ଡବ୍ଲ୍ୟୁଟିସି ଫାଇନାଲ୍: ଭାରତର ପ୍ରଥମ ‘ନିରପେକ୍ଷ’ ଟେଷ୍ଟ୍‌, ବିଜେତା ୧୧.୭୨, ଉପବିଜେତା ପାଇବ ୫.୮୬ କୋଟି

କୋହଲିଙ୍କ ଫର୍ମ ହେବ ଭାରତର ଚାବିକାଠି: ପାର୍ଥିବ

ସାଉଥମ୍ପଟନ୍: ଇଂଲଣ୍ଡର ସାଉଥମ୍ପଟନ୍‌ଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ସହ ଭାରତର କ୍ରିକେଟ୍ ଇତିହାସରେ ଆଉ ଏକ ନୂଆ ଫର୍ଦ ଯୋଡ଼ିହେବ। ନିଜ ୮୯ ବର୍ଷର ଟେଷ୍ଟ୍ ଅଭିଜ୍ଞତା ଭିତରେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ୍ ଦଳ କୌଣସି ନିରପେକ୍ଷ ସ୍ଥାନରେ ଟେଷ୍ଟ୍ ମ୍ୟାଚ୍ ଖେଳିବ। ଏହି ମାଇଲଖୁଣ୍ଟ ମୁହୁର୍ତ୍ତର ମୁକସାକ୍ଷୀ ହେବା ଲାଗି ସାଉଥମ୍ପଟନର ଏଜିସ୍ ବାୱେଲ ଷ୍ଟାଡିୟମ୍‌ରେ କିଛି ଭାଗ୍ୟଶାଳୀ ଭାରତୀୟ ପ୍ରଶଂସକ ବି ଉପସ୍ଥିତ ଥିବେ। ଅନ୍ୟମାନେ ନିଜ ଘରେ ରହି ଏଭଳି ଏକ ନିଆରା ଘଟଣାକୁ ଟେଲିଭିଜନ୍ ପରଦାରେ ଦେଖିବେ। ଟେଷ୍ଟ୍ ମାନ୍ୟତା ଲାଭ କରିଥିବା ଦଳଗୁଡ଼ିକ ମଧ୍ୟରୁ ଏପର୍ଯ୍ୟନ୍ତ କେବଳ ଭାରତ ଓ ବାଂଲାଦେଶ ନିରପେକ୍ଷ ସ୍ଥାନରେ ଟେଷ୍ଟ୍ ମ୍ୟାଚ୍ ଖେଳି ନାହାନ୍ତି। ଗତ ଦଶନ୍ଧି ଭିତରେ ଅଧିକାଂଶ ଟେଷ୍ଟ୍ ଖେଳୁଥିବା ଦେଶ ପାକିସ୍ତାନ ବିପକ୍ଷରେ ନିରପେକ୍ଷ ସ୍ଥାନରେ ଟେଷ୍ଟ୍ ଖେଳି ସାରିଛନ୍ତି। ଯାହାର ସିଂହଭାଗ ୟୁଏଇରେ ଖେଳା ଯାଇଛି। ଦୁର୍ଭାଗ୍ୟଜନକ ଭାବେ ଏହିସବୁ ଟେଷ୍ଟ୍ ମ୍ୟାଚ୍‌ରେ ହାତଗଣତି ଦର୍ଶକ ହିଁ ଷ୍ଟାଡିୟମ୍ ଭିତରେ ଥା’ନ୍ତି।

