ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ୩୫ତମ ମ୍ୟାଚରେ ଗୁଜରାଟ ଦଳ ମୁମ୍ବାଇକୁ ୫୫ ରନରେ ପରାସ୍ତ କରିଥିଲା | ତେବେ ଏହି ମ୍ୟାଚରେ ୟଶ ଦୟାଲ ଗୁଜୁରାଟ ପାଇଁ ଖେଳି ନଥିଲେ। ଗତକାଲି ଯେତେବେଳେ ଗୁଜୁରାଟ ଜିତିଥିଲା, ପ୍ରଶ୍ନ ଉଠିଥିଲା ଯେ ୟଶ କୁଆଡେ ଗଲେ ଓ ସେ କାହିଁକି ମ୍ୟାଚ ଖେଳୁ ନାହାନ୍ତି? ଏହାକୁ ନେଇ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ଏକ ବଡ଼ ଖୁଲାସା କରିଛନ୍ତି।
ପାଣ୍ଡ୍ୟା କହିଛନ୍ତି ଯେ ଅସୁସ୍ଥତା କାରଣରୁ ସେ ମ୍ୟାଚ୍ ଖେଳୁନାହାନ୍ତି। କେକେଆର ବିପକ୍ଷ ମ୍ୟାଚ ପରେ ୟଶ ଦୟାଲ ଅସୁସ୍ଥ ହୋଇପଡିଛନ୍ତି ଏବଂ ସେଥିପାଇଁ ତାଙ୍କ ଓଜନ ୭-୮ କିଲୋଗ୍ରାମ ହ୍ରାସ ପାଇଛି। ତାଙ୍କୁ ଯେଉଁ ପ୍ରକାରର ଚାପର ସମ୍ମୁଖୀନ ହେବାକୁ ପଡ଼ିଲା, ସେ ବର୍ତ୍ତମାନ ଭଲ ସ୍ଥିତିରେ ନାହାନ୍ତି। ଏବେ ତାଙ୍କୁ ପଡ଼ିଆକୁ ଆସିବା ପାଇଁ କିଛି ସମୟ ଲାଗିବ। ସୂଚନା ଥାଉ କି ଯେ ଆଇପିଏଲ୍ ୨୦୨୩ର ୧୩ତମ ମ୍ୟାଚରେ କେକେଆର୍ ଏବଂ ଗୁଜୁରାଟର ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ କେକେଆର୍ ଶେଷ ଓଭରରେ ୨୯ ରନ୍ ଆବଶ୍ୟକ କରୁଥିଲା। ରିଙ୍କୁ ସିଂ କ୍ରିଜରେ ଥିଲେ ଏବଂ ଗୁଜୁରାଟ ପାଇଁ ଶେଷ ଓଭର ବୋଲିଂ କରିବାକୁ ୟଶ ଆସିଥିଲେ। ସମସ୍ତେ ଭାବିଥିଲେ ଯେ ଏତେ ରନ୍ ସ୍କୋର ହୋଇପାରିବ ନାହିଁ ଏବଂ ଗୁଜୁରାଟ ଟାଇଟାନ୍ସ ସହଜରେ ମ୍ୟାଚ୍ ଜିତିଯିବ |
କିନ୍ତୁ ରିଙ୍କୁ ସିଂ ୫ଟି ଛକା ମାରି ମ୍ୟାଚ ବଦଳାଇଦେଇଥିଲେ | ରିଙ୍କୁ ସମ୍ମୁଖୀନ ହୋଇଥିବା ଶେଷ ୭ ବଲ୍ରୁ ୪୦ ରନ୍ (୬, ୪, ୬, ୬, ୬, ୬, ୬) ଆଦାୟ କରିଥିଲେ। ପ୍ରଥମ ୩ ବଲ୍କୁ ଫୁଲ୍ ଟସ୍ ପାଇବା ପରେ ରିଙ୍କୁ ଏହାକୁ ୱାଇଡ୍ ଲଙ୍ଗ୍ ଅଫ, ଡିପ୍ ବ୍ୟାକୱାର୍ଡ ସ୍କୋୟାର୍ ଲେଗ୍, ଲଙ୍ଗ ଅଫ୍ ଉପରେ ଛକା ମାରି ହ୍ୟାଟ୍ରିକ୍ ହାସଲ କରିଥିଲେ। ଶେଷ ଦୁଇ ବଲ୍ରୁ ୧୦ ରନ୍ ରହିଯିବା ପରେ ରିଙ୍କୁ ଏହି ଦୁଇ ବଲ୍କୁ ଲଙ୍ଗ ଅନ୍ ଉପରେ ଛକା ମାରି କେକେଆର୍ ଶିବିର ଓ ପ୍ରଶଂସକଙ୍କ ମଧ୍ୟରେ ଅସମ୍ଭବ ଉନ୍ମାଦନା ଓ ଉଲ୍ଲାସର ବାତାବରଣ ଭରି ଦେଇଥିଲେ। ତେବେ ଏହାପରଠାରୁ ୟଶ ବହୁତ ହତାଶ ନଜର ଆସିଥିଲେ | ଗୁଜୁରାଟ ଖେଳାଳିମାନେ ତାଙ୍କୁ ସାନ୍ତ୍ୱନା ଦେଇଥିଲେ | ତେବେ ସେହି ମ୍ୟାଚ୍ ପରଠାରୁ ୟଶ ଆଉ ଖେଳିନାହାନ୍ତି |
ଉଲ୍ଲେଖ ଥାଉ କି ୟଶ ଜଣେ ବାମହାତୀ ଦ୍ରୁତ ବୋଲର | ସେ ଆଇପିଏଲରେ ଦ୍ୱିତୀୟ ସିଜିନ ଖେଳୁଛନ୍ତି। ଆଇପିଏଲ୍ ୨୦୨୨ର ମେଗା ନିଲାମରେ ତାଙ୍କୁ ଗୁଜୁରାଟ ଟାଇଟାନ୍ସ ୩.୨ କୋଟିରେ କିଣିଥିଲା। ୟଶ ତାଙ୍କର ଡେବ୍ୟୁ ସିଜନରେ ୯ଟି ମ୍ୟାଚରେ ୧୧ଟି ୱିକେଟ୍ ନେଇଥିଲେ। ୟଶ ଏହି ସିଜନରେ ମୋଟ ତିନୋଟି ମ୍ୟାଚ୍ ଖେଳିଥିଲେ ଏବଂ ଗୋଟିଏ ୱିକେଟ୍ ମଧ୍ୟ ପାଇନଥିଲେ।