ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର୍ ସାନ୍ତାକୁମାର ଶ୍ରୀଶାନ୍ତଙ୍କୁ ଉଚ୍ଚତମ ନ୍ୟାୟାଳୟରୁ ମିଳିଛି ଆଶ୍ବସ୍ତି। ସ୍ପଷ୍ଟ ଫିକ୍ସିଂ ଅଭିଯୋଗରେ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ତାଙ୍କ ଉପରେ ଲଗାଇଥିବା ଆଜୀବନ ବାସନ୍ଦାଦେଶକୁ ଉଚ୍ଚତମ ନ୍ୟାୟାଳୟ ଶୁକ୍ରବାର ସାମୟିକ ଭାବେ ଉଠାଇ ଦେଇଛନ୍ତି। ୨୦୧୩ ଆଇପିଏଲ୍ରେ ସ୍ପଟ୍ ଫିକ୍ସିଂ ସଂପୃକ୍ତିକୁ ନେଇ ଶ୍ରୀଶାନ୍ତଙ୍କ ଉପରେ ବିସିସିଆଇ ଶୃଙ୍ଖଳାଗତ ସମିତି ବାସନ୍ଦାଦେଶ ଶୁଣାଇଥିଲେ। ସେବେଠାରୁ ଶ୍ରୀଶାନ୍ତଙ୍କୁ କ୍ରିକେଟ୍ ଖେଳିବାକୁ ଅନୁମତି ମିଳୁନି। ଏହାକୁ ନେଇ ଶ୍ରୀଶାନ୍ତ ମଧ୍ୟ ଅଦାଲତି ଲଢେଇ ଚଲାଇଛନ୍ତି। ଏପରିକି ଦିନେ ନା ଦିନେ ସେ ଜାତୀୟ ଦଳରୁ ଆନ୍ତର୍ଜାତିକ କ୍ରିକେଟ୍ ଖେଳିବାର ଆଶା ମଧ୍ୟ ରଖିଛନ୍ତି। ପୂର୍ବରୁ କେରଳ ଉଚ୍ଚ ନ୍ୟାୟାଳୟ ତାଙ୍କ ଆଜୀବନ ବାସନ୍ଦାଦେଶ ରଦ୍ଦ କରିଥିଲେ ମଧ୍ୟ ବିସିସିଆଇ ଏହାକୁ ଗ୍ରହଣ କରିନାହିଁ। ଏପରିସ୍ଥଳେ ଜଷ୍ଟିସ୍ ଅଶୋକ ଭୂଷଣ ଓ କେଏମ୍ ଜୋସେଫ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ଅସ୍ଥାୟୀ ଭାବେ ଶ୍ରୀଶାନ୍ତଙ୍କ ବାସନ୍ଦ ଉଠାଇଛନ୍ତି। ଖଣ୍ଡପୀଠ ମଧ୍ୟ ଶ୍ରୀଶାନ୍ତଙ୍କ ଦଣ୍ଡାଦେଶ ଉଠାଇବା ନେଇ ୩ ମାସ ମଧ୍ୟରେ ବିଚାର କରିବାକୁ ବିସିସିଆଇକୁ ନିର୍ଦେଶ ଦେଇଛନ୍ତି। ଶୃଙ୍ଖଳାଗତ ସମିତି ମଧ୍ୟ ଶ୍ରୀଶାନ୍ତଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେବା ଉଚିତ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ଶୁକ୍ରବାରର ରାୟ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଶ୍ରୀଶାନ୍ତଙ୍କ ବିପକ୍ଷରେ ବିଚାରଧୀନ ଥିବା ଫୌଜଦାରୀ ମାମଲାକୁ ପ୍ରଭାବିତ କରିବ ନାହିଁ। ଉଚ୍ଚତମ ନ୍ୟାୟାଳୟଙ୍କ ରାୟକୁ ନେଇ ଶ୍ରୀଶାନ୍ତ ଖୁସି ଜାହିର କରିଛନ୍ତି। ସେ ଯେଉଁ ପ୍ରକାର କ୍ରିକେଟ୍ ହେଉନା କାହିଁକି ଖେଳିବାକୁ ଚାହାନ୍ତି ବୋଲି କହିଛନ୍ତି। ବିଶେଷକରି ୪୨ ବର୍ଷରେ ଯଦି ଲିଆଣ୍ଡର ପେସ୍ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି ଜିତିପାରୁଛନ୍ତି, ତାହାଲେ ୩୬ ବର୍ଷ ବୟସରେ ମଧ୍ୟ ମୁଁ ଆନ୍ତର୍ଜାତିକ କ୍ରିକେଟ୍ ଖେଳିପାରିବି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଉଚ୍ଚତମ ନ୍ୟାୟାଳୟଙ୍କ ରାୟକୁ ଭିତ୍ତି କରି ଶ୍ରୀଶାନ୍ତଙ୍କ ଆଜୀବନ ବାସନ୍ଦାଦେଶ ଉପରେ ବିଚାର କରାଯିବ ବୋଲି ପ୍ରଶାସକ ସମିତି (ସିଓଏ) କହିଛି। ସିଓଏ ବୈଠକରେ ଏନେଇ ଆଲୋଚନା ହେବ ବୋଲି ସିଓଏ ମୁଖ୍ୟ ବିନୋଦ ରାଏ କହିଛନ୍ତି। ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ମୁଁ ଶୁଣିଛି। ନିର୍ଦେଶର ନକଲ ପାଇଲା ପରେ ନିଶ୍ଚିତ ଆମେ ପ୍ରସଙ୍ଗକୁ ସିଓଏ ବୈଠକରେ ଉପସ୍ଥାପିତ କରିବୁ। ସିଓଏ ବୈଠକ ଆସନ୍ତା ୧୮ ତାରିଖରେ ବସିବ। ଆଉ ସେହିଦିନ ହିଁ ଶ୍ରୀଶାନ୍ତଙ୍କ ବାସନ୍ଦ ପ୍ରସଙ୍ଗ ବୈଠକରେ ଆଲୋଚନା ହେବ ବୋଲି ବିନୋଦ ରାଏ କହିଛନ୍ତି। ଶ୍ରୀଶାନ୍ତଙ୍କ ସପକ୍ଷରେ ଉଚ୍ଚତମ ନ୍ୟାୟାଳୟଙ୍କ ରାୟକୁ ବିସିସିଆଇ ଉପସଭାପତି ତଥା କେରଳ କ୍ରିକେଟ୍ ସଂଘର ବରିଷ୍ଠ ଅଧିକାରୀ ଟିସି ମାଥ୍ୟୁ ସ୍ବାଗତ କରିଛନ୍ତି। ଫିକ୍ସିଂ ପ୍ରସଙ୍ଗକୁ ନେଇ ଶ୍ରୀଶାନ୍ତ ୬ ବର୍ଷ ନଷ୍ଟ କରିସାରିଲେଣି। ଏବେ ବାସନ୍ଦାଦେଶ ଉଠିଲେ ସେ ହୁଏତ ଆଉ କ୍ରିକେଟ୍ ଖେଳିନପାରନ୍ତି। ହେଲେ ସେ ଜଣେ ପ୍ରଶିକ୍ଷକ, ଉପଦେଷ୍ଟା ବା ପେସାଦାର ଅମ୍ପାୟାର ହୋଇପାରିବେ। ଏପରିକି ସେ ଚାହିଁଲେ ଇଂଲଣ୍ଡରେ କ୍ଲବ୍ କ୍ରିକେଟ୍ ବି ଖେଳିପାରିବେ ବୋଲି ମାଥ୍ୟୁ କହିଛନ୍ତି। ସେହିପରି ଶ୍ରୀଶାନ୍ତଙ୍କ ଉପରୁ ବାସନ୍ଦ ଉଠିଲେ ଏବଂ ସେ ଜାତୀୟ କ୍ରିକେଟ୍ର ମୁଖ୍ୟ ସ୍ରୋତକୁ ଫେରିଲେ ମୋର କିଛି ମନ୍ତବ୍ୟ ଦେବାରେ ନାହିଁ ବୋଲି କହିଛନ୍ତି ବିସିସିଆଇ କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା।
ଶ୍ରୀଶାନ୍ତଙ୍କ ଉପରୁ ସାମୟିକ ବାସନ୍ଦ ଉଠିଲା
୪୨ ବର୍ଷରେ ଯଦି ଲିଆଣ୍ଡର ପେସ୍ ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି ଜିତିପାରୁଛନ୍ତି, ତାହାଲେ ୩୬ ବର୍ଷ ବୟସରେ ମଧ୍ୟ ମୁଁ ଆନ୍ତର୍ଜାତିକ କ୍ରିକେଟ୍ ଖେଳିପାରିବି।
/sambad/media/post_attachments/wp-content/uploads/2019/03/Untitled-1-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)