ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ପାଇଁ ଆଜି ବିସିସିଆଇ ଭାରତୀୟ ଟିମ୍ ଘୋଷଣା କରିଛି। ଭାରତ ପକ୍ଷରୁ କେଉଁ କ୍ରିକେଟର ଦିନିକିଆ ଏବଂ ଟେଷ୍ଟ ସିରିଜରେ ଖେଳିବେ, ସେମାନଙ୍କ ନାମ ତାଲିକା ସାମ୍ନାକୁ ଆସିଛି। ଟେଷ୍ଟ ଏବଂ ଦିନିକିଆ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ହେବେ ବୋଲି ଜଣାପଡ଼ିଛି। ଏହା ସହ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ ଦିଆଯାଇଥିବା ବେଳେ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ବାଲ।

Advertisment

ଆଜି ନିଜ ପ୍ରଦର୍ଶନ ପାଇଁ ଲୋକପ୍ରିୟ ହୋଇଥିବା ଯଶସ୍ବୀ ଦିନେ ନିଜର କ୍ରିକେଟ କୋଚିଂ ପାଇଁ ଗୁପଚୁପ ବିକୁଥିଲେ  । ଏକ ସାକ୍ଷାତକାରରେ ଯଶସ୍ବୀ କହିଥିଲେ ଯେ, “ମୁଁ କ୍ରିକେଟରେ କ୍ୟାରିୟର ଆରମ୍ଭରୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲି। ବହୁ ସଂଘର୍ଷର ସାମ୍ନା କରିଛି। ମୁଁ ମୁମ୍ବାଇରେ ଯେଉଁଠି ରହି କ୍ରିକେଟ ଖେଳୁଥିଲି, ସେଠାରେ ନା ବିଦ୍ୟୁତ୍ ଥିଲା, ନା ବିଶ୍ରାମ ଗୃହ। ମୋତେ ନିଜ ପୋଷାକ ଧୋଇବାକୁ ପଡୁଥିଲା। ଏପରିକି ମୋ ସହ କେହି ନଥିଲେ ଯାହାଙ୍କ ସହ ମୁଁ ମୋର ଭାବନା ବାଣ୍ଟିପାରିବି। ଉତ୍ତରପ୍ରଦେଶରୁ ମୁମ୍ବାଇ ଆସିବା ପରେ ମୁଁ କ୍ରିକେଟ କୋଚିଂ ପାଇଁ ଏକ ଗୁହାଳରେ ରହି କାମ କରିବା ଆରମ୍ଭ କରିଥିଲି। ସେଠାରେ ମୋ ସହିତ ଭଲ ବ୍ୟବହାର କରାଯାଉ ନଥିଲା। କେ‌ବେ‌େ କେବେ ମାଡ଼ ବି ଖାଇଛି । ରୋଷେଇ କରିବାକୁ ବାଧ୍ୟ କରିବା ସହ ଖାଇବାକୁ ଦିଆଯିବ ନାହିଁ ବୋଲି ଧମକ ଦେଉଥିଲେ। ଏହା ପରେ ମୁଁ ସେ କାମ ଛାଡ଼ି ରାତିରେ ଗୁପଚୁପ ବିକ୍ରି କରିବା ଆରମ୍ଭ କରିଥିଲି। ସମୟ ସହ ପରିସ୍ଥିତି ବଦଳିଲା ଏବଂ ମୋତେ ଭଲ ସୁଯୋଗ ମିଳିବା ଆରମ୍ଭ ହେଲା। ମୁମ୍ବାଇ ଅଣ୍ଡର-୧୬ ଏବଂ ଭାରତର ଅଣ୍ଡର-୧୯ ଖେଳିବାର ସୁଯୋଗ ପାଇବା ପରେ ମୋତେ ଭାରତୀୟ କ୍ରିକେଟ ଟିମରେ ଖେଳିବାର ସୁଯୋଗ ମିଳିଲା।"

ତେବେ ଆଇପିଏଲ୍ ୨୦୨୩ରେ ଯଶସ୍ବୀଙ୍କର ଜବରଦସ୍ତ ଫର୍ମ ପାଇଁ ତାଙ୍କୁ ଏବେ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଯଶସ୍ବୀ ୧୪ଟି ମ୍ୟାଚରେ ୪୮.୦୭ ହାରରେ ୬୨୫ରନ୍ ସ୍କୋର କରିଥିଲେ।