ନୂଆଦିଲ୍ଲୀ: ଏକଦା ଥିଲେ ଗୋଟିଏ ଦଳର ସାଥୀ ଖେଳାଳି ଏବେ କିନ୍ତୁ ପ୍ରତିଦ୍ବନ୍ଦ୍ବୀ। ପରସ୍ପର ବିରୋଧରେ ଯୋଜନା ଓ ଖସଡ଼ା ପ୍ରସ୍ତୁତ କରିବାର ବେଳ। ସେହି ଦୁଇ ଖେଳାଳି ହେଲେ ରୋହିତ ଶର୍ମା ଏବଂ କାମେରନ୍ ଗ୍ରିନ୍‌। ବୁଧବାରଠାରୁ ଲଣ୍ଡନ୍‌ର ଦ ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଦଳରେ ରହିଛନ୍ତି ଏହି ଦୁଇ ଖେଳାଳି। ଗତ ସପ୍ତାହ ପର୍ଯ୍ୟନ୍ତ ଏହି ଦୁଇ ଖେଳାଳି ଗୋଟିଏ ଦଳରେ ଥିଲେ ଏବଂ ଆଇପିଏଲ୍‌ ଟ୍ରଫି ଜିତିବାକୁ ଲାଗି ପଡ଼ିଥିଲେ। ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବାବେଳେ କାମେରନ୍ ଗ୍ରିନ୍‌ ଥିଲେ ଦଳର ପ୍ରମୁଖ ଅଲରାଉଣ୍ଡର୍‌। ସଂଘର୍ଷରତ ମୁମ୍ବାଇକୁ ପ୍ଲେ ଅଫ୍‌ ‌ପହଞ୍ଚାଇବାରେ ଗ୍ରିନ୍ ପ୍ରମୁଖ ଭୂମିକା ତୁଲାଇଥିଲେ। ମୁମ୍ବାଇ କ୍ବାଲିଫାୟାର୍‌-୨ରୁ ବିଦାୟ ନେଇଥିବା ବେଳେ ଗ୍ରିନ୍‌ ୪୫୨ ରନ୍‌ ଏବଂ ୬ ୱିକେଟ୍ ଅକ୍ତିଆର କରିଥିଲେ। ଏବେ ଡବଲ୍ୟୁଟିସି ଫାଇନାଲ୍ ପାଇଁ ବଂଧୁରୁ ଶତ୍ରୁ ପାଲଟିବାକୁ ଯାଉଛନ୍ତି ଏହି ଦୁଇ ଖେଳାଳି। ତେବେ ରୋହିତଙ୍କ ସହ କଟାଇଥିବା ମୂଲ୍ୟବାନ ସମୟରୁ ଗ୍ରିନ୍‌ ଢେର ଅଭିଜ୍ଞତା ଅର୍ଜନ କରିଥିବାରୁ ଏହାକୁ ଉପଯୋଗ କରିବା ଆଶାରେ ରହିଛନ୍ତି। ରୋହିତଙ୍କ ଶାନ୍ତ ସ୍ବଭାବ ଗୁଣ ଗ୍ରିନ୍‌ଙ୍କୁ ପ୍ରଭାବିତ କରିଛି। ‘ବିଗତ ୧୦ ବର୍ଷ ଧରି ରୋହିତ ସେଠାରେ ଅଛନ୍ତି। ଯେ ସେଭଳି ଭାବେ ପରିସ୍ଥିତିକୁ ଦେଖନ୍ତି ଏହା ଅତି ଚମତ୍କାର। ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ମୋ ଭୂମିକା ଥିଲା ଆକ୍ରମଣାତ୍ମକ ଖେଳିବା। ନିଜ ପସନ୍ଦରେ ବୋଲରଙ୍କୁ ଚୟନ କରି ପ୍ରହାର କରିବାକୁ ମୁଁ ଚେଷ୍ଟା କରିଥିଲି’ ବୋଲି ୨୪ ବର୍ଷୀୟ ଗ୍ରିନ୍‌ ପ୍ରକାଶ କରିଛନ୍ତି। ଆଇପିଏଲ୍‌ ଅଭିଯାନ ଶେଷ କରିବା ପରେ ଗ୍ରିନ୍ ବିଳମ୍ବରେ ଅଷ୍ଟ୍ରେଲିଆ ଦଳ ସହ ଯୋଗ ଦେଇଛନ୍ତି। ଡବଲ୍ୟୁଟିସି ଫାଇନାଲ୍‌ରେ ବିରାଟ କୋହଲି ନିଶ୍ଚିତ ଅଷ୍ଟ୍ରେଲିଆ ପାଇଁ ବଡ଼ ବିପଦ ହେବେ ବୋଲି ଗ୍ରିନ୍‌ ସ୍ବୀକାର କରିଛନ୍ତି। ବ୍ୟକ୍ତିଗତ ଭାବେ ଟ୍ବେଣ୍ଟି-୨୦ରୁ ଟେଷ୍ଟ୍ କ୍ରିକେଟ୍‌ ଫର୍ମାଟକୁ ଫେରିବାରେ କିଛି ଅସୁବିଧା ନାହିଁ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି।

