ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ରେ ଭାରତୀୟ କ୍ରିକେଟ୍ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଓ ନିମ୍ନ ମାନର ଥିଲା। ବିଶେଷ କରି ଦଳର ବ୍ୟାଟିଂକ୍ରମ କ୍ଲବ୍ ସ୍ତରୀୟ ଦଳ ଭଳି ପ୍ରତୀୟମାନ ହୋଇଥିଲା। ଅନୁଶାସନ ହୀନ ଓ ଦୁର୍ବଳ ସଟ୍ ଚୟନଠାରୁ ଆରମ୍ଭ କରି ଉଭୟ ପାଳିରେ ଚେତେଶ୍ବର ପୂଜାରା ଓ ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ବିଫଳତା ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଥିଲା। ଫଳରେ ବୋଲରଙ୍କ ଉପରେ ମାତ୍ରାଧିକ ଚାପ ସୃଷ୍ଟି ହୋଇଥିଲା। ୫ ଜଣ ବିଶେଷଜ୍ଞ ବୋଲରଙ୍କ ମଧ୍ୟରୁ କେବଳ ୩ ଜଣ ସିଂହଭାଗ ବୋଲିଂ କରିଥିଲେ। ଦଳ ପାଖରେ ଏକ ଦ୍ରୁତ ବୋଲର ଅଲରାଉଣ୍ଡରଙ୍କ ଅଭାବ ଥିଲା। ଏସବୁର ଫାଇଦା ନ୍ୟୁଜିଲାଣ୍ଡ ପାଇଥିଲା। ସପ୍ତାହକ ଭିତରେ ଭାରତଠାରୁ ବିଶ୍ବ ଟେଷ୍ଟ୍ ମାନ୍ୟତାର ଏକ ନମ୍ବର ସ୍ଥାନ ଏବଂ ଡବ୍ଲ୍ୟୁଟିସି ଟ୍ରଫି ଛଡ଼ାଇ ନେଇଥିଲା। ତେବେ ବିସିସିଆଇ ମଧ୍ୟ ଏଥିଲାଗି ଅନେକାଂଶରେ ଦାୟୀ। ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ କୌଣସି ଅଭ୍ୟାସ ମ୍ୟାଚ୍ ନଖେଳିବା ବି ଭାରତ ପରାଜୟର ଅନ୍ୟ ଏକ ବଡ଼ କାରଣ। ଏସବୁ ସମସ୍ୟା ଦୂର ନହେଲେ ଇଂଲଣ୍ଡ ବିପକ୍ଷ ୫ଟିକିଆ ଟେଷ୍ଟ୍ ଶୃଙ୍ଖଳାରେ ମଧ୍ୟ ଭାରତ ସଂଘର୍ଷ କରିବ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଭାରତ ପରାଜୟର ଅନ୍ୟ ସମ୍ଭାବ୍ୟ କାରଣ ଉପରେ ଆସନ୍ତୁ ନଜର ପକାଇବା।
ବିତର୍କିତ ଦଳ ଚୟନ
ଭାବିବା ଲାଗି ଗୋଟିଏ ଅତିରିକ୍ତ ଦିନ ମିଳିବା ସତ୍ତ୍ବେ ଭାରତ ତିନି ଜଣ ଦ୍ରୁତ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଏମାନଙ୍କ ପ୍ରମୁଖ ଶକ୍ତି ମଧ୍ୟ ସୁଇଂ ବୋଲିଂ ନୁହେଁ। ସେହିଭଳି ଦୁଇଜଣ ସ୍ପିନରଙ୍କୁ ଖେଳାଇବା ଦଳ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଟିମ୍ ସାଉଦି, କାଇଲ୍ ଜାମିସନ୍ ପିଚ୍ରୁ ମିଳୁଥିବା ସହାୟତା ପାଇଁ ନିଜ ସୁଇଂ ବୋଲିଂରେ ହିଁ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ଘାଇଲା କଲେ। ରବୀନ୍ଦ୍ର ଜାଦେଜାଙ୍କୁ ସେତେଟା ବୋଲିଂ ମିଳିଲାନି। ଏଣୁ ତାଙ୍କୁ ଖେଳାଇବାର କୌଣସି ଯଥାର୍ଥତା ନଥିଲା। ଭାରତୀୟ ଏକାଦଶରେ ମହମ୍ମଦ ସିରାଜଙ୍କ ଭଳି ଜଣେ ବୋଲର ଥିଲେ ନିଶ୍ଚିତ ଭଲ ହୋଇଥା’ନ୍ତା।
