ଲଣ୍ଡନ: ଡବ୍ଲୁଟିସି ଫାଇନାଲ୍‌ରେ ଭାରତୀୟ ବ୍ୟାଟର ବିରାଟ କୋହଲି ଶୀଘ୍ର ଆଉଟ୍‌ ହୋଇଯିବା ପରେ ତୁରନ୍ତ ଡ୍ରେସିଂ ରୁମ୍‌ରେ ଖାଉଥିବା ସମୟର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫାଇନାଲ୍‌ ଭଳି ମ୍ୟାଚ୍‌ରେ ଶୀଘ୍ର ଆଉଟ୍‌ ହୋଇଯାଇ ସେ କିପରି ଆନନ୍ଦରେ ଖାଇବାକୁ ପସନ୍ଦ କରୁଛନ୍ତି ବୋଲି ଅନେକ ୟୁଜର ପ୍ରଶ୍ନ କରିଥିଲେ। ୨୦୦୩ ବିଶ୍ବକପ୍‌ ଫାଇନାଲ୍‌ରେ ଶୀଘ୍ର ଆଉଟ୍ ହୋଇଯିବାରୁ ସଚିନ୍‌ ତେନ୍ଦୁଲକର ତିନିଦିନ ପର୍ଯ୍ୟନ୍ତ ଖାଇପାରିନଥିଲେ। କିନ୍ତୁ କୋହଲି ଆଉଟ୍‌ ହୋଇ ଆସିବା ମାତ୍ରେ ପ୍ଲେଟ୍‌ ଧରି ଖାଇବାକୁ ଲାଗିଥିଲେ ବୋଲି ୟୁଜରମାନେ ସମାଲୋଚନାତ୍ମକ ପୋଷ୍ଟ କରିଥିଲେ। ତେବେ ଏହା ଉପରେ ଇନ୍‌ଷ୍ଟାଗ୍ରାମ୍‌ରେ କୋହଲି ଏକ ଷ୍ଟୋରି ଅପ୍‌ଡେଟ୍‌ କରି ତାହାର ଜବାବ ରଖିଛନ୍ତି। ‘ଲୋକମାନଙ୍କ ମନ୍ତବ୍ୟଠୁ ଆଗକୁ ବଢି ଅନ୍ୟ ଜଣଙ୍କୁ ନାପସନ୍ଦ କରିବାର ଦକ୍ଷତାକୁ ବୃଦ୍ଧି କରିବା ଆବଶ୍ୟକ’ ବୋଲି କୋହଲି ଲେଖିଛନ୍ତି। ଫାଇନାଲ୍‌ର ଦ୍ବିତୀୟ ଦିନରେ କୋହଲି ୧୪ ରନ୍‌ କରିଥିଲା ବେଳେ ମିଚେଲ୍‌ ଷ୍ଟାର୍କଙ୍କ ଅପେକ୍ଷାକୃତ ଅଧିକ ଉଚ୍ଚର ବାଉନ୍ସକୁ ଖେଳିନପାରି ସ୍ଲିପ୍‌ରେ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ।