ଡବ୍ଲ୍ୟୁଟିସି ଫାଇନାଲ: ରେଟ୍ରୋ ଲୁକ୍‌ରେ ଖେଳିବ ଭାରତ, ଏକାନ୍ତବାସରେ ରହିବ କୋହଲି ବାହିନୀ

ପାନେସାର ବାଛିଲେ ସମ୍ଭାବ୍ୟ ଭାରତୀୟ ଏକାଦଶ, ଲଣ୍ଡନ ଅଭିମୁଖେ ବାହାରିଲା ନ୍ୟୁଜିଲାଣ୍ଡ୍‌

ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ‌ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ରେ ଭାରତୀୟ କ୍ରିକେଟ୍ ଦଳ ରେଟ୍ରୋ ଲୁକ୍‌ରେ ପଡ଼ିଆକୁ ଓହ୍ଲାଇବ। ବାମହା‌ତୀ ସ୍ପିନ୍ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଫଟୋ ପ୍ରକାଶ କରି ପ୍ରଶଂସକଙ୍କୁ ଏହାର ଝଲକ ଦେଇଛନ୍ତି। ଏଥିରେ ଜାଦେଜା ନିଜେ ଏହି ରେଟ୍ରୋ ଜମ୍ପର୍‌ ପିନ୍ଧିଥିବା‌ ଦେଖିବାକୁ ମିଳୁଛି। ସେ ପିନ୍ଧିଥିବା ସ୍ଲିଭ୍ ଲେସ୍ ସ୍ବେଟରରେ କିନ୍ତୁ କୌଣସି ପ୍ରାୟୋଜକଙ୍କ ନାଁ କିମ୍ବା ଲୋଗୋ ନାହିଁ। କାରଣ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଏକ ଆଇସିସି ପ୍ରତିଯୋଗିତା‌ ହୋଇଥିବାରୁ ଖେଳାଳିମାନେ ବ୍ୟକ୍ତିଗତ ଅଥବା ଦଳୀୟ ପ୍ରାୟୋଜକଙ୍କ ଲୋଗୋ ଏଥିରେ ରଖି ପାରିବେ ନାହିଁ। ଜମ୍ପରର ବାମପଟର ପକେଟ ଉଚ୍ଚରେ ବିସିସିଆଇର ଏକ ଛୋଟିଆ ‌ଲୋଗୋ ଥିଲା ବେଳେ ଡାହାଣ ପଟରେ ଆଇସିସି ଲୋଗୋ ଅଛି। ପୁରୁଣା ଷ୍ଟାଇଲକୁ ଆପଣାଇବାକୁ ଯାଇ ଡିଜାଇନର ଜମ୍ପର୍‌ର ବେକରେ ଦୁଇଟି ଷ୍ଟ୍ରାଇପ୍ ରଖିଛନ୍ତି। ସେହିଭଳି ମଧ୍ୟଭାଗରେ ବଡ଼ ବଡ଼ ଅକ୍ଷରରେ ‘ଇଣ୍ଡିଆ’ ଲେଖାଯାଇଛି। ସଂପ୍ରତି ଭାରତୀୟ ଦଳ ପିନ୍ଧୁଥିବା ଜମ୍ପରରେ କୌଣସି ଷ୍ଟ୍ରାଇପ୍ ନାହିଁ। ଟିମ୍ ଇଣ୍ଡିଆର ଏଭଳି ନିଆରା ଲୁକ୍‌କୁ ପୂର୍ବତନ ଭାରତୀୟ କ୍ରିକେଟର୍‌ ୱାସିମ ଜାଫରଙ୍କ ସହ ବହୁ ପ୍ରଶଂସକ ବେଶ୍ ପସନ୍ଦ କରିଛନ୍ତି। ବଲିଉଡ୍ ଅଭିନେତା‌ ଅନିଲ କାପୁରଙ୍କ ପୁରୁଣା ଫଟୋ ପ୍ରକାଶ କରି ଜାଫର ଏହାକୁ ଲାଇକ୍ କରିଛନ୍ତି।

ଦୁବାଇ: ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ସଂଗଠିତ ଭାବେ ପରିଚାଳିତ କଠୋର ଏକାନ୍ତବାସରେ ରହିବ। ଇଂଲଣ୍ଡରେ ପହଞ୍ଚିବା ପରେ ଏହା ଆରମ୍ଭ ହେବ ବୋଲି ଆଇସିସି ଶନିବାର ଘୋଷଣା କରିଛି। କିନ୍ତୁ ଏହି ଏକାନ୍ତବାସ କେତେଦିନିଆ ହେବ ତାହା ସ୍ପଷ୍ଟ କରିନାହିଁ। ଜୁନ୍‌ ୧୮ରୁ ୨୨ ତାରିଖ ମଧ୍ୟରେ ବିଶ୍ବର ଏହି ଦୁଇ ଶ୍ରେଷ୍ଠ ଦଳ ସାଉଥମ୍ପଟନ୍‌ର ହାମ୍ପସାୟାର୍‌ ବାଉଲ୍‌ରେ ଲଢ଼େଇ କରିବେ। ନ୍ୟୁଜିଲାଣ୍ଡ ଦଳକୁ କିନ୍ତୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। କାରଣ ଏହି ଦଳ ଏବେ ବ୍ରିଟେନ୍‌ ମୁହାଁ ହୋଇସାରିଛି ଏବଂ ଡବଲ୍ୟୁଟିସି ଫାଇନାଲ୍ ପୂର୍ବରୁ ଏହା ଇଂଲଣ୍ଡ ବିପକ୍ଷରେ ୨ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ଖେଳି ସାରିଥିବ। ଭାରତୀୟ ଦଳ କିନ୍ତୁ ବ୍ରିଟେନ୍ ଗସ୍ତ ପୂର୍ବରୁ ମୁମ୍ବାଇରେ ୧୪ ଦିନିକିଆ କଠୋର ସଙ୍ଗରୋଧ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି। ଏହି ଜୈବ ବଳୟରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଯୋଗ ଦେଇନଥିବାରୁ ସେମାନଙ୍କ ହୋଟେଲ୍ ରୁମ୍‌ରେ ସ୍ବତନ୍ତ୍ର ଜିମ୍ ସରଞ୍ଜାମ ଯୋଗାଇଦିଆଯିବ ବୋଲି କୁହାଯାଇଛି। କିନ୍ତୁ ବ୍ରିଟେନ୍‌ରେ ପହଞ୍ଚିବା ପରେ ଭାରତୀୟ ଖେଳାଳିମାନଙ୍କୁ ସିଧାସଳଖ ହାମ୍ପସାୟାର୍‌ର ଏକ ହୋଟେଲକୁ ନିଆଯିବ ଏବଂ ସେଠାରେ ଥିବା ପରିଚାଳିତ ଏକାନ୍ତବାସରେ ରଖାଯିବ। ବ୍ରିଟେନ୍ ଗସ୍ତ ପୂର୍ବରୁ ମଧ୍ୟ ସମସ୍ତ ଭାରତୀୟ ଖେଳାଳିଙ୍କ ଆର୍‌ଟିପିସିଆର୍ ନେଗେଟିଭ୍‌ ପ୍ରମାଣପତ୍ର ରଖିବାକୁ ପଡ଼ିବ।

