ନୂଆଦିଲ୍ଲୀ: ଐତିହାସିକ ଲର୍ଡ୍ସ କ୍ରିକେଟ୍ ଷ୍ଟାଡିୟମ୍ରେ ୨୦୨୫ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆଇସିସି ଘୋଷଣା କରିସାରିଛି। ଜୁନ୍ ୧୧ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଫାଇନାଲ୍କୁ ଆହୁରି ୯ ମାସରୁ ଅଧିକ ସମୟ ରହିଛି। ହେଲେ ଫାଇନାଲ୍ରେ ପହଞ୍ଚିବାକୁ ଏବେଠାରୁ ଦୌଡ଼ ଜୋର୍ଦାର ଚାଲିଛି। ଚଳିତ ସଂସ୍କରଣର ଫାଇନାଲ୍ ପାଇଁ ଭାରତ ଓ ଅଷ୍ଟ୍ରେଲିଆକୁ ପ୍ରମୁଖ ଦାବିଦାର ଭାବେ ଗଣନା କରାଯାଉଛି। ଏମାନଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏହି ଦୌଡ଼ରେ ସକ୍ରିୟ ଅଛନ୍ତି। କିନ୍ତୁ ପାକିସ୍ତାନକୁ ୨-୦ରେ ହରାଇବା ପରେ ବାଂଲାଦେଶ ଏହି ସମସ୍ତ ଦଳଙ୍କୁ ପରୋକ୍ଷରେ ଚେତାବନୀ ଦେଇଛି। ଏବେ ବାଂଲାଦେଶ ମଧ୍ୟ ଫାଇନାଲ୍ ଦୌଡ଼ରେ ଟିକେ ଆଗକୁ ଚାଲିଆସିଛି।
ଦୁଇଥରର ଫାଇନାଲିଷ୍ଟ ଭାରତ ଏବେ ଡବ୍ଲ୍ୟୁଟିସି ତାଲିକାରେ ଆଗରେ ରହିଛି। ଭାରତ ୬୮.୫୨ ପ୍ରତିଶତ ସହ ପ୍ରଥମ ସ୍ଥାନରେ ରହିଛି। ଫାଇନାଲ୍ରେ ପହଞ୍ଚିବା ପୂର୍ବରୁ ଭାରତକୁ ଆଉ ୧୦ ଟି ମ୍ୟାଚ୍ର ବାଧାକୁ ଅତିକ୍ରମ କରିବାକୁ ହେବ। ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପରବର୍ତ୍ତୀ ଟେଷ୍ଟ୍ ଶୃଙ୍ଖଳା ରହିଛି। ଏସବୁ ଭିତରେ ବର୍ଡର-ଗାଭାସ୍କର ଟ୍ରଫିର ଫଳାଫଳ ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିବ। ଡବ୍ଲ୍ୟୁଟିସି ଚକ୍ରରେ ଭାରତର ଶ୍ରେଷ୍ଠ ସମ୍ଭାବନା ୮୫.୦୯ ପ୍ରତିଶତ ଥିଲା।
ବିଜେତା ଅଷ୍ଟ୍ରେଲିଆ ମଧ୍ୟ ତାଲିକାରେ ୬୨.୫୦ ପ୍ରତିଶତ ସମ୍ଭାବନା ରଖି ଭାରତ ତଳକୁ ରହିଛି। ଏହି ଦଳକୁ ଆଉ ୭ ମ୍ୟାଚ୍ର ସାମ୍ନା କରିବାକୁ ଅଛି। ବର୍ଡର-ଗାଭାସ୍କର ଟ୍ରଫି ଜିତିଲେ ଅଷ୍ଟ୍ରେଲିଆ ସିଧାସଳଖ ଫାଇନାଲ୍ରେ ପହଞ୍ଚିଯିବ। ଏକାଧିକ ଆଇସିସି ଇଭେଣ୍ଟ ଗୁଡ଼ିକରେ ଭାରତକୁ ଅଷ୍ଟ୍ରେଲିଆ ହରାଇ ବିଜେତା ହୋଇଥିବାରୁ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି। ଡବ୍ଲ୍ୟୁଟିସିରେ ଅଷ୍ଟ୍ରେଲିଆର ଶ୍ରେଷ୍ଠ ସମ୍ଭାବନା ୭୬.୩୨ ପ୍ରତିଶତ ରହିଥିଲା।
