ଋଦ୍ଧିମାନଙ୍କୁ ଧମକ ଦେବା ମାମଲା: ବୋରିଆ ଦୋଷୀ ସାବ୍ୟସ୍ତ, ୨ ବର୍ଷ ବାସନ୍ଦ ହେବେ

ନୂଆଦିଲ୍ଲୀ: ଭାରତୀୟ ୱିକେଟ୍ ରକ୍ଷକ ଋଦ୍ଧିମାନ ସାହଙ୍କୁ ମେସେଜ୍ କରି ଧମକ ଦେବା ମାମଲାରେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ତଥା କ୍ରିକେଟ୍ ଐତିହାସିକ ବୋରିଆ ମଜୁମଦାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଫଳରେ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ବସିସିଆଇର ସମସ୍ତ କ୍ରୀଡ଼ା କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାରୁ ସେ ବାସନ୍ଦ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ତାଙ୍କୁ (ବୋରିଆଙ୍କୁ) ଷ୍ଟାଡିୟମ୍ ଭିତରେ ନ ପୂରାଇବାକୁ ଆମେ ସମସ୍ତ ରାଜ୍ୟ ସଂଘଗୁଡ଼ିକୁ ଖୁବଶୀଘ୍ର ସୂଚନା ଦେବୁ। ଘରୋଇ ମ୍ୟାଚ୍‌ଗୁଡ଼ିକ ଲାଗି ତାଙ୍କୁ ସ୍ବୀକୃତିପତ୍ର ମିଳିବ ନାହିଁ। ସେହିଭଳି ବୋରିଆଙ୍କୁ କଳା ତାଲିକାଭୁକ୍ତ କରିବାକୁ ଆମେ ମଧ୍ୟ ଆଇସିସିକୁ ପତ୍ର ଲେଖିବୁ। ତାଙ୍କ ସହ କୌଣସି ଯୋଗାଯୋଗ ରକ୍ଷା ନକରିବାକୁ ମଧ୍ୟ ଖେଳାଳିମାନଙ୍କୁ ନିର୍ଦ୍ଦେଶ ଦିଆଯିବ।

ପ୍ରକାଶ ଥାଉ କି ଋଦ୍ଧିମାନ ସାକ୍ଷାତକାର ନଦେବାରୁ ବୋରିଆ ମେସେଜ୍ କରି ତାଙ୍କୁ ଧମକ ଦେଇଥିଲେ। ଯାହାର ସ୍କ୍ରିନ୍ ସଟ୍ ଋଦ୍ଧିମାନ ଗତ ଫେବ୍ରୁଆରି ୧୯ରେ ନିଜ ଟ୍ବିଟରରେ ପ୍ରକାଶ କରିବା ପରେ ଝଡ଼ ସୃଷ୍ଟି ହୋଇଥିଲା। ଜଣେ ସାମ୍ବାଦିକ ତାଙ୍କୁ ହାରାଶ କରୁଥିବା ଅଭିଯୋଗ କରିଥିଲେ। ତେବେ ଧମକ ବାର୍ତ୍ତା ପଠାଇଥିବା ସାମ୍ବାଦିକଙ୍କ ନାଁ’କୁ ଗୋପନ ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବୋରିଆ ହିଁ ସେହି ସାମ୍ବାଦିକ ବୋଲି ସ୍ପଷ୍ଟ କରିଥିଲେ। ବୋରିଆ ମଧ୍ୟ ଭିଡିଓ ବାର୍ତ୍ତା ପ୍ରକାଶ କରି ସାହଙ୍କୁ ମେସେଜ୍ ପଠାଇଥିବା ମାନି ଯାଇଥିଲେ। ଏହା ପରେ ବିସିସିଆଇ ମାମଲାର ତଦନ୍ତ କରିବା ଲାଗି ବରିଷ୍ଠ ଉପସଭାପତି ରାଜୀବ ଶୁକ୍ଳା, କୋଷାଧ୍ୟକ୍ଷ ଅରୁଣ ସିଂହ ଧୂମଲ ଏବଂ ଆପେକ୍ସ କାଉନସିଲ୍ ସଦସ୍ୟ ପ୍ରଭତେଜ୍ ସିଂହ ଭାଟିଆଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରିଥିଲା। କମିଟି ତା’ର ତଦନ୍ତରେ ବୋରିଆ ସତରେ ଏଭଳି ମେସେଜ୍ ପଠାଇ ସାହଙ୍କୁ ଧମକ ଚମକ ଦେଇଥିବାର ପ୍ରମାଣ ପାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର