ଲର୍ଡସରେ ଲେଖିଲେ ନୂଆ ଇତିହାସ: ସାମି-ବୁମ୍‌ରାଙ୍କ ଅସାଧାରଣ ଚମକ, ଇଂଲଣ୍ଡ ୧୫୧ ରନ୍‌ରେ ପରାସ୍ତ

ନାଟକୀୟ ବିଜୟ ସହ ଭାରତ ୧-୦ରେ ଆଗୁଆ

ଲଣ୍ଡନ: ମଙ୍ଗଳବାର ଖେଳ ଆରମ୍ଭ ବେଳକୁ ମନରେ ଢେର ଆଶା ଆଶଙ୍କା ଥିଲା। ପନ୍ତ ପ୍ୟାଭିଲିୟନ ଫେରିବା ପରେ ଆସନ୍ନ ପରାଜୟ ବି ଜଳ ଜଳ ଦେଖା ଯାଉଥିଲା। ହେଲେ ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରା କମାଲ କଲେ। ଅପୂର୍ବ ସାହସ, ଅସୀମ ଧୈର୍ଯ୍ୟ ଓ ଦୃଢ଼ ଏକାଗ୍ରତାର ବଳିଷ୍ଠ ନମୁନା ଦେଖାଇ ଅବିଭା‌ଜିତ ନବମ ୱିକେଟ୍‌ରେ ଅବିଶ୍ବସନୀୟ ଭାବେ ୮୯ ରନ୍ ଯୋଡ଼ିନେଲେ। ଫଳରେ ଉତ୍କଣ୍ଠାପୂର୍ଣ୍ଣ ଲର୍ଡସ ଟେଷ୍ଟ୍‌ରେ ଇଂଲଣ୍ଡ ସମ୍ମୁଖରେ ୬୦ ଓଭରରୁ ୨୭୨ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହେଲେ। ଏହା ପରେ ସେହି ସାମି (୧/୧୩), ବୁମ୍‌ରା (୩/୩୩) ଅଭିଜ୍ଞ ଈଶାନ୍ତ ଶର୍ମା (୨/୧୩) ଓ ଯୁବବୀର ମହମ୍ମଦ ସିରାଜ (୪/୩୨)ଙ୍କ ସହ ମିଶି ଜଣେ ପରେ ଜଣେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍ କରି ଘରୋଇ ଦଳର ପାଳିକୁ ୧୨୦ ରନ୍‌ (୫୧.୫ ଓଭର)ରେ ‌ଶେଷ କରିଦେଲେ। ଖେଳ ‌ଶେଷ ହେବାର ୮.୧ ଓଭର ପୂର୍ବରୁ ଭାରତକୁ ଏକ ଅସାଧାରଣ ବିଜୟ ଉପହାର ଦେଲେ। ‌ଶେଷ ଦିନରେ ୧୫୧ ରନ୍‌ର ନାଟକୀୟ ବିଜୟ ସହ ଐତିହାସିକ ଲର୍ଡସ ପଡ଼ିଆରେ କୋହଲି ବାହିନୀ ଲେଖିଲା ନୂଆ ଇତିହାସ। ତା ସହ ଭାରତ ପାଞ୍ଚ ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଗଲା। ଭାରତର ଟେଷ୍ଟ୍ ଇତିହାସରେ ବି ଯୋଡ଼ି ହୋଇଗଲା ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ।

