ଡବ୍ଲ୍ୟୁଟିସି ଫାଇନାଲ୍ ୧୮ରୁ: ଅନ୍ତଃଦଳ ୪ ଦିନିଆ‌ ଅଭ୍ୟାସ ମ୍ୟାଚ୍‌ ଖେଳିଲେ ଭାରତୀୟ ଖେଳାଳି

ସାଉଥମ୍ପଟନ୍‌ : ନ୍ୟୁଜିଲାଣ୍ଡ୍‌ ବିପକ୍ଷ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ପୂର୍ବରୁ ଭାରତୀୟ ଖେଳାଳିମାନେ ୪ ଦିନିଆ ଅନ୍ତଃଦଳ ଅଭ୍ୟାସ ମ୍ୟାଚ୍‌ ଖେଳୁଛନ୍ତି। କୋହଲି ବାହିନୀ ନିଜ ନିଜ ମଧ୍ୟରେ ଦୁଇ ଦଳରେ ବାଣ୍ଟିହୋଇ ଏହି ମ୍ୟାଚ୍‌ ଖେଳି ପ୍ରସ୍ତୁତି ଚଳାଇଛନ୍ତି। ଗତ ମେ’ ୪ ତାରିଖରେ ଆଇପିଏଲ୍‌ ବନ୍ଦ ରହିବା ପରଠୁ ପ୍ରାୟ ୧ ମାସ ଧରି କୌଣସି କ୍ରିକେଟ୍‌ ଖେଳିନଥିବା ଭାରତୀୟ ଦଳ ପାଇଁ ଏହି ୪ ଦିନିଆ ମ୍ୟାଚ୍‌ ହିଁ ପ୍ରମୁଖ ପ୍ରସ୍ତୁତି ହେବ। ଏହି ଅଭ୍ୟାସ ମ୍ୟାଚ୍‌ ବନ୍ଦ ଦ୍ବାର ମଧ୍ୟରେ ଖେଳାଯାଉଛି। ଏହା ହିଁ ଚମତ୍କାର ଫର୍ମରେ ଥିବା କେନ୍‌ ୱିଲିୟମ୍‌ସନ୍‌ଙ୍କ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ ଦଳ ବିପକ୍ଷରେ ଡବ୍ଲୁଟିସି ଫାଇନାଲ୍‌ ଖେଳିବା ପାଇଁ ସହାୟକ ହେବ। କାରଣ ନ୍ୟୁଜିଲାଣ୍ଡ ଏବେ ଘରୋଇ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍‌ ଶୃଙ୍ଖଳା ଖେଳୁଛି ଏବଂ ପରିବେଶ ସହ ଖାପଖୁଆଇ ନିଜକୁ ପ୍ରସ୍ତୁତି କରିପାରିଛି। ୪ ଦିନିଆ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରସ୍ତୁତି ସେସନ୍‌ର ଭିଡିଓ ସେୟାର କରିଛି। ମ୍ୟାଚ୍‌ ଅଭ୍ୟାସର ଅଭାବ ହିଁ ଭାରତୀୟ ଦଳ ପାଇଁ ସମସ୍ୟା ହୋଇପାରେ ବୋଲି ପୂର୍ବତନ ଭାରତୀୟ କ୍ରିକେଟର୍‌ ଦିଲିପ ଭେଙ୍ଗସର୍‌କାର କହିସାରିଛନ୍ତି।

