ଡବ୍ଲ୍ୟୁଟିସି ଫାଇନାଲ୍: ଭାରତୀୟ ଖେଳାଳିଙ୍କ ପ୍ରଥମ ସାମୁହିକ ଅଭ୍ୟାସ, ଟିମ୍ ଇଣ୍ଡିଆକୁ ସଂଗୀତରେ ଶୁଭେଚ୍ଛା

ଚୂଡ଼ାନ୍ତ ଏକାଦଶରେ ସିରାଜଙ୍କୁ ସାମିଲ କରିବା ଯୋଜନା

ସାଉଥମ୍ପଟନ୍: ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ପୂର୍ବରୁ ଭାରତୀୟ ଖେଳାଳିମାନେ ଗୁରୁବାର ପ୍ରଥମ ସାମୁହିକ ଅଭ୍ୟାସ କରିଛନ୍ତି। ଇଂଲଣ୍ଡରେ ଦ୍ବିତୀୟ ପର୍ଯ୍ୟାୟ ସଙ୍ଗରୋଧ ଶେଷ କରିବା ପରେ ଭାରତୀୟ ଖେଳାଳିମାନେ ଏହି ପ୍ରତୀକ୍ଷିତ ମ୍ୟାଚ୍ ଖେଳାଯିବାକୁ ଥିବା ସ୍ଥାନୀୟ ଏଜିସ୍ ବାୱେଲ୍ ପଡ଼ିଆ ସଂଲଗ୍ନ ଅନ୍ୟ ଏକ ପଡ଼ିଆରେ ଆଜି ଏକାଠି ଅଭ୍ୟାସ କରିଥିଲେ। ଗତ ପାଞ୍ଚ ଦିନ ହେବ ଅବଶ୍ୟ ସେମାନେ ପୃଥକ ପୃଥକ ଭାବେ ଅଭ୍ୟାସ କରି ଆସୁଥିଲେ। ପ୍ରଥମ ଥର ପାଇଁ କିନ୍ତୁ ସାଥୀ ଖେଳାଳିଙ୍କ ସହ ମିଶିବାର ସୁଯୋଗ ବି ପାଇଥିଲେ। ଦଳୀୟ ଅଭ୍ୟାସ ବିଷୟରେ ବିସିସିଆଇ ନିଜ ଟ୍ବିଟର ପୃଷ୍ଠାରେ ସୂଚନା ଦେବା ସହ ପ୍ରଶଂସକଙ୍କୁ ଏହି ବିଷୟରେ ଅବଗତ କରିବାକୁ ଯାଇ ଲେଖିଥିଲା ଯେ ଖେଳାଳିମାନେ ଆଜି ପ୍ରଥମ ସମୁହିକ ଅଭ୍ୟାସ କରିଥିଲେ।

ସମସ୍ତେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଅତ୍ୟନ୍ତ ବ୍ୟଗ୍ର ଅଛନ୍ତି। ଡବ୍ଲ୍ୟୁଟିସି ଫାଇନାଲ୍‌ ଲାଗି ପ୍ରସ୍ତୁତି ଖୁବ ‌ଜୋର୍‌ରେ ଚାଲିଛି। ବିସିସିଆଇ ମଧ୍ୟ ଭାରତୀୟ ଖେଳାଳିମାନେ ଅଭ୍ୟାସ କରୁଥିବାର ଏକ ଭିଡିଓ ପ୍ରକାଶ କରିଥିଲା। ଗୁରୁବାରର ଅଭ୍ୟାସରେ ଅଧିନାୟକ ବିରାଟ କୋହଲି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା, ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା, ୱିକେଟ୍ ରକ୍ଷକ ଋଷବ ପନ୍ତ ଢେର ସମୟ ବ୍ୟାଟିଂ ଅଭ୍ୟାସ କରିବା ସହ ଥ୍ରୋ ଡାଉନର ସମ୍ମୁଖୀନ ହୋଇଥିଲେ। ଈଶାନ୍ତ ଶର୍ମା, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ ଓ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ଭଳି ବୋଲର ମଧ୍ୟ ନେଟ୍ସରେ ଢେର ସମୟ ପର୍ଯ୍ୟନ୍ତ ବୋଲିଂ କରିଥିଲେ। ଏହା ପରେ ସମସ୍ତେ ମିଳିତ ଭାବେ ଆର ଶ୍ରୀଧରଙ୍କ ତତ୍ତ୍ବାବଧାନରେ କ୍ଷେତ୍ରରକ୍ଷଣ ଅଭ୍ୟାସ କରିଥିଲେ। ଏଥିରେ ସମସ୍ତେ ମୁଖ୍ୟତଃ କ୍ୟାଚିଂ ଉପରେ ଅଧିକ ଧ୍ୟାନ ଦେଇଥିଲେ। ପୂର୍ବରୁ ଖେଳାଳିମାନେ ନିଜ ନିଜ ହୋଟେଲ ରୁମ୍‌ରେ ବ୍ୟକ୍ତିଗତ ଭାବେ ବ୍ୟା‌ୟାମ ଓ ଅନ୍ୟାନ୍ୟ ଅଭ୍ୟାସ କରୁଥିଲେ।

