ଲଣ୍ଡନ : କେନିଂଟନ ଓଭାଲଠାରେ ବୁଧବାରଠାରୁ ଆରମ୍ଭ ହୋଇଛି ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ । ଏହି ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସର୍ବଶେଷ ସୂଚନା ଅନୁସାରେ ଅଷ୍ଟ୍ରେଲିଆ ଦଳ ୯ ଓଭରରେ ଗୋଟିଏ ଓ୍ବିକେଟ ହରାଇ ୨୨ ରନ କରିଛି । ଡେଭିଡ୍ ଓ୍ବାର୍ନର ୧୩ ରନ ଓ ମାର୍ନସ ଲାବୁସଚେନ ୭ ରନ କରି ଖେଳୁଛନ୍ତି । ଦଳୀୟ ସ୍କୋର ୨ ରନ ହୋଇଥିବାବେଳେ ଓପନର ଉସମାନ ଖ୍ବାଜା ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ ।
ଆଜିର ମ୍ୟାଚରେ ଦୁଇ ଦଳର ଖେଳାଳି ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମୃତକଙ୍କ ପାଇଁ ମ୍ୟାଚ ଆରମ୍ଭ ପୂର୍ବରୁ ଦୁଇ ଦଳର ଖେଳାଳି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଏହାସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏହା ପରେ ଭାରତୀୟ ଦଳର ଖେଳାଳିମାନେ ନିଜ ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇ ଥିଲେ ।