ନୂଆଦିଲ୍ଲୀ : ବୁଧବାରଠୁ ଆରମ୍ଭ ହେଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ରେ ଭାରତ ଦୁଇ ଜଣ ସ୍ପିନରଙ୍କୁ ନେଇ ଖେଳିବା ଉଚିତ୍‌ ହେବ ବୋଲି ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସାର କହିଛନ୍ତି। ଟେଷ୍ଟ ମ୍ୟାଚ୍‌ର ୧୪୦ ବର୍ଷର ଇତିହାସରେ ପ୍ରଥମ ଥର ଜୁନ୍‌ ମାସରେ ଦକ୍ଷିଣ ଲଣ୍ଡନ ପଡ଼ିଆ ଦ ଓଭାଲ୍‌ରେ ଟେଷ୍ଟ କ୍ରିକେଟ୍‌ ଖେଳାଯିବ। ଏହାର ପିଚ୍‌ ସବୁଜ ଓ ସତେଜ ରହିଛି। କିନ୍ତୁ ଓଭାଲ୍‌ ପଡ଼ିଆରେ ସବୁବେଳେ ଭ୍ରମଣକାରୀ ଦଳ ଶୃଙ୍ଖଳାର ଶେଷ ମ୍ୟାଚ୍‌ ‌ଖେଳିଥାନ୍ତି। ଏହା ପ୍ରାୟତଃ ଅଗଷ୍ଟ ଶେଷ ଆଡ଼କୁ କିମ୍ବା ସେପ୍ଟେମ୍ବର ଆରମ୍ଭ ବେଳକୁ ଖେଳାଯାଇଥାଏ। ସେତେବେଳେ ପିଚ୍‌ ଶୁଖିଲା ଥାଏ ଏବଂ ‌ସ୍ପିନରଙ୍କୁ ସୁହାଇଥାଏ।

Advertisment

publive-image

ମଣ୍ଟିଙ୍କ ଅନୁସାରେ, ଅଷ୍ଟ୍ରେଲିଆ ସବୁବେଳେ ସ୍ପିନରଙ୍କୁ ଖେଳିବାରେ ଅସୁବିଧାରେ ପଡ଼ିଥାଏ। ଓଭାଲ୍‌ ପିଚରେ ଭଲ ବାଉନ୍ସ ଥିବାରୁ ସ୍ପିନରଙ୍କୁ ମଧ୍ୟ ସେଭଳି ବାଉନ୍ସ ମିଳିବ। ଯଦି ଦୁଇ ଜଣ ସ୍ପିନରଙ୍କୁ ନେଇ ଭାରତ ଖେଳେ ତାହେଲେ, ଫ୍ଲାଟ୍‌ ୱିକେଟ୍‌ ଓ ପାରିପାର୍ଶ୍ବିକ ପରିସ୍ଥିତି ରୋହିତ ଶର୍ମାଙ୍କ ଦଳକୁ ସୁହାଇବ। ଯଦିଓ ଦୁଇବର୍ଷ ତଳେ ସାଉଥାମ୍ପଟନ୍‌ରେ ଦୁଇ ସ୍ପିନରଙ୍କୁ ନେଇ ଖେଳିବା ଭାରତ ପକ୍ଷରେ ଲାଭପ୍ରଦ ହୋଇପାରିନଥିଲା, କିନ୍ତୁ ଓଭାଲ୍‌ରେ ଏହା ଭଲ ଫଳ ଦେବ ବୋଲି ମଣ୍ଟି ଆଶାବ୍ୟକ୍ତ କରିଛନ୍ତି। ସେହିପରି ମହମ୍ମଦ ସାମି ଓ ମହମ୍ମଦ ସିରାଜଙ୍କ ପରେ ତୃତୀୟ ଦ୍ରୁତ ବୋଲର ଭାବେ ଶାର୍ଦ୍ଦୁଳ ଠାକୁରଙ୍କ ଅପେକ୍ଷା ଉମେଶ ଯାଦବଙ୍କୁ ସେ ଉପଯୁକ୍ତ ମଣିଛନ୍ତି। ପୁଣି ଅଶ୍ବିନ୍‌ ଓ ଜାଦେଜାଙ୍କୁ ଖେଳାଇଲେ ଭାରତ ପାଖରେ ଅତିରିକ୍ତ ବ୍ୟାଟିଂ ସୁଯୋଗ ରହିବ। ଏହି ମ୍ୟାଚ୍‌ରେ ରିଭର୍ସ ସୁଇଂ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ବୋଲି ସେ ଆକଳନ କରିଛନ୍ତି। ଅଷ୍ଟ୍ରେଲିଆ ବୋଲରଙ୍କ ତୁଳନାରେ ଭାରତୀୟମାନେ ଭଲ ଭାବେ ରିଭର୍ସ ସୁଇଂ କରିପାରନ୍ତି ବୋଲି ସେ କହିଛନ୍ତି।

