ରହିବାକୁ ଘର ନ ଥିଲା କି ପେଟ ପୂରା ଖାଦ୍ୟ ମିଳୁ ନଥିଲା, ତଥାପି ସେ ହେଲେ ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ବିଶତକ ମାରିଥିବା ସର୍ବକନିଷ୍ଠ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ : ମୁମ୍ବାଇର ୧୭ବର୍ଷୀୟ ଓପନର ଯଶ୍ୱସୀ ଜୈଶଓ୍ଵାଲ ଏବେ ଚର୍ଚ୍ଚାରେ । ୧୯ ବର୍ଷରୁ କମ୍ ଭାରତୀୟ କ୍ରିକେଟ ଦଳକୁ ପ୍ରତିନିଧିତ୍ବ କରିଥିବା ୧୭ ବର୍ଷିଅ ଜୈଶୱାଲ୍ ବିଜୟ ହଜାରେ ଟ୍ରଫିରେ ୧୫୪ ବଲରେ ୨୦୩ ରନ୍‌ କରି  ନିଜ ନାମରେ ଏକ ନୂତନ ରେକର୍ଡ କରିଛନ୍ତି । ସେ ସର୍ବକନିଷ୍ଠ ଭାରତୀୟ ଖେଳାଳି ଭାବେ ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ବିଶତକ ହାସଲ କରିଛନ୍ତି। ତେବେ ଏହି ସଫଳତା ଲାଗି ବହୁ ସଂଘର୍ଷ କରିବାକୁ ପଡ଼ିଛି ତାଙ୍କୁ।

୩ ବର୍ଷ ପର୍ଯ୍ୟନ୍ତ ମୁମ୍ବାଇରେ ଅନେକ ସଂଘର୍ଷ କରିବା ପରେ ତାଙ୍କ ସଫଳତାର ଯାତ୍ରା ଆରମ୍ଭ ହୋଇଥିଲା । ରହିବା ପାଇଁ ଘର ନ ଥିବା ସହ ଖାଇବା ପାଇଁ ପାଖରେ ଟଙ୍କା ନଥିଲା । ଗଛ ତଳେ ଓ ବିଭିନ୍ନ ଆଶ୍ରୟସ୍ଥଳୀରେ ରହିବା ସହ ଛୋଟମୋଟ କାମ କରି ସେ ନିଜର ପେଟ ପୋଷୁ ଥିଲେ । କିନ୍ତୁ ଆଜି ସେ ଦେଖି ଆସୁଥିବା ସ୍ୱପ୍ନ ପୂରଣ ହୋଇଛି । ୬ବର୍ଷ ତଳେ ସେ ଉତ୍ତରପ୍ରଦେଶର ଭଦୋହିରୁ ଜଣେ ଭଲ କ୍ରିକେଟର ହେବାର ସ୍ୱପ୍ନ ନେଇ ଆସିଥିବା ବେଳେ ଆଜି ତାଙ୍କର ସ୍ୱପ୍ନ ସାକାର ହୋଇଛି । ତେବେ କିଭଳି ଯଶ୍ୱସୀ ସବୁ ପରିସ୍ଥିତିର ସାମ୍ନା କରି ଆଗକୁ ବଢ଼ିଥିଲେ ଏବଂ କିଭଳି ତାଙ୍କ ସଫଳତାର ଯାତ୍ରା ଆରମ୍ଭ ହୋଇଥିଲା ଆସନ୍ତୁ ଜାଣିବା ।

