ପୂର୍ବତନ ଭାରତୀୟ ‌କ୍ରିକେଟର୍‌ ମାଧବ ଆପ୍‌ତେଙ୍କ ଦେହାନ୍ତ

ମୁମ୍ବାଇ: ପୂର୍ବତନ ଭାରତୀୟ ‌କ୍ରିକେଟର୍‌ ମାଧବ ଆପ୍‌ତେ (୮୬ ବର୍ଷ) ରବିବାର ସକାଳେ ମୁମ୍ବାଇସ୍ଥିତ ବ୍ରିଚ୍‌ କ୍ୟାଣ୍ଡି ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ଭିନୁ ମଙ୍କଡ଼ଙ୍କ ପ୍ରଶିକ୍ଷଣରେ ଜଣେ ଲେଗ୍‌ ସ୍ପିନର ଭାବେ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିବା ଆପ୍‌ତେ କିନ୍ତୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ୧୯୫୨ରୁ ୫୩ ମସିହାରେ ଭାରତ ପକ୍ଷରୁ ୭ ଟେଷ୍ଟ୍‌ ଖେଳି ୪୯.୨୭ ହାରରେ ୫୪୨ ରନ୍‌ କରିଥିଲେ। ଏଥିରେ ଗୋଟିଏ ଶତକ ଓ ୩ ଅର୍ଧଶତକ ରହିଥିଲା। ‌ସେହିପରି ୬୭ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୬ ଶତକ ଓ ୧୬ ଅର୍ଧଶତକ ସହ ମୋଟ ୩୩୩୬ ରନ୍‌ କରିଥିଲେ। ୧୯୩୨ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିବା ଆପ୍‌ତେ ୧୯୮୯ରେ କ୍ରିକେଟ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆ (ସିସିଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଏହି କିମ୍ବଦନ୍ତୀ କ୍ଲବ୍‌ର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ମୃତ୍ୟୁରେ ଭାରତୀୟ କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକର, ମହମ୍ମଦ କୈଫ୍‌, ୱାସିମ ଜାଫର ଏବଂ ବିନୋଦ କାମ୍ବଲିଙ୍କ ସହ ଅନେକ ପୂର୍ବତନ ଓ ଏବର କ୍ରିକେଟର୍‌ ଏବଂ ବିଭିନ୍ନ କ୍ରୀଡ଼ା ସଂଗଠନ ଦୁଃଖ ପ୍ରକାଶ କରିଛନ୍ତି। ମାଧବ ଆପ୍‌ତେ ସାର୍‌ଙ୍କ ସହ ମୋର ବହୁ ସ୍ମରଣୀୟ ଦିନ କଟିଛି। ମୋତେ ଯେତେବେଳେ ୧୪ ବର୍ଷ ବୟସ ହୋଇଥିଲା ତାଙ୍କ ବିପକ୍ଷରେ ମୁଁ ଶିବାଜୀ ପାର୍କରେ ଖେଳିଥିଲି। ମୋର ମନେ ପଡ଼ିଯାଉଛି ସେଦିନ ‌‌ସେ ଓ ଡୁଙ୍ଗରପୁର ସାର୍‌ ମାତ୍ର ୧୫ ବର୍ଷ ବୟସରେ ‌ମୋତେ ସିସିଆଇ ପକ୍ଷରୁ ଖେଲିବାକୁ କହିଥିଲେ। ସେ ସର୍ବଦା ମୋତେ ସହଯୋଗ କରିବା ସହ ମୋର ଜଣେ ଶୁଭାକାଂକ୍ଷୀ ଥିଲେ। ତାଙ୍କର ଆତ୍ମାର ସଦ୍‌ଗତି ହେଉ ବୋଲି ସଚିନ ଟ୍ବିଟ୍‌ କରି ଆପ୍‌ତେଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର