ଡବ୍ଲ୍ୟୁଟିସି ଫାଇନାଲ୍: ନ୍ୟୁଜିଲାଣ୍ଡ୍ ଦଳକୁ ଆଇସିସିର ପ୍ରଶଂସା

ସାଉଥାମ୍ପଟନ୍‌ : ଏକ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲରେ ଭାରତକୁ ୮ ୱିକେଟରେ ହରାଇ ପ୍ରଥମ ବିଶ୍ବ ଟେ‌ଷ୍ଟ୍ ଚାମ୍ପିଅନ୍‌ସିପ୍‌ର ବିଜେତା ହୋଇଥିବା ନ୍ୟୁଜିଲାଣ୍ଡ୍‌ ଦଳକୁ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଶୁକ୍ରବାର ଅଭିନନ୍ଦନ ଜଣାଇଛି। ବିଗତ କିଛି ବର୍ଷ ଭିତରେ ଆଇସିସି ଟ୍ରଫି ଜିତିବାର ନିକଟତର ହୋଇଥିଲେ ମଧ୍ୟ ଏହି ବ୍ଲାକ୍‌କ୍ୟାପ୍‌ ଦଳ ଫାଇନାଲରେ ଅଟକି ଯାଉଥିଲା। ଏବେ ତାହା ଦୂର ହୋଇଛି। ୨୦୧୫ ଏବଂ ୨୦୧୯ ଦିନିକିଆ ବିଶ୍ବକପ୍‌ରେ ଲଗାତାର ଫାଇନାଲ୍ ଖେଳିଥିଲେ ମଧ୍ୟ ଉଭୟ ଥର ଯଥାକ୍ରମେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ନିକଟରୁ ହାରି ଉପ ବିଜେତା ରହିଥିଲା। ଏବେ ଏହି ଦେଶର ବହୁ ପ୍ରତୀକ୍ଷିତ ସ୍ବପ୍ନ ସାକାର ହୋଇଛି।

ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଓଫ୍ ଆଲାର୍ଡିସ୍‌ କହିଛନ୍ତି ‘ପ୍ରଥମ ବିଶ୍ବ ଟେଷ୍ଟ୍ ବିଜେତା ଦଳକୁ ମୁଁ ଅଭିନନ୍ଦନ ଜଣାଉଛି, ବ୍ଲାକ୍ କ୍ୟାପ୍‌ ଦଳ ବିଶ୍ବର ଶ୍ରେଷ୍ଠ ଦଳ ହେବାକୁ ଆବଶ୍ୟକ ଦକ୍ଷତା ଓ ମନୋଭାବର ନିଖୁଣ ନିଦର୍ଶନ ଦେଖାଇଥିଲା। ଭାରତୀୟ ଦଳକୁ ମଧ୍ୟ ସ୍ଥିର ପ୍ରଦର୍ଶନ ଦେଇ ଫାଇନାଲ୍‌ ଆସିଥିବାରୁ ଅଭିନନ୍ଦନ ଜଣାଉଛି।’’ ଫାଇନାଲରେ ମଧ୍ୟ ଭାରତ ବିଜୟର ନିକଟତର ହୋଇପାରିଥିଲା। ଉଭୟ ଦଳ କ୍ରିକେଟ୍ ପଡିଆରେ ଦେଖାଇଥିବା କ୍ବାଲିଟି ପାଇଁ କ୍ରିକେଟ୍ ପ୍ରଶଂସକମାନେ ଟେଷ୍ଟ୍ କ୍ରିକେଟକୁ ଲମ୍ବା ସମୟ ପାଇଁ ମନେ ରଖିବେ। ଖେଳ ଭାବନା ଏବଂ ପରସ୍ପର ପ୍ରତି ଉପଯୁକ୍ତ ସମ୍ମାନ କାରଣରୁ ମଧ୍ୟ ଉଭୟ ଦଳ ମନେ ରହିବେ। ପ୍ରଥମ ସଂସ୍କରଣ ଟେଷ୍ଟ୍ ଚାମ୍ପିଅନସିପ୍‌ ସଫଳତାର ସହ ସମାପିତ ହୋଇଥିବାରୁ ଏହା ଖୁସିର କଥା। ବିଗତ ୨ ବର୍ଷ ହେବ ଟେଷ୍ଟ୍ କ୍ରିକେଟ୍ ଏହାର ଗୁରୁତ୍ବକୁ ବଢ଼ାଇଥିଲା ବୋଲି ଆଲାର୍ଡିସ୍ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର