ସିରାଜ ଦେଲେ ସୁଯୋଗ, ବ୍ୟାଟର୍ ଛାଡ଼ିଦେଲେ; ଅଷ୍ଟ୍ରେଲିଆ ୪୬୯, ଭାରତ ୧୫୧/୫

ଲଣ୍ଡନ: ମହମ୍ମଦ ସିରାଜ ୪ ୱିକେଟ୍ ନେଇ ସୁଯୋଗ ଦେଇଥିଲେ, କିନ୍ତୁ ଭାରତୀୟ ବ୍ୟାଟର୍ ଏହାକୁ ହାତଛଡ଼ା କରି ଦେଇଛନ୍ତି। ଫଳରେ ପ୍ରଥମ ଦିନ ଭଳି ଦ୍ବିତୀୟ ଦିବସରେ ମଧ୍ୟ ଅଷ୍ଟ୍ରେଲିଆ ପ୍ରାଧାନ୍ୟ ବିସ୍ତାର କରିଛି। ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ର ଏହି ଫାଇନାଲ୍‌ରେ ଅଷ୍ଟ୍ରେଲିଆର ୪୬୯ ରନ୍ ଜବାବରେ ଭାରତ ଦ୍ବିତୀୟ ଦିନ ସୁଦ୍ଧା ୫ ୱିକେଟ୍ ହରାଇ ୧୫୧ ରନ୍ ସଂଗ୍ରହ କରିବା ସହ ସଂଘର୍ଷ କରୁଛି। ଅଜିଙ୍କ୍ୟ ରାହାଣେ ୨୯* ଓ ଶ୍ରୀକର ଭରତ ୫* ରନ୍‌ କରି ଅପରାଜିତ ଅଛନ୍ତି। ଏଥିପୂର୍ବରୁ ଅଧିନାୟକ ରୋହିତ ଶର୍ମା ଓ ଆଇପିଏଲ୍‌ ଅରେଞ୍ଜ କ୍ୟାପ୍‌ ବିଜେତା ଶୁବମନ ଗିଲ୍‌ ପ୍ରଥମରୁ ଆକ୍ରମଣାତ୍ମକ ଶୈଳୀ ଆପଣାଇଥିଲେ। କିନ୍ତୁ ଏହାକୁ ବଡ଼ ସ୍କୋରରେ ପରିଣତ କରିବାରେ ଉଭୟ ବିଫଳ ହୋଇଥିଲେ। ଷଷ୍ଠ ଓଭରର ଶେଷ ବଲ୍‌ରେ ପ୍ୟାଟ୍‌ କମିନ୍ସ ଭାରତୀୟ ଅଧିନାୟକଙ୍କୁ ଏଲ୍‌ବିଡବ୍ଲୁ କରିଥିଲା ବେଳେ ୩ ବଲ୍‌ ବ୍ୟବଧାନ ପରେ ସ୍କଟ୍‌ ବୋଲାଣ୍ଡଙ୍କ ଇନ୍‌ ସୁଇଂକୁ ବୁଝିନପାରି ଗିଲ୍‌ ବୋଲ୍ଡ ହୋଇଯାଇଥିଲେ। ବଲ୍‌କୁ ସେ ଛାଡ଼ି ଦେଇଥିବାବେଳେ ଷ୍ଟମ୍ପ୍ ହରାଇଥିଲେ। ଚା’ ପାନ ବିରତି ସୁଦ୍ଧା ଭାରତକୁ ବିରାଟ କୋହଲି ଓ ଚେତେଶ୍ବର ପୂଜାରା ସମ୍ଭାଳିଥିଲେ। କିନ୍ତୁ ପୂଜାରା ମଧ୍ୟ ସମାନ ଢଙ୍ଗରେ ବଲ୍‌ ଛାଡ଼ି କାମେରନ୍‌ ଗ୍ରିନ୍‌ଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। କୋହଲିଙ୍କୁ ଷ୍ଟାର୍କ ଆଉଟ୍‌ କରି ଶୀର୍ଷକ୍ରମ ଭାଙ୍ଗିଥିଲେ। ୧୯ ଓଭର ଭିତରେ ଭାରତ ୭୧ ରନ୍‌ରେ ୪ ୱିକେଟ୍‌ ହରାଇସାରିଥିଲା। ଜାଦେଜା ଓ ଅଜିଙ୍କ୍ୟ ରାହାଣେ ପଞ୍ଚମ ୱିକେଟ୍‌ରେ ୭୧ ରନ୍‌ ଭାଗୀଦାରି କରି ପାଳି ସମ୍ଭାଳିଥିଲେ। କିନ୍ତୁ ଗୁରୁବାର ଖେଳ ଶେଷ ହେବାର ୪ ଓଭର ପୂର୍ବରୁ ଜାଦେଜା ଆଉଟ୍‌ ହୋଇଯାଇଥିଲେ।

ସ୍ମିଥ୍‌ଙ୍କ ୩୧ତମ ଶତକ
ପ୍ରଥମ ଦିନରେ ଷ୍ଟିଭ୍‌ ସ୍ମିଥ୍‌ ଓ ଟ୍ରାଭିସ୍‌ ହେଡ୍‌ କୀର୍ତ୍ତିମାନଭରା ଦ୍ବିଶତକୀୟ ପାଳି ଖେଳିଥିଲେ। ଦ୍ବିତୀୟ ଦିନରେ ଆଉ ୧୪୨ ରନ୍‌ ଯୋଡ଼ିବା ପରେ ଆଷ୍ଟ୍ରେଲିଆ ପାଳି ଶେଷ ହୋଇଥିଲା। ସ୍ମିଥ୍‌ ମଧ୍ୟ ଭାରତ ବିପକ୍ଷରେ ନବମ ଶତକ ମାରିଥିଲା ବେଳେ ଉମେଶ ଯାଦବଙ୍କୁ ଛାଡ଼ିଦେଲେ ଅନ୍ୟ ‌ବୋଲରମାନେ ସଫଳତା ପାଇଥିଲେ। ପ୍ରଥମ ଦିନର ଅସମାପ୍ତ ସ୍କୋର ୩୨୭/୩ରୁ ଖେଳିବା ଆରମ୍ଭ କରିଥିଲେ ହେଁ ହେଡ୍‌ଙ୍କୁ ଆଉଟ୍‌ କରି ସିରାଜ ଭାରତକୁ ବଡ଼ ସଫଳତା ଦେଇଥିଲେ। ଗୁରୁବାର ହେଡ୍‌ ଆଉ ୧୭ ରନ୍‌ ଯୋଡ଼ି ପାରିଥିଲେ। ‌ଅନ୍ୟ ପଟରୁ ରକ୍ଷଣାତ୍ମକ ଖେଳୁଥିବା ସ୍ମିଥ୍‌ କିନ୍ତୁ ୩୧ ତମ ଶତକ ଅର୍ଜନ କରି ଆଗକୁ ବଢୁଥିଲେ ବି ଶାର୍ଦୁଳ ଠାକୁର ତାଙ୍କୁ ବୋଲ୍ଡ କରିଦେଇଥିଲେ। ୨୨୯ ବଲ୍‌ରୁ ଶତକ ଅର୍ଜନ କରିଥିବା ସ୍ମିଥ୍‌ ଓଭାଲ୍‌ରେ ତୃତୀୟ ଶତକ ଜମାଇଥିଲେ। ଏଥିସହ ଭାରତ ବିପକ୍ଷରେ ସର୍ବାଧିକ ଶତକ ମାରିବାରେ ସେ ରିକି ପଣ୍ଟିଂଙ୍କୁ ପଛରେ ପକାଇବା ସହ ଜୋ ରୁଟ୍‌ଙ୍କ ସମକକ୍ଷ ହୋଇଥିଲେ। ସପ୍ତମ ସ୍ଥାନରେ ଆସିଥିବା ଆଲେକ୍ସ କ୍ୟାରି କିଛି ଉପଯୋଗୀ ପାଳି ଖେଳିଥିଲେ ବି ରବୀନ୍ଦ୍ର ଜାଦେଜା ତାଙ୍କୁ ଆଉଟ୍‌ କରିଥିଲେ। ଜାଦେଜାଙ୍କ ଛକା ମାରିବାର ପରବର୍ତୀ ବଲରେ ସେ ଏଲ୍‌ବିଡବଲ୍ୟୁ ହୋଇଯାଇଥିଲେ। ସିରାଜ (୨୮.୩-୪-୧୦୮-୪) ଦ୍ବିତୀୟ ୫ ୱିକେଟ୍‌ ସଫଳତାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ।

