ନୂଆଦିଲ୍ଲୀ: ଉଦୀୟମାନ କ୍ରୀଡ଼ା ତାରକା ସାଗର ରଣାଙ୍କ ହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିବା ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା କୁସ୍ତିଯୋଦ୍ଧା ସୁଶୀଲ କୁମାର ମଙ୍ଗଳବାର ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ ସୁଶୀଲଙ୍କ ଏହି ଆବେଦନକୁ ଦିଲ୍ଲୀର ଏକ ଅଦାଲତ ଖାରଜ କରିଦେଇଛନ୍ତି। ଅତିରିକ୍ତ ସେସନ୍ ଜଜ୍ ଜଗଦୀଶ କୁମାର ଏହି ଆବେଦନର ଶୁଣାଣି କରି ଖାରଜ କରିଦେଇଛନ୍ତି। ଫଳରେ ସୁଶୀଲ କୁମାରଙ୍କୁ ଝଟ୍କା ଲାଗିଛି।
ଚଳିତମାସ ୪ ତାରିଖରେ ସାଗରଙ୍କ ଉପରେ ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମ୍ ପରିସରରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ପରଦିନ ସେ ମୃତ୍ୟୁ ବରଣ କରିଥିଲେ। ପରିବାରବର୍ଗ ସୁଶୀଲଙ୍କ ସହ ଅନ୍ୟ ୬ ଜଣଙ୍କ ବିରୋଧରେ ମାମଲା ଦାୟର କରିବା ପରେ ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ତନଘନା ଉଦ୍ୟମ ଆରମ୍ଭ କରିଥିଲା। ହେଲେ ସୁଶୀଲ ଫେରାର ହୋଇ ଯାଇଥିଲେ। ବହୁ ଚେଷ୍ଟା ପରେ ମଧ୍ୟ ପୁଲିସ ତାଙ୍କୁ ଧରିପାରିନଥିଲା। ଅନ୍ୟପକ୍ଷରେ ପୁଲିସ ଆବେଦନ ପରେ ଅଦାଲତ ତାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ। ପୁଲିସ ମଧ୍ୟ ଲୁକ୍ଆଉଟ୍ ନୋଟିସ୍ ଜାରି କରିଥିଲା। ଏପରିକି ସୋମବାର ତାଙ୍କ ବିଷୟରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲା। ସୁଶୀଲଙ୍କ ସହଯୋଗୀ ଅଜୟ କୁମାରଙ୍କ ବିଷୟରେ ସୂଚନା ପାଇଁ ପୁଲିସ ମଧ୍ୟ ୫୦,୦୦୦ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ସୁଶୀଲ କିନ୍ତୁ ଏହି ହତ୍ୟା ମାମଲାରେ ତାଙ୍କର କୌଣସି ହାତ ନାହିଁ ବୋଲି ସେବେଠାରୁ କହି ଆସୁଛନ୍ତି। ପୁଲିସ ଏହି ମାମଲାରେ ସଂପୃକ୍ତ ଥିବା କିଛି ବ୍ୟକ୍ତିଙ୍କ ବୟାନ ଦର୍ଜ କରିଛି। ଏହି ଦୁଃଖଦ ହେଲେ ହିଂସ୍ର ଘଟଣା ଘଟିଲା ବେଳେ ସୁଶୀଲ ଉପସ୍ଥିତ ଥିବା ସେମାନେ ପୁଲିସକୁ କହିଛନ୍ତି।
ଦିଲ୍ଲୀର ମଡେଲ ଟାଉନ୍ ଅଞ୍ଚଳରେ ଏକ ଘର ଖାଲି କରିବାକୁ ନେଇ ଛତ୍ରସାଲ ଷ୍ଟାଡିୟମ୍ରେ ଅଭ୍ୟାସ କରୁଥିବା ସୁଶୀଲ କୁମାରଙ୍କ ଗୋଷ୍ଠୀ ଓ ସାଗରଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ୫ରୁ ୬ ଯୁବକ ସାଗରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ପରେ ସେ ପ୍ରାଣ ହରାଇଥିଲେ। ପୁଲିସ ଏବେ ବି ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଛାପା ମାରିବା ଜାରି ରଖିଛି। ଦେଶର ଏକମାତ୍ର ଖେଳାଳି ଭାବେ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସୁଶୀଲ ଏକ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଖବର କୁସ୍ତି ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ କୁସ୍ତିର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଛି ବୋଲି ଭାରତୀୟ କୁସ୍ତି ମହାସଂଘ ପ୍ରକାଶ କରିଥିବା ଏକ ବିବୃତ୍ତିରେ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/1-Sushil-Kumar.jpg)