ଦ୍ରୁତ ବୋଲିଂ ଅଲରାଉଣ୍ଡରର ଅଭାବ
ଯେ କୌଣସି ଦଳ ପାଇଁ ଦ୍ରୁତ ବୋଲିଂ ଅଲରାଉଣ୍ଡର ସବୁବେଳେ ମ୍ୟାଚ୍ ବିଜୟୀ ହୋଇଥା’ନ୍ତି। ଭାରତ ପାଖରେ କିନ୍ତୁ ସଂପ୍ରତି ଜଣେ ହେଲେ ବି ଏଭଳି ଖେଳାଳି ନାହାନ୍ତି। ହାର୍ଦିକ ପାଣ୍ଡ୍ୟା ଆହତ ହେବା ପରେ ବୋଲିଂ ନକରିବା ହିଁ ଦଳର ସନ୍ତୁଳନକୁ ବିଗାଡ଼ି ଦେଇଛି। ସେହିଭଳି ଭାରତ ମଧ୍ୟ ଶାର୍ଦୁଳ ଠାକୁରଙ୍କ ଅନୁପସ୍ଥିତିକୁ ଅନୁଭବ କରିଥିଲା। ଶାର୍ଦୁଳ ଭଲ ବୋଲିଂ କରିବା ସହ ବ୍ୟାଟିଂ କରିବାର ଦକ୍ଷତା ବି ରଖନ୍ତି। ଅଷ୍ଟ୍ରେଲିଆ ଶୃଙ୍ଖଳାରେ ସେ ଏହା କରି ଦେଖାଇଥିଲେ। ଇଂଲଣ୍ଡ ଶୃଙ୍ଖଳାରେ ସେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରିବେ।
ପୂଜାରା, ରାହାଣେଙ୍କ ବିଫଳତା
ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ବ୍ୟାଟିଂ ହିଁ ପ୍ରମୁଖ ପାର୍ଥକ୍ୟ ଥିଲା। ଗତ କିଛି ସମୟ ହେବ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ବର ପୂଜାରା ବଡ଼ ପାଳି ପାଇଁ ସଂଘର୍ଷ କରୁଛନ୍ତି। ବିଶେଷ କରି ପୂଜାରାଙ୍କଠାରୁ ଯାହା ଆଶା କରାଯାଏ ତାହା ସେ କହି ପାରୁନାହାନ୍ତି। ମେଲବର୍ଣ୍ଣରେ ଶତକ ଛଡ଼ା ରାହାଣେ ଅଧିକାଂଶ ମ୍ୟାଚ୍ରେ ବିଫଳ ହୋଇ ଚାଲିଛନ୍ତି। ପୂଜାରା ଶେଷଥର ପାଇଁ ୨୦୧୯ ଜାନୁଆରିରେ ଅଷ୍ଟ୍ରେଲିଆରେ ଶତକୀୟ ପାଳି ଖେଳିଥିଲେ।
ପ୍ରଭାବହୀନ ବୁମ୍ରା
ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ଫର୍ମ ହରାଇଲା ଭଳି ମନେ ହେଉଛନ୍ତି। ସେ ୱିକେଟ୍ ନ ନେବା ଭାରତ ପାଇଁ ଏକ ଶକ୍ତ ଧକ୍କାଠାରୁ କିଛି କମ୍ ନୁହେଁ। ଈଶାନ୍ତ ଓ ସାମି ସବୁଭାର ନେଉଛନ୍ତି। ଯାହା ଭାରତ ପାଇଁ ଆଦୌ ଭଲ ଖବର ନୁହେଁ। ପୂରା ମ୍ୟାଚ୍ରେ ବୁମ୍ରା ୩୬.୪ ଓଭର ବୋଲିଂ କରି ଗୋଟିଏ ହେଲେ ବି ୱିକେଟ୍ ନେଇ ନଥିଲେ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲିଂ ଅଲରାଉଣ୍ଡରଙ୍କ ଖାତାକୁ ଭାରତର ଏକାଧିକ ମୂଲ୍ୟବାନ ୱିକେଟ୍ ଯାଇଥିଲା।
ଡବ୍ଲ୍ୟୁଟିସି ଫାଇନାଲ୍: ପରାଜୟ ଅପ୍ରତ୍ୟାଶିତ ନୁହେଁ, ଇତିହାସର ପୁନରାବୃତ୍ତି
/sambad/media/post_attachments/wp-content/uploads/2021/06/f5g4hfs4h56fs456fshfshfhsfhsfshfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)