ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ : ଟ୍ରାଭିସ ହେଡଙ୍କ ଶତକ, ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୩୨୭/୩

ଲଣ୍ଡନ : କେନିଙ୍ଗଟନ ଓଭାଲଠାରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚର ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୩ ଓ୍ବିକେଟରେ ୩୨୭ ରନକରିଛି । ପ୍ରଥମ ଦିନର ମୁଖ୍ୟ ଆକର୍ଷଣ ଥିଲା ଟ୍ରାଭିସ ହେଡଙ୍କ ବିସ୍ଫୋରକ ୧୪୬ରନ ଓ ଷ୍ଟିଭେନ ସ୍ମିଥଙ୍କ ୯୫ରନ ।

ଅଷ୍ଟ୍ରେଲିଆ ଦଳ ଆରମ୍ଭରୁ ଉସମାନ ଖ୍ବାଜାଙ୍କ ଓ୍ବିକେଟ ହରାଇଥିଲା । ପରେ ଡେଭିଡ ଓ୍ବାର୍ନର ୪୩ ଓ ମାର୍ନସ ଲାବୁସଚାନ ୨୬ରନ କରି ଆଉଟ ହୋଇଥିଲେ । ତେବେ ସ୍ମିଥ ଓ ହେଡଙ୍କ ମଧ୍ୟରେ ହୋଇଥିବା ବଡ଼ ପାର୍ଟନରସିପ ଯୋଗୁଁ ଅଷ୍ଟ୍ରେଲିଆ ମଝବୁତ ସ୍ଥିତିରେ ପହଞ୍ଚିଯାଇଛି । ଭାରତ ପକ୍ଷରୁ ମହମ୍ମଦ ସମି, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆଜିର ମ୍ୟାଚ ପୂର୍ବରୁ ଦୁଇ ଦଳର ଖେଳାଳି ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ମୃତକଙ୍କ ପାଇଁ ମ୍ୟାଚ ଆରମ୍ଭ ପୂର୍ବରୁ ଦୁଇ ଦଳର ଖେଳାଳି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଏହାସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ଏହା ପରେ ଭାରତୀୟ ଦଳର ଖେଳାଳିମାନେ  ନିଜ ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇ ଥିଲେ ।

ସମ୍ବନ୍ଧିତ ଖବର