ଡବ୍ଲ୍ୟୁଟିସି ଫାଇନାଲ୍: ପ୍ରଥମ ଆଇସିସି ଟ୍ରଫି ଲକ୍ଷ୍ୟରେ କୋହଲି, ଫାଇନାଲ୍ ଦୁର୍ଭାଗ୍ୟ ଦୂର କରିବା ଆଶାରେ ନ୍ୟୁଜିଲାଣ୍ଡ

ଭାରତର ୩ ସମ୍ଭାବ୍ୟ ଗେମ୍ ଚେଞ୍ଜର; ରବୀନ୍ଦ୍ର ଜାଦେଜା, ଋଷଭ ପନ୍ତ, ଯଶପ୍ରୀତ ବୁମ୍‌ରା

ସାଉଥମ୍ପଟନ୍: ଚଳିତବର୍ଷର ସବୁଠାରୁ ପ୍ରତୀକ୍ଷିତ କ୍ରିକେଟ୍ ମୁକାବିଲାର ମାନ୍ୟତା ଲାଭ କରିଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଶୁକ୍ରବାରଠାରୁ ସ୍ଥାନୀୟ ଏଜିସ୍ ବାୱେଲ ଷ୍ଟାଡିୟମ୍‌ରେ ଆରମ୍ଭ ହେବ। ଏହି ଲଢ଼େଇ ‌ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ହେବ। ବର୍ଷର ଅଧିକାଂଶ ସମୟ ଏହି ସମ୍ମାନଜନକ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଭାରତକୁ ମାତ୍ର ତିନି ଦିନ ତଳେ ହିଁ ନ୍ୟୁଜିଲାଣ୍ଡ ଦ୍ବିତୀୟ ସ୍ଥାନକୁ ଖସାଇ ଦେଇଛି। ଇଂଲଣ୍ଡ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ଜିତି ନେଇ ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରି ନେଇଛି। ଡବ୍ଲ୍ୟୁଟିସି ଫାଇନାଲ୍ ପୂର୍ବରୁ ନ୍ୟୁଜିଲାଣ୍ଡର ଏହି ସଫଳତା ତା’ ପାଇଁ ମାଷ୍ଟର କାର୍ଡ ହୋଇପାରେ। ଭାରତର ସମ୍ମୁଖୀନ ହେବା ପୂର୍ବରୁ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ହରାଇ ନିଜ ଆତ୍ମବିଶ୍ବାସ ବଢ଼ାଇବା ସହ ଟେଷ୍ଟ୍ ମାନ୍ୟତାର ପ୍ରଥମ ସ୍ଥାନ ଛଡ଼ାଇ ନେଇ ଭାରତକୁ ମଧ୍ୟ ଏହି ଦଳ ପରୋକ୍ଷ ଚେତାବନୀ ଦେଇଛି।

ଦୁଇ ବର୍ଷୀୟା ଅବଧି ବିଶିଷ୍ଟ ଡବ୍ଲ୍ୟୁଟିସିର ପ୍ରଥମ ବିଜେତା ହେବା ଲାଗି କିୱି ଦଳ ମଧ୍ୟ ନିଜ ଦାବିଦାରି ଉପସ୍ଥାପନା କରିଦେଇଛି। ୨୦୧୯ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଅନେକ ମହତ୍ବପୂର୍ଣ୍ଣ ଶୃଙ୍ଖଳା କରୋନା ପାଇଁ ଖେଳ ହୋଇପାରିନଥିଲା। ତଥାପି ଫାଇନାଲ୍ ଯିବା ବାଟରେ ଭାରତୀୟ କ୍ରିକେଟ୍ ଦଳ ଏକାଧିକ ଐତିହାସିକ ସଫଳତା ସାଉଣ୍ଟିଥିଲା। ଏବେ ଅଧିନାୟକ ବିରାଟ କୋହଲିଙ୍କ ଅଧୀନରେ ପ୍ରଥମ ଆଇସିସି ଟ୍ରଫି ଜିତିବାର ସୁଯୋଗ ଭାରତ ହାତରେ ରହିଛି। ଏଥିଲାଗି କିନ୍ତୁ ଫାଇନାଲ୍‌ ଲଢ଼େଇରେ ନ୍ୟୁଜିଲାଣ୍ଡକୁ ଟିମ୍ ଇଣ୍ଡିଆ ଧରାଶାୟୀ କରିବାକୁ ହେବ। ବ୍ୟକ୍ତିଗତ ଭାବେ ଏହି ମ୍ୟାଚ୍ ବିରାଟଙ୍କ ପାଇଁ ଢେର ମହତ୍ବ ରଖିବ। କାରଣ ଦ୍ବିପାକ୍ଷିକ କ୍ରିକେଟ୍‌ରେ ଭାରତ ତାଙ୍କ ନେତୃତ୍ବରେ ବହୁ ସ୍ମରଣୀୟ ସଫଳତା ଲାଭ କରିଥିଲେ ମଧ୍ୟ କେବେ ବି ଆଇସିସି ଟ୍ରଫି ଜିତି ପାରିନି। ଡବ୍ଲ୍ୟୁଟିସି ଫାଇନାଲ୍‌ରେ କୋହଲିଙ୍କ ଜାଜ୍ଜ୍ବଲ୍ୟମାନ କ୍ୟାରିୟରର ଏହି ଅଭାବ ଦୂର ହେବ ବୋଲି ତାଙ୍କ ସହ ପ୍ରଶଂସକ ବି ଆଶା ରଖିଛନ୍ତି।