ଉଭୟ ଡବ୍ଲୁଟିସି ଫାଇନାଲ୍‌ ସାଙ୍ଗକୁ ଘରୋଇ ଦଳ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବା ପାଇଁ ଲମ୍ବା ୪ ମାସର ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଦଳରେ ୫ ଷ୍ଟାଣ୍ଡ୍‌ ବାଇ ଖେଳାଳିଙ୍କ ସହ ମୋଟ ୨୫ ଜଣ ରହିଛନ୍ତି। ୪ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ବିରାଟ କୋହଲି ଗୋଟିଏ ଦଳର ନେତୃତ୍ବ ନେଉଥିଲା ବେଳେ ଉପଅଧିନାୟକ ଆଜିଙ୍କ୍ୟ ରହାଣେ ଅନ୍ୟ ଦଳର ନେତୃତ୍ବ ନେଉଛନ୍ତି। ଏହି ମ୍ୟାଚ୍‌ ମୟଙ୍କ ଅଗ୍ରୱାଲ, କେଏଲ୍‌ ରାହୁଲ, ଶୁଭମନ ଗିଲ୍‌ଙ୍କୁ ସେମାନଙ୍କ ଫର୍ମର ପ୍ରମାଣ ଦେଇ ଚୂଡାନ୍ତ ଏକାଦଶରେ ସାମିଲ ହେବାର ସୁଯୋଗ ଦେବ। ଗିଲ୍‌ ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିଥିବାରୁ ଦଳରେ ସାମିଲ ହୋଇଥିଲା ବେଳେ ଉଭୟ ମଙ୍ଗଙ୍କ ଓ ରାହୁଲ ଆଇପିଏଲ୍‌ ପ୍ରଦର୍ଶନ ଭିତ୍ତିରେ ଫେରିଛନ୍ତି। ପୁଣି ଗତ ଅଷ୍ଟ୍ରେଲିଆ ଶୃଙ୍ଖଳା ବେଳରୁ ଆହତ ହୋଇ ଦଳରୁ ବାଦ୍‌ ପଡ଼ିଥିବା ରବୀନ୍ଦ୍ର ଜାଦେଜାଙ୍କୁ ମଧ୍ୟ ଅଭ୍ୟାସ ମାଚ୍‌ ଜରିଆରେ ଫିଟ୍‌ନେସ୍‌ ପ୍ରମାଣ କରିବାର ସୁଯୋଗ ରହିବ।

ସାମିଙ୍କ ବାଉଁସରରେ କୋହଲି ଘାଇଲା
ତେବେ ଅନ୍ତଃଦଳ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ସେସନ୍‌ରେ ଅଧିନାୟକ ବିରାଟ କୋହଲି ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବାଉଁସରରେ ଘାଇଲା ହୋଇଛନ୍ତି। ବୁଧବାର ଯଶ୍‌ପ୍ରିତ୍‌ ବୁମ୍‌ରା, ସାମି, କୋହଲି ଓ ରାହାଣେ ମିଳିତ ଅଭ୍ୟାସ ଚଳାଇଥିଲା ବେଳେ ଏଭଳି ଘଟଣା ଘଟିଛି। ଆଜ୍‌ତକ୍‌ର ଅଫିସି୍ଆଲ ୟୁଟ୍ୟୁବ୍‌ ଚାନେଲରେ ଏକ ଭିଡିଓ କ୍ଲିପ୍‌ରୁ କୋହଲିଙ୍କ ଆହତ ଖବର ଭାଇରାଲ ହେବାରେ ଲାଗିଛି। ବିଶେଷଜ୍ଞ ଦଳଙ୍କ ସହ ଏନେଇ ଆଲୋଚନା‌ ହୋଇଥିବା ଆଜ୍‌ତକ୍‌ ସାମ୍ବାଦିକ ରିପୋର୍ଟ କରିଛନ୍ତି। ଯଦି ଏଭଳି ରିପୋର୍ଟକୁ ବିଶ୍ବାସ କରାଯାଏ ତାହାଲେ ଆହତ ଯୋଗୁଁ ୪ରୁ ୬ ସପ୍ତାହ ପାଇଁ କୋହଲି ବାହାରେ ରହିବେ। ଫଳରେ ଆଉ ଗୋଟିଏ ସପ୍ତାହ ପରେ ଆରମ୍ଭ ହେବାକୁ ଯାଉଥିବା ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଝଟ୍‌କା ହେବ। ଅବଶ୍ୟ କୋହଲିଙ୍କ ଆହତ ସଂପର୍କରେ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ତେଣୁ ଭାରତୀୟ ପ୍ରଶଂସକମାନେ ଧୈର୍ଯ୍ୟର ସହ ଫାଇନାଲ୍‌ ମ୍ୟାଚ୍‌କୁ ଅପେକ୍ଷା କରିଛନ୍ତି।

