ପୂର୍ବତନ ଖେଳାଳି ପାଟିଲଙ୍କ ଦେହାନ୍ତ

ମୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର୍‌ ସଦାଶିବ ରାଓଜୀ ପାଟିଲ ମଙ୍ଗଳବାର ପରଲୋଗ ଗମନ କରିଛନ୍ତି। ତାଙ୍କୁ ୮୬ ବର୍ଷ ହୋଇଥିଲା। ଭାରତ ପାଇଁ ମାତ୍ର ଗୋଟିଏ ଟେଷ୍ଟ୍‌ରେ ପ୍ରତିନିଧିତ୍ବ କରିଥିବା ପାଟିଲଙ୍କର କୋହ୍ଲାପୁରସ୍ଥିତ ନିଜ ବାସଭବନରେ ମୃତ୍ୟୁ ଘଟିଛି। ରାତିରେ ଶୋଇଥିଲା ବେଳେ ଭୋର ସମୟରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା। କୋହ୍ଲାପୁର ଜିଲ୍ଲା କ୍ରିକେଟ୍‌ ସଂଘର ପୂର୍ବତନ ଅଧିକାରୀ ରମେଶ କଦମ ତାଙ୍କ ମୃ୍ତ୍ୟୁ ଘଟିଥିବା କହିଛନ୍ତି। ପାଟିଲଙ୍କ ମୃତ୍ୟୁରେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ କ୍ରିକେଟ୍‌ ଯାତ୍ରାର ସ୍ବୃତିଚାରଣ କରିଛି।

ପାଟିଲ ଜଣେ ମଧ୍ୟମଗତି ବୋଲର ଥିଲେ। ୧୯୫୨-୫୩ ଋତୁରେ ମହାରାଷ୍ଟ୍ର ପକ୍ଷରୁ ନିଜର ପ୍ରଥମ‌ଶ୍ରେଣୀ କ୍ରିକେଟ୍‌ ପଦାର୍ପଣ କରିଥିଲେ। ମୁମ୍ବାଇ ବିପକ୍ଷରେ ଖେଳି ସେ ନିରବଛିନ୍ନ ଭାବେ ବୋଲିଂ କରିଥିଲେ ଏବଂ ଘରୋଇ ବିଜେତା ମୁମ୍ବାଇ ପ୍ରଥମ ପାଳିକୁ ୧୧୨ ରନ୍‌ରେ ଶେଷ କରିଦେଇଥିଲେ। ଏହାପରେ ମହାରାଷ୍ଟ୍ର ୧୬୭ ରନ୍‌ରେ ପ୍ରଥମ ପାଳି ସବୁ ୱିକେଟ୍‌ ହରାଇଥିଲା। ଦ୍ବିତୀୟ ପାଳିରେ ସେ ୬୮ ରନ୍‌ରେ ୩ ୱିକେଟ୍‌ ନେବାରୁ ମହାରାଷ୍ଟ୍ର ୧୯ ରନ୍‌ରେ ମ୍ୟାଚ୍‌ ଜିତିଥିଲା ବୋଲି ବିସିସିଆଇ ଏକ ଇସ୍ତାହାରରେ କହିଛି। ୧୯୫୫ ମସିହାରେ ପୋଲି ଉମ୍ରିଗରଙ୍କ ନେତୃତ୍ବରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ସେ ପଦାର୍ପଣ ଟେଷ୍ଟ୍‌ ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ଖେଳିଥିଲେ। ନୂଆ ବଲ୍‌ରେ ବୋଲିଂ କରି ସେ ଉଭୟ ପାଳିରେ ଗୋଟିଏ ଲେଖାଏଁ ୱିକେଟ୍‌ ଦଖଲ କରିଥିଲେ। ସେହି ଟେ‌ଷ୍ଟକୁ ଭାରତ ମଧ୍ୟ ଏକ ପାଳି ଓ ୨୭ ରନ୍‌ରେ ଜିତି ନେଇଥିଲା। ଏହାପରେ ପାଟିଲ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ପଶ୍ଚିମାଞ୍ଚଳ ଦଳରୁ ଖେଳି ୭/୭୪ର ବୋଲିଂ ଚିତ୍ର ପାଇଥିଲେ। ଯଦିଓ ‌ସେ ଭାରତ ପାଇଁ ଆଉ ଟେଷ୍ଟ୍‌ ଖେଳିବାର ସୁଯୋଗ ପାଇନଥିଲେ, ତଥାପି ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟ୍‌ ଖେଳିବା ଜାରି ରଖିଥିଲେ। ସେ ମଧ୍ୟ ଲାଙ୍କାସାୟାର ଲିଗ୍‌ରେ ଦୁଇଟି ଋତୁ (୧୯୫୯ ଓ ୧୯୬୧) ଖେଳି ୫୨ ମ୍ୟାଚ୍‌ରୁ ୧୧୧ ୱିକେଟ୍‌ ଅକ୍ତିଆର କରିଥିଲେ। ମହାରାଷ୍ଟ୍ର ପାଇଁ (୧୯୫୨ରୁ ୧୯୬୪) ପାଟିଲ ୩୬ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୮୬୬ ରନ୍‌ କରିଥିଲା ବେଳେ ୮୩ ୱିକେଟ୍‌ ନେଇଥିଲେ। ସେ ମଧ୍ୟ ମହାରାଷ୍ଟ୍ର ରଣଜୀ ଦଳର ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର