ଉଦ୍ୟମୀ ବାଂଲାଦେଶଠାରୁ ଦକ୍ଷିଣ ଆଫ୍ରିକା ପରାଜିତ ହେବା ପରେ ପ୍ରଥମ ମ୍ୟାଚ୍ ଲାଗି ଭାରତ ଯେଉଁ କ୍ଷତିରେ ଥିଲା ତାହା ଆପାତତଃ ଭରଣା ହୋଇଛି। ଉଭୟ ଦଳ ପାଇଁ ବୁଧବାର ମ୍ୟାଚ୍ ନୂଆ ଆହ୍ବାନ ହେବ। ତେବେ ଦକ୍ଷିଣ ଆଫ୍ରିକା ଆସନ୍ତାକାଲି ତା’ର ତୃତୀୟ ମ୍ୟାଚ୍ ଖେଳିବ। ଦୁଇଟି ଲଗାତାର ପରାଜୟର ପ୍ରଭାବ ସେମାନଙ୍କ ଉପରେ ନିଶ୍ଚିତ ପଡ଼ିଥିବ। ଦକ୍ଷିଣ ଆଫ୍ରିକାକୁ ସେମିଫାଇନାଲ୍ ପ୍ରବେଶ ଲାଗି ଏବେ ବଳକା ୭ରୁ ୬ ମ୍ୟାଚ୍ ଜିତିବାକୁ ହେବ। ଯାହା ସେମାନଙ୍କ ଉପରେ ଅତିରିକ୍ତ ଚାପ ବି ସୃଷ୍ଟି କରିଥିବ। ବିସିସିଆଇର ଆଭ୍ୟନ୍ତରିଣ କନ୍ଦଳ ପାଇଁ ଭାରତୀୟ ଅଧିକାରୀମାନଙ୍କୁ ସମ୍ଭବତଃ ବିଶ୍ବକପ୍ ସୂଚୀକୁ ନିକଟରୁ ଦେଖିବାର ସୁଯୋଗ ମିଳିପାରିନି। ସେଥିପାଇଁ ଭାରତ ତା’ ପ୍ରଥମ ମ୍ୟାଚ୍ ଖେଳିଲା ବେଳେ ଅନ୍ୟ ସମସ୍ତ ଦଳ ଦୁଇଟି ଲେଖାଏଁ ମୁକାବିଲା ଖେଳି ସାରିଲେଣି। ମାସ ଶେଷ ଆଡ଼କୁ ମଧ୍ୟ ଭାରତ ପୁଣି ଥରେ ଅଡ଼ୁଆରେ ପଡ଼ିବ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍ର ଦିନକ ପରେ ଭାରତ ଆତ୍ମବିଶ୍ବାସରେ ଭରି ରହିଥିବା ବାଂଲାଦେଶକୁ ଭେଟିବ। ଭାରତ ଏକମାତ୍ର ଦଳ ଯିଏ, ଦୁଇଟି ମ୍ୟାଚ୍ ଭିତରେ ଗୋଟିଏ ଦିନର ବିଶ୍ରାମ ପାଇବ। ଅନ୍ୟ ଦଳଗୁଡ଼ିକ କିନ୍ତୁ ଅନ୍ୟୁନ ଦୁଇ ଦିନର ବିଶ୍ରାମ ପାଇବେ। ଭାରତ ମଧ୍ୟ ନିଜ ଶେଷ ଅଭ୍ୟାସ ମ୍ୟାଚ୍ର ପୂରା ସପ୍ତାହକ ପରେ ବିଶ୍ବକପ୍ ମ୍ୟାଚ୍ ଖେଳିବ। ଶେଷରେ ଏସବୁ କଥାର ମାନେ ଅବଶ୍ୟ ରହି ନପାରେ। ହେଲେ ଭାରତ ଯଦି କୌଣସି କାରଣରୁ ସଂଘର୍ଷ କରେ, ତାହାଲେ ଏସବୁ ଦିଗର ଉତ୍ତର ନିଶ୍ଚିତ ପ୍ରଶଂସକ ମାଗିବେ। ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଶତକ ଅର୍ଜନ କରିବା ପରେ ଚତୁର୍ଥ ସ୍ଥାନରେ ଖେଳିବାକୁ ରାହୁଲ ହକଦାର। ପାଗ କୋହଲା ରହିବାର ପୂର୍ବାନୁମାନ ସହ ଧୋନି ଭଲ ଫର୍ମରେ ଅଛନ୍ତି। ରାହୁଲଙ୍କ ପାଳି ଆରମ୍ଭ କରିବା ଅଭିଜ୍ଞତା ଭାରତକୁ ଆଉ ଏକ ବିକଳ୍ପ ପ୍ରଦାନ କରିବ। ଦକ୍ଷିଣ ଆଫ୍ରିକା ତା ପେସ୍ ବାହିନୀ ଉପରେ ଅଧିକ ନିର୍ଭରଶୀଳ। ଏନ୍ଗିଡି ଆହତ ହେବା ଏବଂ େଷ୍ଟନ୍ ବାଦ୍ ପଡ଼ିବା ଯୋଗୁଁ ସବୁ ଭାର ରବାଦାଙ୍କ କାନ୍ଧ ଉପରେ ରହିବ। ଗତ କିଛି ଦିନ ହେବ ସେ କୋହଲିଙ୍କ ଉପରେ ମନସ୍ତାତ୍ବିକ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ବ୍ୟକ୍ତିଗତ ଆକ୍ଷେପ ଏବଂ ଟଣା ଓଟରାରେ କୋହଲି ଆହୁରି ଭଲ ଖେଳନ୍ତି ବୋଲି ତାଙ୍କୁ ମନେ ରଖିବାକୁ ହେବ। କୋହଲିଙ୍କ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଶିଖର ଧାୱନ ଏବଂ ରୋହିତ ଶର୍ମାଙ୍କୁ ସମ୍ମୁଖୀନ ହେବାକୁ ପଡ଼ିବ। ମୋ ମତରେ ସେମାନଙ୍କ ପାଇଁ ଏହା ଆଦୌ ସହଜ ହେବନି। ଏ ପର୍ଯ୍ୟନ୍ତ ବିଶ୍ବକପ୍ରେ ବ୍ୟବହୃତ ସବୁ ପିଚ୍ ବହୁତ ଭଲ ଲାଗୁଛି। ବଲ୍ ଭଲ ଭାବେ ବ୍ୟାଟ୍କୁ ଆସୁଛି। ବୋଲର ବି ଭଲ ଉଚ୍ଛାଳ ପାଉଛନ୍ତି। ଭାରତ ଜଣେ କିମ୍ବା ଦୁଇ ଜଣ ସ୍ପିନରଙ୍କୁ ଖେଳାଉଛି, ତାହା ଦେଖିବା ମଜାଦାର ହେବ। ଚହଲ ଗତ କିଛି ଦିନିକିଆରେ ନିୟମିତ ଖେଳି ନାହାନ୍ତି। ତାଙ୍କ ଅପେକ୍ଷା କୁଲଦୀପ ଅଧିକ ସୁଯୋଗ ପାଇଛନ୍ତି। ତେବେ ଚୂଡ଼ାନ୍ତ ଦଳ ପାଗ ଏବଂ ପରିବେଶ ଉପରେ ନିର୍ଭର କରିବ। ଭାରତ ଭଲ ଆରମ୍ଭ କରିବା ଆଶାରେ ଥିବ। ଦକ୍ଷିଣ ଆଫ୍ରିକାକୁ ସହଜରେ ହରାଇ ପାରିଲେ କୋହଲି ବାହିନୀ ମଧ୍ୟ ପ୍ରଶଂସକଙ୍କୁ ଏକ ସକାରାତ୍ମକ ବାର୍ତା ଦେଇପାରିବ।
ଦକ୍ଷିଣ ଆଫ୍ରିକା ଉପରେ ଅତିରିକ୍ତ ଚାପ
-ସୁନୀଲ ଗାଭାସ୍କର-
/sambad/media/post_attachments/wp-content/uploads/2019/06/gavaskar-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)