ପଦାର୍ପଣର ଉଭୟ ପାଳିରେ ୟାଶ୍‌ ଧୂଲ୍‌ଙ୍କ ଶତକ: ରଣଜୀ ଟ୍ରଫି ଇତିହାସରେ ତୃତୀୟ ବ୍ୟାଟର୍‌

ଗୌହାଟୀ: ନିକଟରେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳକୁ ‌ନିଜ ନେତୃ୍ତ୍ବରେ କୀର୍ତ୍ତିମାନଭରା ପଞ୍ଚମ ଥର ପାଇଁ ବିଶ୍ବ ବିଜେତା କରାଇଥିବା ଦିଲ୍ଲୀ ବ୍ୟାଟର୍‌ ୟାଶ୍‌ ଧୂଲ୍‌ ଚଳିତ ବର୍ଷ ରଣଜୀ ଟ୍ରଫିରେ ଇତିହାସ ରଚିଛନ୍ତି। ଗ୍ରୁପ୍‌-ଏଚ୍‌ରେ ତାମିଲନାଡୁ ବିପକ୍ଷ ପ୍ରଥମ ରାଉଣ୍ଡ୍‌ ମୁକାବିଲାରେ ଦିଲ୍ଲୀ ପକ୍ଷରୁ ପାଳି ଆରମ୍ଭ ସୁଯୋଗ ପାଇଥିବା ଧୂଲ୍‌ ଉଭୟ ପାଳିରେ ଶତକ ଜମାଇଛନ୍ତି। ଏଭଳି ମାଇଲଖୁଣ୍ଟ ଛୁଇଁବାର ସୌଭାଗ୍ୟ ବହନ କରିଥିବା ଧୂଲ୍‌ ରଣଜୀ ଟ୍ରଫି ପଦାର୍ପଣରେ ଉଭୟ ପାଳିରେ ଶତକ ହାସଲ କରିବାରେ ତୃତୀୟ ବ୍ୟାଟର୍‌ ହୋଇଛନ୍ତି। ପ୍ରଥମ ପାଳିରେ ୧୧୩ (୧୫୦ ବଲ୍‌, ୧୮ ଚୌକା) ରନ୍‌ କରି ଆଉଟ୍‌ ହୋଇଥିବା ଧୂଲ୍‌ ଦ୍ବିତୀୟ ପାଳିରେ ସେହି ୧୧୩ (୨୦୨ ବଲ୍‌, ୧୪ ଚୌକା, ୧ ଛକା) ରନ୍‌ରେ ଅପରାଜିତ ରହିଥିଲେ। ତାଙ୍କ ପୂର୍ବରୁ ପ୍ରଥମ ବ୍ୟାଟର୍‌ ଭାବେ ନରି କଣ୍ଟ୍ରାକ୍ଟର ଗୁଜରାଟ ପକ୍ଷରୁ ୧୯୫୨-୫୩ରେ (୧୫୨ ଓ ୧୦୨*) ଏବଂ ଦ୍ବିତୀୟ ବ୍ୟାଟର୍‌ ଭାବେ ବିରାଗ ଆୱାତେ ମହାରାଷ୍ଟ୍ର ପକ୍ଷରୁ ୨୦୧୨-୧୩ରେ (୧୨୬ ଓ ୧୧୨) ଏଭଳି ଗୌରବର ଅଧିକାରୀ ହୋଇଥିଲେ। କେବଳ ସେତିକି ନୁହେଁ ଧୂଲ୍‌ ମଧ୍ୟ ରଣଜୀ ଟ୍ରଫିରେ ଉଭୟ ପାଳିରେ ଶତଜ ଜମାଇବାରେ ଦିଲ୍ଲୀର ସପ୍ତମ ବ୍ୟାଟର୍‌ ହୋଇଛନ୍ତି। ଏଥି ସହିତ ସେ ମନ୍‌ସୁର ଅଲ୍ଲୀ ଖାନ୍‌ ପଟୌଦି, ସୁରିନ୍ଦର ଖାନ୍ନା, ମଦନ ଲାଲ, ଅଜୟ ଶର୍ମା, ରମଣ ଲାମ୍ବା ଏବଂ ଋଷଭ ପନ୍ତ୍‌ଙ୍କ କ୍ଲବ୍‌ରେ ନିଜ ନାମକୁ ଯୋଡ଼ିଛନ୍ତି। ଧୂଲ୍‌ଙ୍କ ଉଭୟ ପାଳି ଶତକ ସହାୟତାରେ ଦିଲ୍ଲୀ ମଧ୍ୟ ତାମିଲନାଡୁ ବିପକ୍ଷ ପ୍ରଥମ ରାଉଣ୍ଡ୍‌ ରଣଜୀ ମ୍ୟାଚ୍‌କୁ ଅମୀମାଂସିତ ରଖିଛି।

ସମ୍ବନ୍ଧିତ ଖବର