ଜୁନ ୭-୧୧ରେ ଲଣ୍ଡନରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ୨୦୨୧-୨୩ ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ତାରିଖ ଘୋଷଣା କରିଛି । ଏହି ଟେଷ୍ଟ ମ୍ୟାଚଟି ଲଣ୍ଡନର ଓଭାଲଠାରେ ଜୁନ ୭ରୁ ୧୧ ମଧ୍ୟରେ ଖେଳାଯିବ । ୧୨ ତାରିଖକୁ ଏକ ରିଜର୍ଭ ଦିବସ ଭାବେ ରଖାଯାଇଛି ।

ଗତ ୨୦୨୧ରେ ହୋଇଥିବା ପ୍ରଥମ ବିଶ୍ବ ଟେଷ୍ଟ ଚାମ୍ପିଅନସିପରେ ନ୍ୟୁଜିଲାଣ୍ଡ ଚାମ୍ପିଅନ ହୋଇଥିଲା । ସାଉଥହାମ୍ପଟନଠାରେ ଖେଳାଯାଇଥିବା ଫାଇନାଲରେ ନ୍ୟୁଜିଲାଣ୍ଡ ଦଳ ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଥିଲା ।

ଚଳିତ ବର୍ଷ ଖେଳାଯିବାକୁ ଥିବା ଫାଇନାଲରେ ଅଷ୍ଟ୍ରେଲିଆ ନିଜ ସ୍ଥାନ ନିଶ୍ଚିତ କରିସାରିଛି । ଅଷ୍ଟ୍ରେଲିଆ ୭୫.୫୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ୨ୟ ସ୍ଥାନରେ ଭାରତ ରହିଛି । ଭାରତ ୫୮.୯୩ ପଏଣ୍ଟ ପାଇଛି । ଗୁରୁବାରଠାରୁ ଆରମ୍ଭ ହେଉଥିବା ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କଲେ ଭାରତ ଫାଇନାଲକୁ ଯିବାର ସମ୍ଭାବନା ରହିଛି । ଶ୍ରୀଲଙ୍କା ୫୩.୩୩ ପଏଣ୍ଟ ସହ ୩ୟ ସ୍ଥାନରେ ଓ ଦକ୍ଷିଣ ଆଫ୍ରିକା ୪୮.୭୨ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଉନ୍ନତ ପ୍ରଦର୍ଶନ କଲେ ଶ୍ରୀଲଙ୍କା ବି ଫାଇନାଲ ଯିବାର ସମ୍ଭାବନା ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ନିଜ ଦେଶରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାର ଅଛି ।

ସମ୍ବନ୍ଧିତ ଖବର