କୀର୍ତ୍ତିମାନଭରା ଭାଗୀଦାରି
ଦ ଓଭାଲ୍‌ରେ ଚତୁର୍ଥ ୱିକେଟ୍‌ ଭାଗୀଦାରିରେ ସ୍ମିଥ୍‌ ଓ ହେଡ୍‌ କୀର୍ତ୍ତିମାନ କରିଛନ୍ତି। ଡବ୍ଲୁଟିସି ଫାଇନାଲରେ ସର୍ବୋଚ୍ଚ ଭାଗୀଦାରି କରିବା ପରେ ‌ଓଭାଲ୍‌ରେ ମଧ୍ୟ ଏହା ଆଉଏକ କୀର୍ତ୍ତିମାନ ହୋଇଥିଲା। ଉଭୟଙ୍କ ମଧ୍ୟରେ ହୋଇଥିବା ୨୮୫ ରନ୍‌ର ଭାଗୀଦାରି ୮୭ ବର୍ଷର କୀର୍ତ୍ତିମାନକୁ ଟପିଯାଇଛି। ଓଭାଲ୍‌ରେ ୧୯୩୬ ମସିହାରେ ଭାରତ ବିପକ୍ଷରେ ଇଂଲଣ୍ଡ ବ୍ୟାଟର ୱାଲି ହାମଣ୍ଡ ଓ ଷ୍ଟାନ୍‌ ୱାର୍ଥିଙ୍ଗଟନ୍‌ଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍‌ରେ ୨୬୬ ରନ୍‌ ଭାଗୀଦାରି ହୋଇଥିଲା। ଏହାବ୍ୟତୀତ ଅଷ୍ଟ୍ରେଲିଆ ପାଇଁ ମଧ୍ୟ ଏହି ଯୋଡ଼ି ୯୩ ବର୍ଷର କୀର୍ତ୍ତିମାନକୁ ଭାଙ୍ଗିପାରିଛନ୍ତି। ପୂର୍ବରୁ ୧୯୩୦ ମସିହାରେ ଚତୁର୍ଥ ୱିକେଟ୍‌ରେ ଡନ୍‌ ବ୍ରାଡମ୍ୟାନ୍‌ ଓ ଆର୍ଚି ଜାକସନ୍‌ଙ୍କ ମଧ୍ୟରେ ହୋଇଥିବା ୨୪୩ ରନ୍‌ର ଭାଗୀଦାରିକୁ ସ୍ମିଥ୍‌-ହେଡ୍‌ ଟପିଯାଇଛନ୍ତି। ଏଥିସହିତ ଯେକୌଣସି ୱିକେଟ୍‌ରେ ଅଷ୍ଟ୍ରେଲିଆ ପାଇଁ ଉଭୟ ୧୧୧ ବର୍ଷର କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ୧୯୧୨ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲର୍ଡ୍ସରେ ୱାରେନ୍‌ ବାର୍ଡ୍ସଲେ ଓ ଚାର୍ଲ୍ସ କେଲାୱେଙ୍କ ମଧ୍ୟରେ ତୃତୀୟ ୱିକେଟ୍‌ରେ ୨୪୨ ରନ୍‌ର ଭାଗୀଦାରି ହୋଇଥିଲା।

ସମ୍ବନ୍ଧିତ ଖବର