ ବିଶ୍ବ କୁସ୍ତି ସଂଘ ଅନୁମତି ଦେବ ବୋଲି ଭାରତୀୟ ସଂଘର ଯୁଗ୍ମ ସଂପାଦକ ବିନୋଦ ଟୋମାର୍ କହିଛନ୍ତି। ସେଥିପାଇଁ ବିଶ୍ବ ସଂଘ ଆମ ସହ ସମସ୍ତ ସଂପର୍କ ବନ୍ଦ କରିଦେଇଛି। ଏନେଇ ଆମେ ମଙ୍ଗଳବାର ସରକାରଙ୍କୁ ଚିଠି ଜରିଆରେ ଅବଗତ କରାଇଛୁ। ହେଲେ ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି ତାକୁ ଦେଖିବାକୁ ଆମେ ଅପେକ୍ଷା କରିଛୁ ବୋଲି ଟୋମର୍ କହିଛନ୍ତି।
ସରକାରୀ ପ୍ରତିଶ୍ରୁତି ମାଗିଲା କୁସ୍ତି ସଂଘ:ଏସୀୟ କନିଷ୍ଠ କୁସ୍ତି
/sambad/media/post_attachments/wp-content/uploads/2019/03/n-wrestler-vector.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)