Advertisment

publive-image

ଫାଇନାଲ୍‌ରୁ ହାଜଲ୍‌ଉଡ୍‌ ବାଦ୍‌, ନେସର୍ ସାମିଲ
ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜୋସ୍ ହାଜଲଉଡ୍‌ ସମ୍ପୂର୍ଣ୍ଣ ଫିଟ୍‌ ହୋଇଥିଲେ ମଧ୍ୟ ଡବଲ୍ୟୁଟିସି ଫାଇନାଲ୍‌ରେ ଖେଳିବେ ନାହିଁ। ଏହି ଫାଇନାଲ୍‌ର ପରବର୍ତୀ ସପ୍ତାହରୁ ଅଷ୍ଟ୍ରେଲିଆ ୫ ଟେଷ୍ଟ୍ ବିଶିଷ୍ଟ ଆସେସ୍ ଶୃଙ୍ଖଳା‌ ଖେଳିବାକୁ ଯାଉଥିବାରୁ ହାଜଲଉଡ୍‌ଙ୍କ ଫିଟନେସ୍‌ ଉପରେ କାର୍ଯ୍ୟଭାର ଚାପ ନ ପକାଇବା ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ତାଙ୍କୁ ଦଳଠାରୁ ଦୂରେଇ ରଖିବାକୁ ପସନ୍ଦ କରିଛି। ତାଙ୍କ ବଦଳରେ ୩୩ ବର୍ଷୀୟ ଦ୍ରୁତ ବୋଲର ମାଇକେଲ ନେସରଙ୍କୁ ଦଳରେ ସାମିଲ କରାଯାଇଛି। ୨୦୨୧-୨୨ ଘରୋଇ ଆସେସ୍ ଶୃଙ୍ଖଳାରେ ନେସର୍ ପଦାର୍ପଣ କରିଥିଲେ ମଧ୍ୟ ଏହାର ୧୨ ମାସ ପରେ ଦ୍ବିତୀୟ ଟେଷ୍ଟ୍ ଖେଳିଥିଲେ। ଏବେ ସ୍କଟ୍ ବୋଲାଣ୍ଡ ଉପଲବ୍‌ଧ ଥିବାରୁ ନେସର୍ ଚୂଡ଼ାନ୍ତ ଏକାଦଶକୁ ଫେରିବା ମଧ୍ୟ କଷ୍ଟସାଧ୍ୟ ରହିଛି। ହାଜଲଉଡ୍‌ଙ୍କୁ ବାଦ୍ ଦିଆଯିବା ସମ୍ପର୍କରେ କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ ଚୟନକର୍ତା ଜର୍ଜ ବେଲି କହିଛନ୍ତି ‘ଦଳ ଗୋଟିଏ ମାତ୍ର ଟେଷ୍ଟ୍ ଖେଳିବାକୁ ଯାଉନାହିଁ। ଅଷ୍ଟ୍ରେଲିଆ ୭ ସପ୍ତାହ‌ରୁ କମ୍ ଦିନ ଭିତରେ ୬ ଟେଷ୍ଟ୍‌ ‌ଖେଳିବ। ଦ୍ରୁତ ବୋଲିଂ ସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ହାଜଲଉଡ୍‌ଙ୍କୁ ସମୟ ଦିଆଯାଇଛି।’’

publive-image

ଡବଲ୍ୟୁଟିସି ଦଳରେ ନାହାନ୍ତି କୋହଲି
କ୍ରିକେଟ୍ ଅଷ୍ଟ୍ରେଲିଆ ରବିବାର ଏକ ଅଣଆନୁଷ୍ଠାନିକ ଡବଲ୍ୟୁଟିସି ଟିମ୍ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ୍‌ ଖେଳାଳିଙ୍କ ନାମ ଘୋଷଣା କରିଛି। ଏଥିରେ ବାବର ଆଜମଙ୍କୁ ବିରାଟ କୋହଲିଙ୍କ ଉପରେ ରଖିଛି କ୍ରିକେଟ୍ ଅଷ୍ଟ୍ରେଲିଆ। ୨୦୨୧-୨୩ ଡବଲ୍ୟୁଟିସି ବଳୟରେ ଭଲ କରିଥିବା ଖେଳାଳିଙ୍କୁ ସାମିଲ କରାଯାଇଥିବା ବେଳେ ଏହି ଦଳରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳରୁ ୩ ଜଣ ଲେଖାଏଁ ରହିଛନ୍ତି। ଭାରତରୁ ରବୀନ୍ଦ୍ର ଜାଦେଜା, ଋଷଭ ପନ୍ତ୍ (ୱିକେଟରକ୍ଷକ), ଆର୍‌ ଅଶ୍ବିନ୍ ଅଛନ୍ତି। ଅଷ୍ଟ୍ରେଲିଆରୁ ପ୍ୟାଟ୍ କମିନ୍ସ (ଅଧିନାୟକ), ଉସମାନ ଖୱାଜା (ଓପନର୍), ଟ୍ରାଭିସ୍ ହେଡ୍ ସ୍ଥାନ ପାଇଛନ୍ତି। ଅନ୍ୟମାନେ ହେଲେ-ଦିମୁଥ କରୁଣାରତ୍ନେ, ବାବର ଆଜମ, ଜୋ ରୁଟ୍‌, କାଗିସୋ ରବାଦା ଏବଂ ଜେମ୍ସ ଆଣ୍ଡରସନ୍‌।