ପ୍ରଥମ ସଂସ୍କରଣର ବିଜେତା ନ୍ୟୁଜିଲାଣ୍ଡ ଏବେ ୫୦ ପ୍ରତିଶତ ସମ୍ଭାବନା ପଏଣ୍ଟ ପାଇ ଫାଇନାଲ୍ ଦୌଡ଼ରେ ରହିଛି। ନ୍ୟୁଜିଲାଣ୍ଡ ଆଗରେ ବିଦେଶରେ ଶ୍ରୀଲଙ୍କା, ଭାରତ ସହିତ ଖେଳିବାକୁ ଥିଲା ବେଳେ ଘରୋଇ ଶୃଙ୍ଖଳାରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ୍ ଖେଳିବାକୁ ଅଛି। ଫାଇନାଲ୍ରେ ପହଞ୍ଚିବାକୁ ହେଲେ ସମସ୍ତ ଶୃଙ୍ଖଳାରେ ଭଲ ପ୍ରଦର୍ଶନ ଦେବାକୁ ହେବ। ପୂର୍ବରୁ ଦଳର ଶ୍ରେଷ୍ଠ ସମ୍ଭାବନା ୭୮.୫୭ ପ୍ରତିଶତ ରହିଥିଲା।
ବାଂଲାଦେଶ ଏବେ ୪୫.୮୩ ପ୍ରତିଶତ ସମ୍ଭାବନା ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛି। ପାକିସ୍ତାନ ବିପକ୍ଷ ଶୃଙ୍ଖଳା ବିଜୟ ପରେ ଏହି ଉନ୍ନତି ଆସିଛି। ଆଗକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଶୃଙ୍ଖଳା ଏବଂ ଭାରତ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବାହାରେ ଟେଷ୍ଟ୍ ଶୃଙ୍ଖଳା ଖେଳିବାକୁ ଅଛି। ପୂର୍ବରୁ ବାଂଲାଦେଶର ଶ୍ରେଷ୍ଠ ସମ୍ଭାବନା ୭୫ ପ୍ରତିଶତ ଥିଲା।
ବାଜ୍ବଲ୍ ପଦ୍ଧତି ଆପଣାଇ ପ୍ରତିପକ୍ଷଙ୍କୁ ଚାପରେ ରଖିପାରୁଥିବା ଇଂଲଣ୍ଡ ଏବେ ୪୫.୮୩ ପ୍ରତିଶତ ସମ୍ଭାବନା ପଏଣ୍ଟ ପାଇଛି। ଫାଇନାଲ୍କୁ ଯିବାକୁ ହେଲେ ଏହି ଦଳ ନିଜର ପ୍ରଦର୍ଶନ ସହିତ ଅନ୍ୟ ଦଳଙ୍କ ପ୍ରଦର୍ଶନ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ। ଆଗକୁ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ସହିତ ଶୃଙ୍ଖଳା ଥିବାରୁ ଏଗୁଡ଼ିକରେ ବିଜୟ ନିହାତି ଆବଶ୍ୟକ ରହିଛି। ଏଥିସହିତ ଭାରତ ଓ ଅଷ୍ଟ୍ରେଲିଆ ଯଦି ପଏଣ୍ଟ ହରାଉଛନ୍ତି, ତାହେଲେ ଏହା ମଧ୍ୟ ଇଂଲଣ୍ଡକୁ ସହାୟକ ହେବ। ତଥାପି ସବୁକିଛି ଠିକ୍ଠାକ୍ ଚାଲିଲେ ଚକ୍ର ଶେଷ ବେଳକୁ ଇଂଲଣ୍ଡର ସମ୍ଭାବନା ୬୨.୫୦ ପ୍ରତିଶତରେ ପହଞ୍ଚିପାରିବ।
କେବେବି ଫାଇନାଲ୍ରେ ପହଞ୍ଚିପାରି ନଥିବା ଦକ୍ଷିଣ ଆଫ୍ରିକା ୩୮.୮୯ ପ୍ରତିଶତ ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟଶୂନ୍ୟ ରହିଥିଲେ ମଧ୍ୟ ଆଗକୁ ବାଂଲାଦେଶ ସହିତ ବାହାରେ ଏବଂ ଶ୍ରୀଲଙ୍କା ଓ ପାକିସ୍ତାନ ବିପକ୍ଷରେ ଘରୋଇ ଶୃଙ୍ଖଳା ଖେଳିବା ବାକି ରହିଛି। ଏହି ସବୁଥିରେ ବି ଦଳ ଜିତିଲେ ଏହାର ସର୍ବାଧିକ ପଏଣ୍ଟ ପ୍ରତିଶତ ୬୯.୪୪ ପର୍ଯ୍ୟନ୍ତ ଯାଇପାରିବ।