ଚୂଡ଼ାନ୍ତ ଏକାଦଶରେ ସିରାଜଙ୍କୁ ସାମିଲ କରିବା ଯୋଜନା
ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍‌ର ମାତ୍ର ୮ ଦିନ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଆନୁଷ୍ଠାନିକ ଭାବେ ଗୁରୁବାର ଦଳୀୟ ଅଭ୍ୟାସ ଆରମ୍ଭ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶକୁ ନେଇ ମଧ୍ୟ ମନ୍ଥନ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆରେ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିବାକୁ ଦଳୀୟ ପରିଚାଳକମାନେ ବ୍ୟଗ୍ର ଥିବା ଜଣାପଡ଼ିଛି। ଏଥିଲାଗି ଯୋଜନା ତିଆରି ଚାଲିଛି। ତେବେ ଈଶାନ୍ତ ଶର୍ମା, ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରା ଫିଟ୍ ଥିବାରୁ ସିରାଜଙ୍କୁ ଦଳରେ ରଖିବା କିନ୍ତୁ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏବଂ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଆଦୌ ସହଜ ହେବନି। ମହତ୍ବପୂର୍ଣ୍ଣ କଥା ହେଲା ୨୦୧୯ ମସିହାର ୱେଷ୍ଟଇଣ୍ଡିଜ୍ ଗସ୍ତ ପରେ ପ୍ରଥମ ଥର ଏହି ତିନି ପ୍ରତିଭାବାନ ବୋଲର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବା ଲାଗି ଉପଲବ୍ଧ ଅଛନ୍ତି। ସିରାଜଙ୍କୁ ଦଳରେ ନେବା ଲାଗି ବାଟ ବାହାର କରିବା କାର୍ଯ୍ୟରେ କିନ୍ତୁ ପ୍ରଶିକ୍ଷକ ମଣ୍ଡଳି ଲାଗି ପଡ଼ିଛି।