ସେହିଭଳି ୨୦୦୯ ମସିହାରେ ଶ୍ରୀଲଙ୍କା କ୍ରିକେଟ୍ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରଠାରୁ କୌଣସି ବଡ଼ ଟେଷ୍ଟ୍ ଖେଳିବା ଦଳ ପାକିସ୍ତାନ ଗସ୍ତ କରି ନାହାନ୍ତି। ଭାରତୀୟ କ୍ରିକେଟ୍ ଦଳ ୨୦୦୭-୦୮ ଘରୋଇ ଶୃଙ୍ଖଳା ପରଠାରୁ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ଆଉ ଟେଷ୍ଟ୍ ମ୍ୟାଚ୍ ଖେଳିନାହିଁ। ଦୀର୍ଘ ୨୨ ବର୍ଷ ତଳେ ଅବଶ୍ୟ ଭାରତ ପାଖରେ ନିରପେକ୍ଷ ସ୍ଥାନରେ ଟେଷ୍ଟ୍ ମ୍ୟାଚ୍ ଖେଳିବାର ସୁଯୋଗ ଥିଲା। କାରଣ ସେହିବର୍ଷର ଏସୀୟ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ବାଂଲାଦେଶର ଢାକାରେ ଖେଳାଯିବାର ଥିଲା। ହେଲେ ଭାରତ ଫାଇନାଲ୍ ଟିକେଟ୍ ହାସଲ କରି ପାରି ନଥିଲା। ଫଳରେ ଶ୍ରୀଲଙ୍କା ଓ ପାକିସ୍ତାନ ଟ୍ରଫି ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ। ଡବ୍ଲ୍ୟୁଟିସି ଫାଇନାଲ ଲାଗି ଆୟୋଜକ ହାମ୍ପସାୟାର କାଉଣ୍ଟି କ୍ଲବ୍ ୪,୦୦୦ ଦର୍ଶକଙ୍କୁ ଷ୍ଟାଡିୟମ୍ ପ୍ରବେଶ ଅନୁମତି ଦେବାର ଅଛି। ସେଥିମଧ୍ୟରୁ ଅଧିକାଂଶ ଯେ ଭାରତୀୟ ପ୍ରଶଂସକ ରହିବେ ଏଥିରେ ସନ୍ଦେହ ନାହିଁ।

ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବୀନ୍ଦ୍ର ଜାଦେଜା, ଆର ଅଶ୍ବିନ, ଯଶପ୍ରୀତ ବୁମ୍‌ରା, ଈଶାନ୍ତ ଶର୍ମା, ମହମ୍ମଦ ସାମି।

କୋହଲିଙ୍କ ଫର୍ମ ହେବ ଭାରତର ଚାବିକାଠି: ପାର୍ଥିବ

ସାଉଥମ୍ପଟନ୍: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍‌ରେ ଅଧିନାୟକ ବିରାଟ କୋହଲିଙ୍କ ଫର୍ମ ଭାରତ ପାଇଁ ଚାବିକାଠି ହେବ। କୋହଲି ତାଙ୍କ ସ୍ବାଭାବିକ ଖେଳ ଖେଳି ପାରିଲେ ଭାରତ ଏହି ସମ୍ମାନଜନକ ପ୍ରତିଯୋଗିତାର ପ୍ରଥମ ବିଜେତା ହୋଇପାରିବ। ଏଭଳି ଆକଳନ କରିଛନ୍ତି ପୂର୍ବତନ ୱିକେଟ୍ ରକ୍ଷକ ପାର୍ଥିବ ପଟେଲ। ସେହିଭଳି ୨୦୧୮ ମସିହାର ସଫଳତା ଦୋହରାଇବାକୁ କୋହଲିଙ୍କୁ ଆହ୍ବାନ କରିଛନ୍ତି ସେ। ଏଥିଲାଗି ତାଙ୍କୁ (କୋହଲିଙ୍କୁ) ପ୍ରଥମେ କ୍ରିଜ୍‌ରେ କିଛି ସମୟ କଟାଇବାକୁ ପଡ଼ିବ ବୋଲି କହିଛନ୍ତି ଏହି ଗୁଜୁରାଟ କ୍ରିକେଟର । ଏହି କ୍ରମରେ କୋହଲିଙ୍କ ୨୦୧୪ ଏବଂ ୨୦୧୮ ଇଂଲଣ୍ଡ ଗସ୍ତର ପ୍ରଦର୍ଶନକୁ ତୁଳନା କରିଛନ୍ତି ପାର୍ଥିବ। ୨୦୧୪ ଗସ୍ତରେ କୋହଲି ସେଠାରେ ୫ ଟେଷ୍ଟ୍ ଖେଳି ୧୩.୪୦ ହାରରେ ମାତ୍ର ୧୩୪ ରନ୍ କରିଥିଲେ। ୪ ବର୍ଷ ପରେ ଅର୍ଥାତ୍ ୨୦୧୮ରେ କିନ୍ତୁ ସେହି ୫ ଟେଷ୍ଟ୍‌ରୁ ୨ ଶତକ ସହ ୫୯.୩୦ ହାରରେ ୫୯୩ ରନ୍ କରିଥିଲେ ସେ। ଏଥିଲାଗି ଡବ୍ଲ୍ୟୁଟିସି ଫାଇନାଲ୍ ଏବଂ ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ୍ ଶୃଙ୍ଖଳାରେ କୋହଲିଙ୍କୁ ଧୈର୍ଯ୍ୟ ଓ ସାହସର ସହ ଖେଳିବାକୁ ପଡ଼ିବ ବୋଲି କହିଛନ୍ତି ପାର୍ଥିବ।