ଭାରତ ପାଇଁ କିନ୍ତୁ ଅଭ୍ୟାସର ଅଭାବ ଏକ ସମସ୍ୟା ହୋଇପାରେ। କାରଣ ଗତ ମାର୍ଚ୍ଚପରଠାରୁ ଭାରତୀୟ ଦଳ ଗୋଟିଏ ହେଲେ ବି ଟେଷ୍ଟ୍ ମ୍ୟାଚ୍ ଖେଳିନି। ବରଂ ବିନା ଅଭ୍ୟାସ ମ୍ୟାଚ୍‌ରେ ଏହି ଚର୍ଚ୍ଚିତ ଫାଇନାଲ୍‌ ଖେଳିବାକୁ ଯାଉଛି। ଡବ୍ଲ୍ୟୁଟିସି ଅନ୍ତର୍ଗତ ଭାରତ ୧୭ ଟେଷ୍ଟ୍ ଖେଳି ୧୨ ବିଜୟ ଏବଂ ୪ ପରାଜୟ ପାଇଛି। ସେପଟେ ନ୍ୟୁଜିଲାଣ୍ଡ ତାର ‘ଫାଇନାଲ୍’ ଦୁର୍ଭାଗ୍ୟ ଦୂର କରିବା ଆଶାରେ ରହିବ। ଏକଦିବସୀୟ ବିଶ୍ବକପ୍ ଭଳି ଫାଇନାଲ୍‌ ଲଢ଼େଇରେ ନଝୁଣ୍ଟି ବିଜେତା ହେବାକୁ ନିଶ୍ଚିତ ଆପ୍ରାଣ ଉଦ୍ୟମ କରିବ। ଏଥିଲାଗି ଇଂଲଣ୍ଡ ଶୃଙ୍ଖଳା ଖେଳି କେନ୍ ୱିଲିୟମସନ୍‌ଙ୍କ ଦଳ ଭଲ ପ୍ରସ୍ତୁତି ବି କରିଛି। ଫଳାଫଳ ଯାହା ହେଉନା କାହିଁକି ଦୁଇ ଦଳ ବେଶ୍ ସନ୍ତୁଳିତ ହୋଇଥିବାରୁ ଏହି ଲଢ଼େଇ ବେଶ୍ ରୋମାଞ୍ଚଭରା ହେବ ବୋଲି ଆଶା କରାଯାଉଛି।