ଟ୍ରଫି ଲଢ଼େଇ ପାଇଁ ଟିମ୍ ଇଣ୍ଡିଆର ପ୍ରସ୍ତୁତି ଜୋର୍‌ଦାର
ବହୁ ପ୍ରତୀକ୍ଷିତ ଆଇସିସି ବିଶ୍ବ ଟେ‌ଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଏବେ ସପ୍ତାହକ ଭିତରେ ଆରମ୍ଭ ହେବାକୁ ଯାଉଛି। ଏଜିସ୍ ବାଉଲ୍‌ରେ ଆସନ୍ତା ଶୁକ୍ରବାରଠାରୁ ଏହା ଖେଳାଯିବା। ଭାରତ ସମ୍ମୁଖରେ ରହିଛି ନ୍ୟୁଜିଲାଣ୍ଡ୍‌। ବିରାଟ କୋହଲିଙ୍କ ଦଳ ଜୁନ୍ ୩ ତାରିଖରେ ପହଞ୍ଚିଥିଲେରାହୁଲଙ୍କ ସହ ଇଂଲଣ୍ଡ‌ରେ ଆଥିୟା! ମଧ୍ୟ ଗୁରୁବାରଠାରୁ ସମୂହ ଅଭ୍ୟାସ ଆରମ୍ଭ କରିଛନ୍ତି। ଦ୍ବିତୀୟ ଦିବସ ପାଇଁ ମଧ୍ୟ ଦଳ ଅଭ୍ୟାସକୁ ଜୋରଦାର କରିଛି। ମ୍ୟାଚ୍‌ ପ୍ରାକ୍ଟିସ୍‌ର ଅଭାବ ଥିବାରୁ ଭାରତୀୟ ଖେଳାଳିମାନେ ଅତିରିକ୍ତ ସମୟ ନେଇ ଡବ୍‌ଲ୍ୟୁଟିସି ଫାଇନାଲ୍ ପାଇଁ ନିଜ ନିଜକୁ ଶାଣିତ କରିବାରେ ଲାଗିଛନ୍ତି। ସାଉଥାମ୍ପଟନ୍‌ ପହଞ୍ଚିବା ପରେ ଭାରତୀୟ ଖେଳାଳିମାନେ କଠୋର ସଙ୍ଗରୋଧ ଭିତରେ ରହିଥିଲେ। ବାରମ୍ବାର କୋଭିଡ୍‌ ଟେଷ୍ଟ୍ ମଧ୍ୟ ଦେବାକୁ ପଡୁଛି। ଶୁକ୍ରବାର ବିସିସିଆଇ ମଧ୍ୟ ଏକ ଭିଡିଓ ଛାଡ଼ି ଲେଖିଛି ‘ଟିମ୍‌ ଇଣ୍ଡିଆ ଡବୁଲ୍ୟଟିସି ଫାଇନାଲ୍‌ ପାଇଁ ସୁଡ଼ଙ୍ଗ ଭିତରେ ରହିଛି’। ଅବଗଣନା ସପ୍ତା‌ହେ ଭିତରକୁ ଆସିଯାଇଛି। ନ୍ୟୁଜିଲାଣ୍ଡ୍‌କୁ ମୁକାବିଲା କରିବାକୁ ଭାରତ ମଧ୍ୟ ପ୍ରସ୍ତୁତ ରହିଛି ବୋଲି ବିସିସିଆଇ କହିଛି। ଇଂଲଣ୍ଡ ଗସ୍ତ ପୂର୍ବରୁ କିନ୍ତୁ ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ ଆଇସିସି ଡବୁଲ୍ୟଟିସି ଫାଇନାଲକୁ ୩ ମ୍ୟାଚ୍ ବିଶିଷ୍ଟ କରିବା ଉଚିତ ଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍ ଦଳ କିନ୍ତୁ ‌ଯଥେଷ୍ଟ ପୂର୍ବରୁ ଇଂଲଣ୍ଡରେ ରହି ଅଭ୍ୟାସ ମ୍ୟାଚ୍‌ ସହ‌ ଏବେ ଘରୋଇ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ଶୃଙ୍ଖଳାରେ ବ୍ୟସ୍ତ ଥିବାରୁ ଫାଇନାଲ୍ ମ୍ୟାଚ୍‌ ପୂର୍ବରୁ ଭଲ ଅଭ୍ୟାସ ପାଇଛି।

ସମ୍ବନ୍ଧିତ ଖବର