publive-image

ଅନ୍ୟପକ୍ଷରେ ଭାରତୀୟ ବ୍ୟାଟିଂ କ୍ରମରେ ସସେକ୍ସ ଅଧିନାୟକ ‌ଚେତେଶ୍ବର ପୂଜାରା ‘ଏକ୍ସ ଫ୍ୟାକ୍ଟର’ ହୋଇପାରନ୍ତି ବୋଲି ମଣ୍ଟି ଅନୁଭବ କରିଛନ୍ତି। କାଉଣ୍ଟି କ୍ରିକେଟ୍‌ରେ ଗତ ଦୁଇଟି ଋତୁରେ ପୂଜାରା ପ୍ରଚୁର ରନ୍‌ ସଂଗ୍ରହ କରିଛନ୍ତି। ଯେତେବେଳେ ଅନ୍ୟମାନେ ଆଇପିଏଲ୍‌ରେ ବ୍ୟସ୍ତ ଥିଲେ ସେତେବେଳେ ପୂଜାରା ନାଲି ବଲ୍‌ରେ ଖେଳିବା ଜାରି ରଖିଥିଲେ। ତାଙ୍କର ଧୈର୍ଯ୍ୟ ଓ ଅଷ୍ଟ୍ରେଲିଆ ଆକ୍ରମଣଙ୍କୁ ରୋକିବାରେ ତାଙ୍କର ଦକ୍ଷତା ହିଁ ତାଙ୍କୁ ଅନ୍ୟମାନଙ୍କଠୁ ଅଲଗା କରିପାରୁଛି। ‌ୱିକେଟ୍‌ରକ୍ଷକଙ୍କ କ୍ଷେତ୍ରରେ କେଏସ୍‌ ଭରତଙ୍କ ଅପେକ୍ଷ ଈଶାନ କିଶନଙ୍କୁ ସେ ଅଧିକ ପସନ୍ଦ କରିଛନ୍ତି। କାରଣ ଇଂଲଣ୍ଡ ପରିବେଶରେ ଜଣେ ଅସାଧାରଣ ୱିକେଟରକ୍ଷକଙ୍କୁ ଖେଳାଇବା ଆବଶ୍ୟକ ହେବନି। କେବଳ ୱିକେଟ୍‌କିପିଂ ସହ ବ୍ୟାଟିଂ କରିପାରୁଥିବା ଜଣେ ଖେଳାଳି ଦରକାର ବୋଲି ମଣ୍ଟି କହିଛନ୍ତି। ଅଷ୍ଟ୍ରେଲିଆ ପାଇଁ ମିଚେଲ୍‌ ଷ୍ଟାର୍କ ‘ଏକ୍ସ ଫ୍ୟାକ୍ଟର’ ହେବା ନେଇ ମଣ୍ଟି ଅନୁମାନ କରିଛନ୍ତି। ବଲ୍‌କୁ ଅଧିକ ବେଗରେ ବୋଲିଂ କରିପାରିବା ସହିତ ଡେରିରେ ସୁଇଂ କରାଇବା ଦକ୍ଷତା ତାଙ୍କ ପାଖରେ ରହିଛି। ଗୋଟିଏ ସ୍ପେଲ୍‌ରେ ଖେଳର ଦିଗ ବଦଳାଇ ଦେବା ଭଳି କରାମତି କରିପାରିବେ। ତେଣୁ ଭାରତୀୟଙ୍କୁ ପିଚ୍‌ରେ ତିଷ୍ଠି ରହିବାକୁ ହେଲେ ଷ୍ଟାର୍କଙ୍କୁ ନିୟନ୍ତ୍ରଣରେ ରଖିବା ବଡ଼ ଆହ୍ବାନ ହେବ ବୋଲି ସେ କହିଛନ୍ତି।