ସାଉଥାମ୍ପଟନ୍: ଏଜିସ୍ ବାୱେଲରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ୍ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ମ୍ୟାଚ୍ର ଚତୁର୍ଥ ଦିବସ ଖେଳ ବର୍ଷା କାରଣରୁ ସମ୍ପୂର୍ଣ୍ଣ ଧୋଇଯାଇଛି। ଫଳରେ ସଂରକ୍ଷିତ ଧାର୍ଯ୍ୟ ଥିବା ଷଷ୍ଠ ଦିବସକୁ ମ୍ୟାଚ୍ ଯିବା ନିଶ୍ଚିତ ହୋଇଛି। ମୋମବାର ମ୍ୟାଚ୍ ଧୋଇଯିବା ପରେ ଏବେ ଫଳାଫଳ ବାହାରିବା ପାଇଁ ସର୍ବାଧିକ ୧୯୬ ଓଭର ରହିବ। କାରଣ ଅତିରିକ୍ତ ସମୟ ସହ ପରବର୍ତୀ ଦୁଇ ଦିନ ସର୍ବାଧିକ ୯୮ ଓଭର ଲେଖାଏଁ ଖେଳାଯାଇପାରିବ। ଏଥି ସହିତ ବିଶ୍ବକପ୍ ଫାଇନାଲ୍ ଭଳି ନ୍ୟୁଜିଲାଣ୍ଡ୍ ମଧ୍ୟ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଜିତିବାର ସ୍ବପ୍ନ ଅଧୁରା ରହିଯିବ।
ଅପେକ୍ଷାକୃତ ଭଲ ସ୍ଥିତିରେ ଥିବାରୁ ନ୍ୟୁଜିଲାଣ୍ଡ୍ ଅଧିକ କଷ୍ଟ ପାଇବ। ପ୍ରତ୍ୟାବର୍ତନ ଆଶାରେ ଥିବା ଭାରତ ମଧ୍ୟ ବିସ୍ମିତ ରହିବ। ପୂର୍ବରୁ ପ୍ରଥମ ଦିନ ଖେଳ ସମ୍ପୂର୍ଣ୍ଣ ବାତିଲ ହୋଇଥିବାବେଳେ ଦ୍ବିତୀୟ ଓ ତୃତୀୟ ଦିନ ଯଥାକ୍ରମେ ୬୪.୪ ଓ ୭୬.୩ ଓଭର ସମ୍ଭବ ହୋଇଥିଲା। ଚତୁର୍ଥ ଦିବସରେ ଲଗାଣ ବର୍ଷା ଲାଗି ରହିବାରୁ ଅମ୍ପାୟାର୍ ଦିନର ଖେଳକୁ ବାତିଲ ଘୋଷଣା କରିଥିଲେ। ରବିବାର ତୃତୀୟ ଦିନ ଖେଳ ବନ୍ଦ ବେଳକୁ ନ୍ୟୁଜିଲାଣ୍ଡ୍ ୨ ୱିକେଟ୍ ହରାଇ ୧୦୧ ରନ୍ କରି ତଥାପି ୧୧୬ ରନ୍ ପଛରେ ରହିଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୯୨.୧ ଓଭରରେ ୨୧୭ (ଅଜିଙ୍କ୍ୟ ରାହାଣେ-୪୯, ବିରାଟ କୋହଲି-୪୪, କାଇଲ୍ ଜାମିସନ୍-୫/୩୧)। ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି: ୪୯ ଓଭରରେ ୧୦୧/୨ (ଡେଭନ୍ କନ୍ୱେ-୫୪, କେନ୍ ୱିଲିୟମସନ୍-୧୨*, ରସ୍ ଟେଲର୍-୦*, ଈଶାନ୍ତ ଶର୍ମା-୧/୧୯, ରବିଚନ୍ଦ୍ରନ ଅଶ୍ବିନ-୧/୨୦)।