ଲର୍ଡସ: ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍‌ ଫାଇନାଲ୍‌ରେ ୱିକେଟ୍‌ ପତନ ଧାରା ଜାରି ରହିଛି। ପ୍ରଥମ ଦିନ ଭଳି ଦ୍ବିତୀୟ ଦିନ ମଧ୍ୟ ସମାନ ୧୪ ୱିକେଟ୍ ପତନ ଘଟିଛି। କାଗିସୋ ରବାଡ଼ାଙ୍କ ୫ ୱିକେଟ୍ ସଫଳତା କାରଣରୁ ଅଷ୍ଟ୍ରେଲିଆ ପ୍ରଥମ ଦିନ ମାତ୍ର ୨୧୨ ରନ୍ କରିଥିଲା। ଗୁରୁବାର ଦ୍ବିତୀୟ ଦିନରେ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ୬ ୱିକେଟ୍ ବଳରେ ଅଷ୍ଟ୍ରେଲିଆ ବୋଲର ପ୍ରଥମ ଥର ଫାଇନାଲିଷ୍ଟ୍‌ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିକୁ ମାତ୍ର ୧୩୮ ରନ୍‌ରେ ଶେଷ କରି ଦେଇଥିଲେ। ପ୍ରଥମ ପାଳିରେ ଗତ ଥରର ବିଜେତା ଅଷ୍ଟ୍ରେଲିଆ ମହତ୍ବପୂର୍ଣ୍ଣ ୭୪ ରନ୍ ଅଗ୍ରଣୀ ମଧ୍ୟ ନେଇଛି। ତଥାପି ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି ମଧ୍ୟ ବିପର୍ଯ୍ୟୟ ଭିତରେ ଗତି କରିଛି। ନିମ୍ନକ୍ରମରେ ଆଲେକ୍ସ କ୍ୟାରି ଓ ମିଚେଲ୍ ଷ୍ଟାର୍କଙ୍କ ଲଢ଼ୁଆ ଭାଗୀଦାରି (୬୧ ରନ୍‌) କରିବାରୁ ଦକ୍ଷିଣ ଆଫ୍ରିକା ବୋଲର ନିରାଶ ହୋଇଥିଲେ। ଦ୍ବିତୀୟ ଦିନ ସୁଦ୍ଧା ହାତରେ ୨ ୱିକେଟ୍ ଥାଇ ଅଷ୍ଟ୍ରେଲିଆ ମୋଟ ଉପରେ ୨୧୮ ରନ୍ ଅଗ୍ରଣୀ ନେଇ ସାରିଥିବାରୁ କ୍ରମେ ସ୍ଥିତି ଦୃଢ଼ କରିଥିବା ବିବେଚନା କରାଯାଉଛି।

Advertisment

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୧୨/୧୦ (ବିୟୁ ୱେବଷ୍ଟର୍‌-୭୨, ଷ୍ଟିଭ୍ ସ୍ମିଥ୍‌-୬୬, କାଗିସୋ ରବାଡ଼ା-୫/୫୧, ମାର୍କୋ ୟାନସେନ୍‌-୩/୪୯)। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୫୭.୧ ଓଭରରେ ୧୩୮/୧୦ (ଡେଭିଡ୍ ବେଡ଼ିଙ୍ଗହାମ-୪୫, ତେମ୍ବା ବଭୂମା-୩୬, ପ୍ୟାଟ୍ କମିନ୍ସ-୬/୨୮, ମିଚେଲ୍‌ ଷ୍ଟାର୍କ-୨/୪୧, ଜୋସ୍ ହାଜେଲଉଡ୍‌-୧/୨୭)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୪୦ ଓଭରରେ ୧୪୪/୮ (ଆଲେକ୍ସ କ୍ୟାରି-୪୩, ମାର୍ନସ ଲବୁସାନ୍‌-୨୨, ମିଚେଲ ଷ୍ଟାର୍କ-୧୬*, ଲୁଙ୍ଗି ଏନ୍‌ଗିଡି-୩/୩୫, କାଗିସୋ ରବାଡ଼ା-୩/୪୪, ୱିଆନ୍ ମୁଲ୍ଡର-୧/୧୪, ମାର୍କୋ ୟାନ୍‌ସେନ୍‌-୧/୩୧)।

କମିନ୍ସଙ୍କ ରେକର୍ଡ ଦିନ

ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଗୁରୁବାର ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ସଂପ୍ରତି  ଲର୍ଡସରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ରେ ସେ ୬ ୱିକେଟ୍‌ ଅକ୍ତିଆର କରିଛନ୍ତି। ଏହି ସଫଳତା ବଳରେ କମିନ୍ସ ଆଇସିସି ପ୍ରତିଯୋଗିତା (ସବୁ ଫର୍ମାଟ୍‌) ଫାଇନାଲ୍‌ରେ ସର୍ବାଧିକ ୱିକେଟ୍‌ ନେବାର ରେକର୍ଡ କରିଛନ୍ତି। ସେ ଏହି କ୍ରମରେ ମିଚେଲ ଷ୍ଟାର୍କ (୧୧)ଙ୍କୁ ଟପିଛନ୍ତି। ଏଥିସହ ସେ ମଧ୍ୟ ଅଷ୍ଟମ ଖେଳାଳି ଭାବେ ଟେ‌ଷ୍ଟ୍‌ କ୍ରିକେଟ୍‌ରେ ୩୦୦ରୁ ଊର୍ଧ୍ବ ୱିକେଟ୍‌ ନେବାରେ କୀର୍ତ୍ତିମାନ କରିଛନ୍ତି। ତାଙ୍କ ୬/୨୮ ସଫଳତା ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଜଣେ ଟେଷ୍ଟ୍‌ ଅଧିନାୟକ ଭାବେ ଶ୍ରେଷ୍ଠ ବୋଲିଂ। ପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ବବ୍‌ ୱିଲିସ୍‌ (୬/୧୦୧)ଙ୍କ ନାମରେ ଥିଲା। ୱିଲିସ୍‌ ୧୯୮୨ରେ ଭାରତ ବିପକ୍ଷରେ ଏହି ସଫଳତା ପାଇଥିଲେ। ଏହି ରେକର୍ଡ ଭଙ୍ଗା ଦିନରେ ୩୨ ବର୍ଷୀୟ କମିନ୍ସ ଟେଷ୍ଟ୍‌ ଅଧିନାୟକ ଭାବେ ୫ ୱିକେଟ୍‌ ସଫଳତା ପାଇବାରେ ନିଜ ଦେଶର ରିଚି ବେନୌଙ୍କ ସମକକ୍ଷ ହୋଇଛନ୍ତି। ଏହି ଦୁଇ ଅଷ୍ଟ୍ରେଲୀୟ ଖେଳାଳି ପାକିସ୍ତାନର ପୂର୍ବତନ ଅଧିନାୟକ ଇମ୍ରାନ ଖାନ (୧୨)ଙ୍କ ପଛକୁ ଦ୍ବିତୀୟରେ ଅଛନ୍ତି।