ବିଜେତା ୧୧.୭୨, ଉପବିଜେତା ପାଇବ ୫.୮୬ କୋଟି

ଦୁବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଲାଗି ସୋମବାର ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପୁରସ୍କାର ରାଶି ଘୋଷଣା କରିଛି। ପୁରସ୍କାର ବାବଦରେ ବିଜେତା ଦଳକୁ ୧୬ ଲକ୍ଷ ଆମେରିକୀୟ ଡଲାର ତଥା ଭାରତୀୟ ମୁଦ୍ରାରେ ପ୍ରାୟ ୧୧.୭୨ କୋଟି ଟଙ୍କା ଏବଂ ଉପବିଜେତା ଦଳକୁ ୮ ଲକ୍ଷ ଡଲାର ବା ପାଖାପାଖି ୫.୮୬ କୋଟି ଟଙ୍କା ମିଳିବ। ତୃତୀୟ , ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଥିବା ଦଳକୁ ଯଥାକ୍ରମେ ୪.୫୦ (୩ କୋଟି ୨୯ ଲକ୍ଷ ଟଙ୍କା), ୩.୫ (୨ କୋଟି ୫୬ ଲକ୍ଷ ଟଙ୍କା) ଓ ୨ ଲକ୍ଷ (୧ କୋଟି ୪୨ ଲକ୍ଷ ଟଙ୍କା) ଡଲାର ମିଳିବ। ‌ଅନ୍ୟ ଅଂଶଗ୍ରହଣକାରୀ ୪ ଦଳକୁ ୧ ଲକ୍ଷ (୭୨ ଲକ୍ଷ ଟଙ୍କା) ଡଲାର ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ଆଇସିସି ‌ପୁରୁଷ ଟେଷ୍ଟ୍‌ ମାନ୍ୟତାରେ ‌ଶୀର୍ଷରେ ଥିବା ଦଳକୁ ମିଳୁଥିବା ଟେଷ୍ଟ୍‌ ଗଦା ଡବ୍ଲୁଟିସି ଫାଇନାଲ୍‌ ବିଜେତାକୁ ପ୍ରଦାନ କରାଯିବ। ଯଦି ଫାଇନାଲ୍‌ ମ୍ୟାଚ୍‌ ଅମୀମାଂସିତ କିମ୍ବା ଟାଇ ରହେ, ତାହେଲେ ମୋଟ ପୁରସ୍କାର ରାଶି (୨.୪ ନିୟୁତ ଡଲର ବା ପାଖାପାଖି ୧୭.୫୮ କୋଟି ଟଙ୍କା)କୁ ସମାନ ଭାବେ ଉଭୟ ଦଳ ମଧ୍ୟରେ ବଣ୍ଟାଯିବ। ବିଜେତା ଭାବେ ଉଭୟକୁ ଏକାଠି ସେହି ସମୟରେ ଗଦା ପ୍ରଦାନ କରାଯିବ।

ପିଚ୍ ଦେବ ‘ପେସ୍‌, ବାଉନ୍ସ ଓ କ୍ୟାରି’

