ଭୁବନେଶ୍ବର: ଡବ୍‌ଲ୍ୟୁଡବ୍‌ଲ୍ୟୁଏଫ୍‌ ଲିଜେଣ୍ଡ୍ କ୍ଲାସିକ୍‌ ପକ୍ଷରୁ ପୁରୀ ବେଳାଭୂମିରେ ଦୁଇ ଦିନିଆ ଜାତୀୟସ୍ତରର ବରମୁଡ଼ା ବିଚ୍‌ ମଡେଲ୍‌-୨୦୨୫ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାର ଟଲ୍ କାଟେଗୋରୀରେ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି ପୁରୁଣା ଭୁବନେଶ୍ବର ଯୁବକ ଆଶୀର୍ବାଦ ମହାନ୍ତି। ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ଆଶୀର୍ବାଦ ମଧ୍ୟ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଟ୍ରାଏଲ୍ସ ପାଇଁ ମନୋନୀତ ହୋଇଛନ୍ତି। ଏହି ସଫଳତା ମଧ୍ୟ ଜାତୀୟସ୍ତରରେ ଓଡ଼ିଶାକୁ‌ ଗୌରବାନ୍ବିତ କରିଛି। ପୂର୍ବରୁ ସୁନ୍ଦରସ୍ବାସ୍ଥ୍ୟ ଓ ଶକ୍ତିଉତ୍ତୋଳନ କରିଥିବା ଆଶୀର୍ଦାବ ଆହତ କାରଣରୁ ଦୂରେଇ ରହିଥିଲେ। ଏବେ ସୁନ୍ଦରସ୍ବାସ୍ଥ୍ୟର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତାରେ ରାଜ୍ୟ ପାଇଁ ଅପୂର୍ବ ସଫଳତା ଆଣିଛନ୍ତି।

Advertisment

ଡାକରା ବିଭୀଷଣେଶ୍ବର କଲୋନୀର ‌ସୋମଶଙ୍କର ପ୍ରସାଦ ମହାନ୍ତି ଓ ସ୍ନେହଲତା ମହାନ୍ତିଙ୍କ ପୁଅ ଆଶୀର୍ବାଦ ୨୦୧୨ରେ ମିଷ୍ଟର୍ ଭୁବନେଶ୍ବର ଓ କଳିଙ୍ଗଶ୍ରୀ ମୁକୁଟ ଅର୍ଜନ କରିଥିଲେ। ଶକ୍ତିଉତ୍ତୋଳନ କରୁଥିବା ବେଳେ ବେଞ୍ଚ୍ ପ୍ରେସ୍‌ରେ ୨୭୦ କିଲୋଗ୍ରାମ ଉତ୍ତୋଳନ କରି ଏକଦା ରେକର୍ଡ କରିଥ‌ିଲେ। ଆହତ କାରଣରୁ ଏହି ଖେଳଠାରୁ ଦୂରେଇ ରହିଥିଲେ ମଧ୍ୟ ଦୃଢ଼ ମନୋବଳ ଓ ମା’ଙ୍କ ସମର୍ଥନ କାରଣରୁ ଏବେ ଡବ୍‌ଲ୍ୟୁଡବ୍‌ଲ୍ୟୁଏଫ୍‌ ଲିଜେଣ୍ଡ୍ କ୍ଲାସିକ୍‌ର ବରମୁଡ଼ା ବିଚ୍‌ ମଡେଲ୍‌ରେ ସଫଳତା ଅର୍ଜନ କରିଛନ୍ତି। ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଏବେ ପ୍ରାୟୋଜକ ଯୋଗାଡ଼ରେ ରହିଛନ୍ତି ଆଶୀର୍ବାଦ। ସରକାରୀ ଓ ବେସରକାରୀ ସଂସ୍ଥା ସହଯୋଗର ହାତ ବଢ଼ାଇବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।