ମଙ୍ଗଳବାର ସକାଳେ ଭାରତ ୧୮୧/୬ରୁ ଖେଳ ଆରମ୍ଭ କରିଥିଲା। ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଭାବେ ଏକମାତ୍ର ଋଷବ ପନ୍ତ ଅପରାଜିତ ଥିବାରୁ ଦଳ ତାଙ୍କଠାରୁ ଏକ ଲଢ଼ୁଆ ଓ ଉତ୍କୃଷ୍ଟ ପାଳିର ଆଶାରେ ଥିଲା। ହେଲେ ସେ ନିଜ ବ୍ୟକ୍ତିଗତ ସ୍କୋରରେ ମାତ୍ର ୨ ରନ୍ ଯୋଡ଼ିବା ପରେ ନିରାଶାର ମୁଣ୍ଡ ହଲାଇ ହଲାଇ ପ୍ୟାଭିଲିୟନ ଫେରିଥିଲେ। ଅଷ୍ଟମ ୱିକେଟ୍ ଭାବେ ଈଶାନ୍ତ ଶର୍ମା ଯେତେବେଳେ ଆଉଟ୍ ହେଲେ ଇଂଲଣ୍ଡକୁ ଏକ ଛୋଟିଆ ବିଜୟ ଲକ୍ଷ୍ୟ ମିଳିବାର ଆଶଙ୍କା ବଢ଼ି ଯାଇଥିଲା। ହେଲେ ଏହା ପରେ ଯାହା ହେଲା,ତାହା ସଂପୂର୍ଣ୍ଣ ଅବିଶ୍ବସନୀୟ। ବୋଲିଂରେ କମାଲ କରିଥିବା ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରା କ୍ରିଜ୍‌ରେ ବରଫ ଭଳି ଜମି ଯାଇଥିଲେ।

ଖାଲି ଜମି ନଥିଲେ ଇଂଲଣ୍ଡ ବୋଲରଙ୍କ ସବୁ ଚାଲ୍‌କୁ ଚତୁରତାର ସହ ଅକାମି କରି ଭାରତ ପାଳିକୁ ସଫଳତାର ସହ ଆଗେଇ ନେଇଥିଲେ। ଉଭୟଙ୍କ ଉପରେ ଯେମିତି ଇଂଲିସ୍ ବୋଲରଙ୍କ ବାଉନ୍ସର, ସଟ୍ ପିଚ୍, ଇନ୍ ସୁଇଂ, ଆଉଟ୍ ସୁଇଂର କୌଣସି ପ୍ରଭାବ ପଡ଼ି ନଥିଲା। ବିଶେଷ କରି ସାମି କେତେକ ଦର୍ଶନୀୟ ଓ ଅସାଧାରଣ ସଟ୍ ଖେଳି ନିଜ ଦ୍ବିତୀୟ ଅର୍ଦ୍ଧଶତକ ପୂରଣ କରି ନେଇଥିଲେ। ଅନ୍ୟପଟେ ବୁମ୍‌ରା ମଧ୍ୟ ଅପୂର୍ବ ଲୟ ଓ ତାଳର ପରିଚୟ ଦେଇ ୯୬ ବଲ୍‌ରୁ ୩୪* ରନ୍‌ର ସ୍ମରଣୀୟ ପାଳି ଖେଳିଥିଲେ। ଟେଷ୍ଟ୍ କ୍ରିକେଟ୍‌ରେ ଉଭୟ ମଧ୍ୟ ନିଜ ନିଜର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଅର୍ଜନ କରିଥିଲେ। ସାମି-ବୁମ୍‌ରା ଅବିଭାଜିତ ନବମ ୱିକେଟ୍‌ରେ ୮୯ ରନ୍ ଯୋଡ଼ିବା ପରେ ଭାରତ ମୁଣ୍ଡ ଉପରୁ ମ୍ୟାଚ୍ ହାରିବାର କଳା ବାଦଲ ହଟି ଯାଇଥିଲା। ମଧ୍ୟାହ୍ନ ଭୋଜନର ଠିକ୍ ପରେ ପରେ ଅଧିନାୟକ କୋହଲି ୨୯୮/୮ରେ ଦ୍ବିତୀୟ ପାଳି ଘୋଷଣା କରିବା ବେଳକୁ ଇଂଲଣ୍ଡ ସମ୍ମୁଖରେ ୬୦ ଓଭରରୁ ୨୭୨ ରନ୍‌ର କଷ୍ଟକର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଘରୋଇ ଦଳର ପରାଜୟ ପରେ ଭାରତ (୩୬୪)ଠାରୁ ପ୍ରଥମ ପାଳି ଭିତ୍ତିରେ ଇଂଲଣ୍ଡ (୩୯୧) ଲାଭ କରିଥିବା ୨୭ ରନ୍‌ର ଅଗ୍ରଣୀ ବେକାର ଯାଇଥିଲା।

ସମ୍ବନ୍ଧିତ ଖବର