ସିରାଜ ଯଦି ଅଭ୍ୟାସ ବେଳେ ଭଲ ବୋଲିଂ କରନ୍ତି, ତାହାଲେ କୋହଲି ଓ ଶାସ୍ତ୍ରୀ ଅଭିଜ୍ଞ ଈଶାନ୍ତଙ୍କୁ ଇଂଲଣ୍ଡ ଶୃଙ୍ଖଳା ପାଇଁ ବିଶ୍ରାମ ଦେଇପାରନ୍ତି। ଈଶାନ୍ତ ଇଂଲଣ୍ଡରେ ୧୨ଟି ଟେଷ୍ଟ୍ ଖେଳି ସାରିଥିବାରୁ ଏହା ଅବଶ୍ୟ ତାଙ୍କ ସପକ୍ଷରେ ଯାଇପାରେ। ତାଙ୍କର ମଧ୍ୟ ୧୦୧ ଟେଷ୍ଟ୍ ଖେଳିବାର ଦୀର୍ଘ ଅଭିଜ୍ଞତା ରହିଛି। ହେଲେ ବୟସ ବଢ଼ି ଚାଲିଥିବାରୁ ଲମ୍ବା ଇଂଲଣ୍ଡ ଗସ୍ତରେ ଈଶାନ୍ତଙ୍କ ଶରୀର ହୁଏତ ତାଙ୍କ ସାଥ୍ ଦେଇନପାରେ। ଅନ୍ୟପକ୍ଷରେ ସିରାଜ ନିଜ ଦକ୍ଷତାର ବଳିଷ୍ଠ ପ୍ରମାଣ ଅଷ୍ଟ୍ରେଲିଆରେ ଦେଇ ସାରିଛନ୍ତି। ସେ ପୂରା ଫିଟ୍ ଅଛନ୍ତି ଏବଂ ନିଜ ବିବିଧତା ଭରା ବୋଲିଂରେ ପ୍ରତିପକ୍ଷ ବ୍ୟାଟର୍‌ଙ୍କୁ ଘାଇଲା କରିବାର ଦମ୍ଭ ରଖନ୍ତି। ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ଉପସ୍ଥିତି ପାଇଁ ଭାରତୀୟ ଦଳ ବେଶ୍ ସନ୍ତୁଳିତ ମନେ ‌ହୋଇଥାଏ। ହେଲେ ଦ୍ରୁତ ବୋଲିଂ ବିଭାଗରେ ବି କୋହଲି-ଶାସ୍ତ୍ରୀ କୌଣସି ସାଲିସ କରିବାକୁ ପସନ୍ଦ କରିବେନି। ସାଉଥମ୍ପଟନର ପାଗ ଓ ପରିବେଶ କୋହଲା ରହୁଥିବାରୁ ଏହା ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଅଧିକ ସୁହାଇବ। ଏଣୁ ଭାରତ ବୁଝିଶୁଝି ସବୁ କରିବାକୁ ଯାଉଥିବାର ସଙ୍କେତ ଦେଇଛି।

ଟିମ୍ ଇଣ୍ଡିଆକୁ ସଂଗୀତରେ ଶୁଭେଚ୍ଛା

ଭୁବନେଶ୍ବର: ଇଂଲଣ୍ଡର ସାଉଥାମ୍ପଟନ୍‌ରେ ଜୁନ୍‌ ୧୮ ତାରିଖରୁ ଭାରତୀୟ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚ୍‌ ଖେଳିବାକୁ ଯାଉଥିବା ବେଳେ କ୍ରିକେଟ୍ ଅନୁରାଗି ଲେଖକ, ସ୍ତମ୍ଭକାର ତଥା ଇତିହାସ ପ୍ରଫେସର ଏମ୍‌ସି ବଶିଷ୍ଟ ଏକ ସ୍ବତନ୍ତ୍ର ସଂଗୀତରେ ଭାରତୀୟ ଦଳକୁ ଶୁଭକାମନା ଜଣାଇଛନ୍ତି। କେରଳ କାଲିକଟସ୍ଥିତ ମାଲାବର ଖ୍ରୀଷ୍ଟିଆନ୍‌ କଲେଜର ଏହି ଜଣାଶୁଣା ପ୍ରଫେସର ସଂଗୀତକୁ ରଚନା କରିଥିବା ବେଳେ ତାଙ୍କ ଛାତ୍ର ସାଇ ଗିରିଧର ଗାଇଛନ୍ତି। ସଂଗୀତରେ ମଧ୍ୟ କ୍ରିକେଟ୍ ଉତ୍ସାହୀ ମା’ ଓ ପୁଅଙ୍କୁ ଚିତ୍ରିତ କରାଯାଇଛି। ସୂଚନାଯୋଗ୍ୟ, ଏମ୍‌ସି ବଶିଷ୍ଟ ପ୍ରତିଟି ବଡ଼ କ୍ରୀଡ଼ା ଉତ୍ସବ ବେଳେ କିଛି ନା କିଛି ନିଆରା କାର୍ଯ୍ୟକ୍ରମ କରି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥା’ନ୍ତି।

ସମ୍ବନ୍ଧିତ ଖବର