୬ବର୍ଷ ତଳେ ତାଙ୍କୁ ୧୧ବର୍ଷ ହୋଇଥିବା ବେଳେ ସେ ନିଜ ଗାଁ ଭଦୋହିରୁ ବାହାରି ମୁମ୍ବାଇରେ ପହଞ୍ଚିଥିଲେ । ଉଚ୍ଚ ସ୍ତରରେ କ୍ରିକେଟ ଖେଳିବାର ଲକ୍ଷ୍ୟ ନେଇ ସେ ମୁମ୍ବାଇରେ ନିଜର ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ମୁମ୍ବାଇରେ ରହିବା ପାଇଁ ଘର ଖୋଜିବା ତାଙ୍କ ପାଇଁ କାଠିକର ପାଠ ହୋଇ ପଡ଼ିଥିଲା । ପ୍ରଥମେ ସେ କଲ୍‌ବାଦେବୀରେ ଥିବା ଗୋଶାଳାରେ ରହିବା ଆରମ୍ଭ କରିଥିଲେ । କିନ୍ତୁ ସେଠାରେ ସେ ଅଧିକ ସାହାଯ୍ୟ ନ କରି ପାରିବାରୁ ତାଙ୍କୁ ବାହାର କରି ଦିଆଯାଇଥିଲା । ଯାହା ପରେ ଯଶ୍ୱସୀଙ୍କ ମାତା-ପିତା ନିଜର ଜଣେ ସଂପର୍କୀୟଙ୍କ ଘରେ ତାଙ୍କୁ ରହିବାକୁ କହିଥିଲେ । କିନ୍ତୁ ସେଠାରେ ମଧ୍ୟ ସେ ବେଶି ଦିନ ରହି ପାରି ନଥିଲେ । ଯଶ୍ୱସୀଙ୍କ ସଂପର୍କୀୟ ତାଙ୍କୁ ମୁସ୍‌ଲିମ୍‌ ୟୁନାଇଟେଡ୍‌ କ୍ଲବ୍‌କୁ ପଠାଇ ଦେଇଥିଲେ । ଯେଉଁଠି ଯଶ୍ୱସୀ ଆଗାମୀ ୩ବର୍ଷ ପର୍ଯ୍ୟନ୍ତ ଏକ ଟେଣ୍ଟରେ ରହିଥିଲେ ।

ଖରା,ବର୍ଷା ଓ ଶୀତ ସବୁକୁ ସହି ସେ ନିଜର ସ୍ୱପ୍ନ ପୂରା କରିବାର ଚେଷ୍ଟା ଆରମ୍ଭ କରିଥିଲେ । ଖାଇବା ପାଇଁ ଟଙ୍କା ନଥିବାରୁ ସେ ରାମଲୀଲାରେ ଗୁପ୍‌ ଚୁପ୍‌ ବିକିବା ସହ ରୁଟି ତିଆରି କରିବା ଓ ଫଳ ବିକିବା ଭଳି କାମ କରିବା ଆରମ୍ଭ କରିଥିଲେ । ଏହା ପରେ ତାଙ୍କ ଜୀବନ ଏକ ନୂଆ ମୋଡ଼ ନେଇଥିଲା । ଡିସେମ୍ବର ୨୦୧୩ରେ ମୁମ୍ବାଇର ଆଜାଦ ମଇଦାନରେ ତାଙ୍କୁ ଦେଖିଥିଲେ ପୂର୍ବତନ ମୁମ୍ବାଇ କ୍ରିକେଟର ଓ ବର୍ତ୍ତମାନ କୋଚ୍‌ ଥିବା ଜ୍ୱାଲା ସିଂହ । ଯଶ୍ୱସୀଙ୍କ ଷ୍ଟ୍ରୋକ୍‌ପ୍ଲେ ଦେଖି ପ୍ରଭାବିତ ହେବା ସହ ତାଙ୍କୁ ଦେଖା କରିବା ପାଇଁ ଜ୍ୱାଲା ସିଂହ ଡ଼କାଇଥିଲେ । କିଛି ସମୟ କଥାବାର୍ତ୍ତ ହେବା ପରେ ଯଶ୍ୱସୀଙ୍କ ଜୀବନ କାହାଣୀ ଭିତରେ ସେ ନିଜକୁ ଖୋଜି ପାଇଥିଲେ । କାରଣ ୧୯୯୫ରେ ଜ୍ୱାଲା ସିଂହ ମଧ୍ୟ ଉତ୍ତରପ୍ରଦେଶର ଗୋରଖପୁରରୁ ମୁମ୍ବାଇ ଆସିଥିଲେ । ଯଶ୍ୱସୀଙ୍କ କାହାଣୀ ଶୁଣି ସେ ତାଙ୍କୁ ନିଜ ପାଖରେ ରଖିବା ସହ କ୍ରିକେଟ ଟ୍ରେନିଂ ଦେବା ଆରମ୍ଭ କରିଥିଲେ । ଆଜି ପର୍ଯ୍ୟନ୍ତ ଯଶ୍ୱସୀ ତାଙ୍କ ସହ ରହୁଥିବା ବେଳେ ଆଜି ସେ ୨୦୦ଶତକ ବନାଇ ଜ୍ୱାଲାଙ୍କ ନାଁ ଉଜ୍ୱଳ କରିଛନ୍ତି ।

ସମ୍ବନ୍ଧିତ ଖବର