ପାନେସାର ବାଛିଲେ ସମ୍ଭାବ୍ୟ ଭାରତୀୟ ଏକାଦଶ

ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍‌ରେ ଦୁଇ ଜଣ ସ୍ପିନର ଖେଳାଇବାକୁ ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସାର ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ଆହ୍ବାନ କରିଛନ୍ତି। ସେ ମଧ୍ୟ ନିଜେ ଏକ ଭାରତୀୟ ଚୂଡ଼ାନ୍ତ ଏକାଦଶ ବାଛିଛନ୍ତି। ଶୀର୍ଷ ୬ ବ୍ୟାଟିଂ ସ୍ଥାନ ପାଇଁ ବି ସେ ଖେଳାଳି ସ୍ଥିର କରି ନେଇଛନ୍ତି। ରୋହିତ ଓ ଶୁବମନ ଗିଲ୍‌ଙ୍କୁ ପ୍ରାରମ୍ଭିକ ଯୋଡ଼ି ଭାବେ ରଖିଥିଲା ବେଳେ ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଓ ଋଷବ ପନ୍ତଙ୍କୁ ଶୀର୍ଷ ୬ ସ୍ଥାନରେ ରଖିଛନ୍ତି। ରବୀନ୍ଦ୍ର ଜାଦେଜା ଓ ଆର ଅଶ୍ବିନଙ୍କୁ ଦଳରେ ରଖିଥିବା ଯୁବ ସ୍ପିଡଷ୍ଟାର ମହମ୍ମଦ ସିରାଜଙ୍କୁ ପାନେସାର ନିଜ ଚୂଡ଼ାନ୍ତ ଭାରତୀୟ ଏକାଦଶରୁ ବାଦ ଦେଇଛନ୍ତି। ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ଈଶାନ୍ତ ଶର୍ମାଙ୍କୁ ରଖିଛନ୍ତି ସେ। ଦଳ: ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବୀନ୍ଦ୍ର ଜାଦେଜା, ଆର ଅଶ୍ବିନ, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି।

ଲଣ୍ଡନ ଅଭିମୁଖେ ବାହାରିଲା ନ୍ୟୁଜିଲାଣ୍ଡ୍‌

ସାଉଥମ୍ପଟନ୍‌: ଭାରତ ବିପକ୍ଷ ବିଶ୍ବ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ଖେଳିବାକୁ ନ୍ୟୁଜିଲାଣ୍ଡ୍ ଦଳ ଶନିବାର ଲଣ୍ଡନ ଅଭିମୁଖେ ଯାତ୍ରା କରିଛି। ଡବ୍‌ଲ୍ୟୁଟିସି ଫାଇନାଲ୍ ପୂର୍ବରୁ ପାଗ ଓ ପରିବେଶ ସହ ନିଜକୁ ଖାପ ଖୁଆଇବା ଲାଗି ନ୍ୟୁଜିଲାଣ୍ଡ୍ ଜୁନ୍‌ ୨ ତାରିଖରୁ ଏହି ଶୃଙ୍ଖଳା ଖେଳିବ। ଜୁନ୍ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଡବ୍‌ଲ୍ୟୁଟିସି ଫାଇନାଲ୍ ରୋଜ ବାଉଲ୍‌ରେ ଖେଳାଯିବ। ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଆଇସିସି ଏହି ଫାଇନାଲ୍ ମ୍ୟାଚ୍‌ ଲାଗି ଏକ ସଂରକ୍ଷିତ ଦିବସ ରଖିଛି। ଅନ୍ୟୂନ ନିୟମିତ ଦିନର ଖେଳ ବର୍ଷା ପାଇଁ ବାଧାପ୍ରାପ୍ତ ହେଲେ ଏହାକୁ ପରିବର୍ତ୍ତୀ ଦିନରେ ଭରଣା କରାଯିବ। ତେବେ କୌଣସି ଦଳ ବିଜେତା ନ ହେଲେ (ଅମୀମାଂସିତ କିମ୍ବା ଟାଇ) ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବ ବୋଲି ଆଇସସି ସ୍ପଷ୍ଟ କରିସାରିଛି।

ସମ୍ବନ୍ଧିତ ଖବର