ଭାରତର ୩ ସମ୍ଭାବ୍ୟ ଗେମ୍ ଚେଞ୍ଜର
ରବୀନ୍ଦ୍ର ଜାଦେଜା
ଗତ ଦୁଇ ବର୍ଷ ଧରି ଚମତ୍କାର ଫର୍ମରେ ଥିବା ରବୀନ୍ଦ୍ର ଜାଦେଜା ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲ୍‌ରେ ନିଶ୍ଚିତ ଭାବେ ପ୍ରମୁଖ ଭୂମିକା ତୁଲାଇବେ। ଉଭୟ ବଲ୍ ଓ ବ୍ୟାଟ୍‌ରେ ଦଳ ପାଇଁ କ୍ରମାଗତ ଭାବେ ଉପଯୋଗୀ ଭୂମିକା ତୁଲାଇ ଆସୁଥିବା ଜାଦେଜା ଇଂଲଣ୍ଡ ମାଟିରେ ମଧ୍ୟ ମହକିବେ ବୋଲି ଆଶା କରାଯାଉଛି। ଅବଶ୍ୟ ଆଘାତ ଜନିତ ସମସ୍ୟା ଦୂର କରି ହଠାତ୍ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ତାଙ୍କ ପାଇଁ ସହଜ ହୋଇ ନପାରେ। ତଥାପି ଜାଦେଜାଙ୍କୁ ଭାରତୀୟ ଚୂଡ଼ାନ୍ତ ଏକଦାଶରେ ସ୍ଥାନ ମିଳିବା ଏକ ପ୍ରକାର ନିଶ୍ଚିତ। ହାର୍ଦିକ ପାଣ୍ଡ୍ୟା ଦଳରେ ନଥିବାରୁ ତାଙ୍କ ଉପରେ ମଧ୍ୟ ଦଳୀୟ ସନ୍ତୁଳନର ଗୁରୁତ୍ବପୂର୍ଣ୍ଣ ଭାର ରହିବ। ଚଳିତ ବର୍ଷର ଆଇପିଏଲ୍‌ରେ ଭଲ କରିଥିବା ଜାଦେଜାଙ୍କର ଯେ କୌଣସି ମୁହୂର୍ତରେ ମ୍ୟାଚ୍‌ର ମୋଡ଼ ବଦଳାଇ ଦେବାର ଅପୂର୍ବ ଦକ୍ଷତା ଅଛି। ୩୨ ବର୍ଷୀୟ ଜାଦେଜା ୫୧ ଟେଷ୍ଟ୍‌ରେ ଭାରତର ପ୍ରତିନିଧିତ୍ବ କରି ୧୯୫୪ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ୧ ଶତକ ଓ ୧୫ ଅର୍ଦ୍ଧଶତକ। ସେ ମଧ୍ୟ ୯ ପାଞ୍ଚ ୱିକେଟ୍ ଓ ୧ ଦଶ ୱିକେଟ୍ ସଫଳତା ସହ ୨୨୦ ୱିକେଟ୍ କରାୟତ୍ତ କରିଛନ୍ତି।
ଋଷଭ ପନ୍ତ
ଅଷ୍ଟ୍ରେଲିଆ ଗସ୍ତରେ ନିଜ ପରାକାଷ୍ଠା ଦେଖାଇ ସାରିଥିବା ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ହେଉଛନ୍ତି ଭାରତର ଆଉ ଏକ ଟ୍ରମ୍ପ କାର୍ଡ। ଗତ କିଛି ମାସ ଭିତରେ ସେ ମଧ୍ୟ ନିଜ ୱିକେଟ୍ ରକ୍ଷଣ କୌଶଳକୁ ଆହୁରି ଶାଣିତ କରି ସାରିଛନ୍ତି। ଅଣପାରମ୍ପରିକ ଓ ବିପ୍ପଜନକ ସଟ୍ ଖେଳିବାରେ ସିଦ୍ଧହସ୍ତ ଋଷଭ ନ୍ୟୁଜିଲାଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇ ପାରନ୍ତି। ତାଙ୍କ ବାମହାତୀ ବିସ୍ଫୋରକ ବ୍ୟାଟିଂ ମଧ୍ୟ ଭାରତୀୟ ବ୍ୟାଟିଂକ୍ରମରେ ବିବିଧତା ଭରି ଥାଏ। ବ୍ରିସବନ୍ ଟେଷ୍ଟ୍‌ରେ ଯେଭଳି ଭାବେ ଅଷ୍ଟ୍ରେଲିଆ ପଞ୍ଝାରୁ ଡ୍ର’ ଛଡ଼ାଇ ଆଣିଥିଲେ, ତାହା ମଧ୍ୟ ନ୍ୟୁଜିଲାଣ୍ଡ ବୋଲରଙ୍କୁ ଭଲ ଭାବରେ ଜଣାଥିବ। ୨୩ ବର୍ଷୀୟ ପନ୍ତ ୨୦ ଟେଷ୍ଟ୍ ଖେଳି ୧୩୫୮ ରନ୍ କରିଛନ୍ତି। ତା’ ଭିତରେ ସେ ୩ ଶତକ ଓ ୬ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଯଶପ୍ରୀତ ବୁମ୍‌ରା
ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିବା ପରଠାରୁ ଭାରତୀୟ କ୍ରିକେଟ୍ ଦଳ ପାଇଁ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ସମ୍ପତ୍ତି ପାଲଟିଛନ୍ତି। ଟିମ୍ ଇଣ୍ଡିଆର ସେ ଶ୍ରେଷ୍ଠ ବୋଲର ହୋଇ ରହିଆସିଛନ୍ତି। ନିଜ ଦକ୍ଷତାକୁ ସେ ବାରମ୍ବାର ପ୍ରମାଣିତ ବି କରିଛନ୍ତି। ଅଣପାରମ୍ପରିକ ବୋଲିଂ ଶୈଳୀ ପାଇଁ ପରିଚିତ ବୁମ୍‌ରାଙ୍କୁ ଯୋଡ଼ି ଭାଙ୍ଗିବା ଏବଂ ମହତ୍ବପୂର୍ଣ୍ଣ ମୋଡ଼ରେ ୱିକେଟ୍ ନେବାର କଳା ଭଲ ଭାବରେ ଜଣା। ଈଶାନ୍ତ ଶର୍ମାଙ୍କ ଅନୁପସ୍ଥିତିରେ ସଫଳତାର ସହ ଭାରତୀୟ ବୋଲିଂ ବାହିନୀର ନେତୃତ୍ବ ନେଇଛନ୍ତି ସେ। ୨୭ ବର୍ଷୀୟ ବୁମ୍‌ରା ୧୮ ଟେଷ୍ଟ୍ ଖେଳି ୮୪ ୱିକେଟ୍ ଅକ୍ତିଆର କରିଛନ୍ତି। ସେଥିମଧ୍ୟରେ ଅଛି ୫ ପାଞ୍ଚ ୱିକେଟ୍ ସଫଳତା।

ସମ୍ବନ୍ଧିତ ଖବର