ଦୁବାଇ: ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ଫାଇନାଲ୍ର ଦ୍ବିତୀୟ ସଂସ୍କରଣ ଲଣ୍ଡନର ଦ ଓଭାଲଠାରେ ଚଳିତ ବର୍ଷ ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ ବୋଲି ବୁଧବାର ଆଇସିସି ନିଶ୍ଚିତ କରିଛି। ଫାଇନାଲ୍ ଲାଗି ଜୁନ୍ ୧୨ ତାରିଖକୁ ମଧ୍ୟ ରିଜର୍ଭ ଦିବସ ରଖାଯାଇଛି। ଆଇପିଏଲ୍ ଫାଇନାଲ୍ (ମେ ୨୮) ଏବଂ ଆସେସ୍ ଆରମ୍ଭ (ଜୁନ୍ ୧୬)କୁ ନଜର ରଖି ଏହି ତାରିଖ ଓ ସ୍ଥାନ ଚୟନ କରିଛି ଆଇସିସି। ଚଳିତ ଡବ୍ଲୁଟିସି ଚକ୍ରର ଆଉ କେବଳ ୩ ଶୃଙ୍ଖଳା ବାକି ରହିଛି। ଏଥିରେ ରହିଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାରଠୁ ଆରମ୍ଭ ହେଉଥିବା ୪ ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ଟ୍ରଫି ଏବଂ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା-ୱେଷ୍ଟଇଣ୍ଡିଜ୍ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା। ହେଲେ ଏ ପର୍ଯ୍ୟନ୍ତ ଫାଇନାଲିଷ୍ଟ ଦଳ ନିଶ୍ଚିତ ହୋଇନି। ଏହି ଦୌଡ଼ରେ ଅଷ୍ଟ୍ରେଲିଆ ସର୍ବାଗ୍ରେ ରହିଥିଲା ବେଳେ ଭାରତ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ସମ୍ଭାବନାରେ ରହିଛନ୍ତି।
ଅଷ୍ଟ୍ରେଲିଆ ୪ ମ୍ୟାଚ୍ ଶୃଙ୍ଖଳାକୁ ଭାରତ ସହ ଡ୍ର କରିଦେଲେ ଡବ୍ଲୁଟିସି ଫାଇନାଲ୍ ସ୍ଥାନ ପକ୍କା କରିନେବ। ଯଦି ଏହା ନ ହୁଏ ଅନ୍ୟ ଦଳର ଫଳ ଉପରେ ନିର୍ଭର କରିବ। ଭାରତ ଯଦି ଅଷ୍ଟ୍ରେଲିଆକୁ ୩-୧ରେ ହରାଇଲା ତେବେ ଭାରତର ନିଶ୍ଚିତ ହେବ। ନହେଲେ ଭାରତ ମଧ୍ୟ ଅନ୍ୟ ଦଳର ଫଳ ଉପରେ ନିର୍ଭର କରିବ। ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ମୂଳପୋଛ କଲେ ସେମାନଙ୍କ ପାଇଁ ମଧ୍ୟ ସୂଯୋଗ ରହିବ। ସୂଚନାଯୋଗ୍ୟ ଯେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ପ୍ରଥମ ଡବ୍ଲୁଟିସି ବିଜେତା ହୋଇଥିଲା।