ସିଡ୍‌ନି: ଆହତ ସମସ୍ୟା ଯୋଗୁଁ ଆଇପିଏଲ୍‌ ଆରମ୍ଭରୁ ସ୍ବଦେଶ ଫେରିଯାଇଥିବା ଅଷ୍ଟ୍ରେଲିଆର ଜୋସ୍‌ ହା‌େଜଲଉଡ୍‌ ଡବ୍ଲୁଟିସି ଫାଇନାଲ୍‌ ପାଇଁ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। କ୍ରିକେଟ୍‌ ଅଷ୍ଟ୍ରେଲିଆ ହା‌େଜଲଉଡ୍‌ଙ୍କୁ ଫିଟ୍‌ ଘୋଷଣା କରିବାକୁ ସେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇପାରିଥିବା ଆଇସିସି ପକ୍ଷରୁ ଜାରି ଅଷ୍ଟ୍ରେଲିଆ ଖେଳାଳି ତାଲିକାରୁ ସ୍ପଷ୍ଟ ହୋଇଛି। ତାଙ୍କ ବ୍ୟତୀତ ଅଧିନାୟକ ପ୍ୟାଟ୍‌ କମିନ୍ସ, ସ୍କଟ୍‌ ବୋଲାଣ୍ଡ ଓ ମିଚେଲ୍‌ ଷ୍ଟାର୍କ ଦଳରେ ବିଶେଷଜ୍ଞ ଦ୍ରୁତ ବୋଲର ଭାବେ ସାମିଲ ହୋଇଛନ୍ତି। ପ୍ରଥମରୁ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇଥିବା ଅଲରାଉଣ୍ଡର ଭାବେ ମିଚେଲ୍‌ ମାର୍ଶ ଓ ବ୍ୟାଟର ମାଥ୍ୟୁ ରେନସଙ୍କୁ ଚୂଡ଼ାନ୍ତ ଦଳରୁ ବାଦ୍‌ ଦିଆଯାଇଛି।

Advertisment

ଭାରତ ଏହାର ଖେଳାଳି ତାଲିକା ତିନି ସପ୍ତାହ ପୂର୍ବରୁ ଘୋଷଣା କରିଛି। କେବଳ ୱିକେଟ୍‌ରକ୍ଷକ କେଏଲ୍‌ ରାହୁଲ ଆହତ ହେବା ରେ ତାଙ୍କ ସ୍ଥାନରେ ଈଶାନ କିଶନଙ୍କୁ ବଦଳ ଖେଳାଳି ଭାବେ ଘୋଷଣା କରାଯାଇଥିଲା। ସେହିପରି ଷ୍ଟାଣ୍ଡବାଇ ଭାବେ ଯଶସ୍ବୀ ଜୟସ୍ବାଲ୍‌, ମୁକେଶ କୁମାର ଓ ସୂର୍ଯ୍ୟକୁମାର ଯାଦବଙ୍କୁ ରଖାଯାଇଛି। ଯଦିବି କୌଣସି ଖେଳାଳି ଆହତ ହୁଅନ୍ତି, ତାହେଲେ ଆଇସିସି ବୈଷୟିକ ସମିତିର ଅନୁମୋଦନ ପରେ ଷ୍ଟାଣ୍ଡବାଇ ଖେଳାଳି ତାଙ୍କ ସ୍ଥାନ ନେଇପାରିବେ। ଦ୍ବିତୀୟ ଥର ଫାଇନାଲ୍‌ ଖେଳୁଥିବା ଭାରତ ଏବଂ ପ୍ରଥମ ଥର ଏହି ସ୍ଥାନରେ ପହଞ୍ଚିଥିବା ଅଷ୍ଟ୍ରେଲିଆ ପ୍ରଥମ ଟ୍ରଫି ହାତେଇବା ଲକ୍ଷ୍ୟରେ ଅଛନ୍ତି। ‌ଫାଇନାଲ୍‌ ଖେଳିସାରିବା ପରେ ଅଷ୍ଟ୍ରେଲିଆ ସିଧାସଳଖ ଏଜ୍‌ବାଷ୍ଟନ୍‌ ଚାଲିଯିବ। ସେଠାରେ ଜୁନ୍‌ ୧୬ରୁ ଆରମ୍ଭ ହେଉଥିବା ଆସେସ୍‌ ଶୃଙ୍ଖଳାରେ ଇଂଲଣ୍ଡ ସହିତ ମ୍ୟାଚ୍‌ ଖେଳିବ।

ଅଷ୍ଟ୍ରେଲିଆ ଦଳ: ପ୍ୟାଟ୍‌ କମିନ୍ସ (ଅଧିନାୟକ), ସ୍କଟ୍‌ ବୋଲାଣ୍ଡ, ଆଲେକ୍ସ କ୍ୟାରି, କାମେରନ୍‌ ଗ୍ରିନ୍‌, ମାର୍କସ ହାରସ୍‌, ଜୋସ୍‌ ହା‌େଜଲଉଡ୍‌, ‌ଟ୍ରାଭିସ୍‌ ହେଡ୍‌, ଜୋସ୍‌ ଇଙ୍ଗଲିସ୍‌, ଉସ୍ମାନ୍‌ ଖୱାଜା, ମାର୍ନସ ଲବୁସାନ୍‌, ନାଥନ୍‌ ଲାୟନ, ଟଡ୍‌ ମର୍ଫି, ଷ୍ଟିଭ୍‌ ସ୍ମିଥ୍, ମିଚେଲ୍‌ ଷ୍ଟାର୍କ, ଡେଭିଡ୍‌ ୱାର୍ଣ୍ଣର।