ଶୁକ୍ରବାରଠାରୁ ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍‌ ମ୍ୟାଚ୍‌ ଭାରତ ଏବଂ ନ୍ୟୁଜିଲାଣ୍ଡ୍ ମଧ୍ୟରେ ସାଉଥାମ୍ପଟନ୍‌ରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ସମତୁଲ ଲଢ଼େଇ ପାଇଁ ଆଶା ରହିଥିବାବେଳେ ସାଉଥମ୍ପଟନ୍‌ ଗ୍ରାଉଣ୍ଡର ମୁଖ୍ୟ ସାଇମନ୍‌ ଲି ‘ପିଚ୍‌’ ପ୍ରସ୍ତୁତିକୁ ନେଇ ଯୋଜନା ପ୍ରସ୍ତୁତ କରି ସାରିଛନ୍ତି। ପିଚ୍‌ରୁ ପେସ୍‌, ବାଉନ୍ସ ସହିତ କ୍ୟାରି ମିଳିବ ବୋଲି ତାଙ୍କ ପ୍ରାରମ୍ଭିକ ଲକ୍ଷ୍ୟରୁ ଜଣାପଡ଼ିଛି। ପରବର୍ତ୍ତୀ ସମୟରେ ପିଚ୍‌ ସ୍ପିନରଙ୍କୁ ସୁହାଇବ ବୋଲି ଲି ଆଶା ରଖିଛନ୍ତି। ‘ନିରପେକ୍ଷ ଭେନ୍ୟୁ ହୋଇଥିବାରୁ ପିଚ୍‌ ପ୍ରସ୍ତୁତି ଅତି ସରଳ ରହିଛି। ଆମକୁ ଆଇସିସି ମାର୍ଗଦର୍ଶିକାରେ ଯିବାକୁ ପଡୁଛି। ଦୁଇ ଦଳ ମଧ୍ୟରେ ସନ୍ତୁଳିତ ଲଢ଼େଇ ପାଇଁ ଭଲ ପିଚ୍ ପ୍ରସ୍ତୁତ ହେବ’ ବୋଲି ଲି’ କହିଛନ୍ତି। ବ୍ୟକ୍ତିଗତ ଭାବେ ମୁଁ ଆଶା କରିବି ପିଚ୍‌ରୁ ଯେଭଳି ପେସ୍, ବାଉନ୍ସ ଓ କ୍ୟାରି ମିଳିବ। ଇଂଲଣ୍ଡରେ ଏଭଳି ପିଚ୍‌ ପ୍ରସ୍ତୁତ କରିବା କଠୋର କାର୍ଯ୍ୟ। କାରଣ ଅଧିକାଂଶ ସମୟ ବର୍ଷା ଏହା କରାଇ ଦିଏ ନାହିଁ। କିନ୍ତୁ ସୂର୍ଯ୍ୟଙ୍କ ଭଲ ଉପସ୍ଥିତିର ଆକଳନ କରାଯାଇଥିବାରୁ ଆମେ ଆଶାବାଦୀ ରହିଛୁ। ପିଚ୍‌ ଉପରେ ଅଧିକ ରୋଲିଂ ନ କରି ଆମେ ଏଠାରୁ ପେସ୍‌ ପାଇବାରିବା ବୋଲି ଲି କହିଛନ୍ତି। ଉଭୟ ଦଳରେ କ୍ବାଲିଟି ପେସ୍‌ ବୋଲର ଥିବାରୁ ମ୍ୟାଚ୍‌ ସାରା ସେମାନେ ଲାଗି ରୁହନ୍ତୁ ବୋଲି ଆମେ ଆଶା କରିବୁ। ପେସ୍‌ ବୋଲିଂ ଲାଲ୍ ବଲ୍‌ କ୍ରିକେଟ୍‌କୁ ରୋମାଞ୍ଚିତ କରିଥାଏ। ମୁଁ ନିଜେ ଜଣେ କ୍ରିକେଟ୍ ପ୍ରଶଂସକ ହୋଇଥିବାରୁ ଖେଳପ୍ରେମୀ ଯେଭଳି ପ୍ରତିଟି ବଲ୍‌ରୁ କିଛି ଆଶା ରଖିବେ। ଉଚ୍ଚ ଶ୍ରେଣୀୟ ବ୍ୟାଟିଂ ଓ ଚମତ୍କାର ବୋଲିଂ ସ୍ପେଲ୍‌ ଦେଖିବାକୁ ମିଳିବ। ବ୍ୟାଟିଂ ଓ ବୋଲିଂ ଦକ୍ଷତା ମଧ୍ୟରେ ଲଢ଼େଇ ହେଲେ ଏହା ମଜାଦାର ହେବ। ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜାଙ୍କ ଉପସ୍ଥିତି କାରଣରୁ ସ୍ପିନ୍‌ ବିଭାଗରେ ଭାରତ ନିଶ୍ଚିତ ଫାଇଦାରେ ରହିଛି। ଏ ଦୁହେଁ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ ବୋଲି ଆଶାବାଦୀ ରହିଛନ୍ତି ଲି’। ପାଗ ଭଲ ରହିବ ବୋଲି ପୂର୍ବାନୁମାନ ରହିଛି, ୧୦ ବର୍ଷ ତଳେ ପିଚ୍‌ ପ୍ରତିଷ୍ଠା କରାଯାଇଥିବାରୁ ଏହା ସ୍ପିନରଙ୍କ ପାଇଁ ବି ଅନେକ କିଛି ରଖିଛି ବୋଲି କ୍ୟୁରେଟର୍‌ ସାଇମନ୍ ଲି ପ୍ରକାଶ କରିଥିଲେ। ପ୍ରଶଂସକମାନଙ୍କୁ ଶୀର୍ଷସ୍ତରୀୟ ଲଢ଼େଇ ଏବଂ ମନୋରଂଜନ ମିଳିଲେ ଖୁସି ହେବୁ ବୋଲି ସେ କହିଥିଲେ।

 

ସମ୍ବନ୍ଧିତ ଖବର