ଲର୍ଡସ: ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଐତିହାସିକ ଲର୍ଡସ ପଡ଼ିଆରେ ଆରମ୍ଭ ହୋଇଥିବା ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍‌ଲ୍ୟୁଟିସି) ଫାଇନାଲ୍‌ର ପ୍ରଥମ ଦିନରେ ବୋଲର୍‌ଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକାର ଶାଣିତ ବୋଲିଂରେ ଘାଇଲା ହୋଇ ଗତଥର ବିଜେତା ଅଷ୍ଟ୍ରେଲିଆ ତା’ର ପ୍ରଥମ ପାଳିରେ ମାତ୍ର ୨୧୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। କାଗିସୋ ରବାଡ଼ା ୫ ୱିକେଟ୍ ନେଇ କଙ୍ଗାରୁ ଦଳର ବିପର୍ଯ୍ୟୟ ଘଟାଇଛନ୍ତି। ଅଲରାଉଣ୍ଡର୍ ମାର୍କୋ ୟାନସେନ୍‌ ୩ ୱିକେଟ୍‌ର ଉପଯୋଗୀ ଅବଦାନ ରଖିଛନ୍ତି। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଷ୍ଟମ୍ପ୍ସ ବେଳକୁ ୨୨ ଓଭର୍‌ରେ ୪୩ ରନ୍‌ରେ ୪ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଐଦେନ ମାର୍କରାମ (୦),  ରିଆନ ରିକେଲଟନ୍‌ (୧୬), ୱିଆନ୍‌ ମୁଲ୍‌ଡର୍‌ (୬) ଓ ତ୍ରିଷ୍ଟନ୍‌ ଷ୍ଟପ୍‌ସ (୨) ଆଉଟ୍‌ ହୋଇଥିଲେ। ମିଚେଲ୍‌ ଷ୍ଟାର୍କ ଦୁଇଟି ୱିକେଟ୍‌ ନେଇଛନ୍ତି। 

Advertisment

ବୁଧବାର ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା। ଉସ୍‌ମାନ ଖୱଜା (୦) ଓ କାମେରନ ଗ୍ରିନ୍‌ (୪)ଙ୍କୁ କାଗିସୋ ରବାଡ଼ା ଆଉଟ୍‌ କରି ‌ଅଷ୍ଟ୍ରେଲିଆକୁ ଯୁଗଳ ଝଟ୍‌କା ଦେଇଥିଲେ। ଏହାପରେ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ଅଷ୍ଟ୍ରେଲିଆ ୫୬.୪ ଓଭରରେ ଅଟକି ଯାଇଥିଲା। ବେନ୍‌ ‌ୱେବ୍‌ଷ୍ଟର (୭୨) ଓ ଷ୍ଟିଭ୍‌ ସ୍ମିଥ୍‌ (୬୬) ଅର୍ଦ୍ଧଶତକ କରିବାରୁ ଦଳ ୨୦୦ ରନ୍‌ ପାର୍‌ କରିବାକୁ ସକ୍ଷମ ହୋଇଥିଲା। ଏମାନଙ୍କ ବାଦ୍‌ ଆଲେକ୍ସ କ୍ୟାରି (୨୩), ମାର୍ନସ ଲବୁସାନେ (୧୭) ଓ ଟ୍ରାଭିସ ହେଡ୍‌ (୧୧) କେବଳ ଦୁଇ ଅଙ୍କ ଛୁଇଁ ପାରିଥିଲେ।  ଓପନର୍‌ ଉସ୍‌ମାନ ଖୱାଜା ୨୦ଟି ବଲ୍‌ ସମ୍ମୁଖୀନ ହେବା ସତ୍ତ୍ବେ ଖାତା ଖୋଲି ନପାରିବା ଉଲ୍ଲେଖନୀୟ ରହିଥିଲା।

ସଂକ୍ଷିପ୍ତ ସ୍କୋର୍‌: ଅଷ୍ଟ୍ରେଲିଆ ପ୍ରଥମ ପାଳି ୫୬.୪ ଓଭରରେ ୨୧୨ (ବେନ୍‌ ‌ୱେବ୍‌ଷ୍ଟର ୭୨, ଷ୍ଟିଭ୍‌ ସ୍ମିଥ୍‌ ୬୬, କାଗିସୋ ରବାଡ଼ା ୫/୫୧, ମାର୍କୋ ୟାନସେନ ୩/୪୯)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି ୨୨ ଓଭର୍‌ରେ ୪୩/୪ (ରିଆନ୍‌ ରିକେଲ୍‌ଟନ୍‌ ୧୬, ମିଚେଲ୍‌ ଷ୍ଟାର୍କ ୨/୧୦, ପ୍ୟାଟ୍‌ କମିନ୍ସ ୧/୧୪, ଜୋସ୍‌ ହାଜେଲ୍‌ଉଡ୍‌ ୧/୧୦)।