ରାଜଧାନୀରେ ହଁ, ଅନ୍ୟ ସ୍ଥାନରେ ନା କାହିଁକି?

ରାଉରକେଲା: ଖୁସିର କଥା ହେଉଛି, ଗତ କିଛିବର୍ଷ ମଧ୍ୟରେ ଓଡ଼ିଶା ଏକ କ୍ରୀଡ଼ା ହବ୍‌ରେ ପରିଣତ ହୋଇଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ମଧ୍ୟ ସ୍ବୀକୃତି ମିଳିଛି। କିନ୍ତୁ ଗତ ୬ ମାସରୁ ଅଧିକ ଧରି କରୋନା ଆଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା କ୍ରୀଡ଼ାବିତ୍‌ମାନଙ୍କ ଅବସ୍ଥା ଏବଂ ସେମାନଙ୍କ ଅଭ୍ୟାସ ଓ ପ୍ରଶିକ୍ଷଣ ପ୍ରସଙ୍ଗରେ ରାଜ୍ୟ କ୍ରୀଡ଼ା ବିଭାଗର ନିରବତା ଅନେକଙ୍କୁ ଚକିତ କରୁଛି। କରୋନା ପାଇଁ ଘରକୁ ଯାଇଥିଲେ ମଧ୍ୟ ଏପ୍ରିଲ ୧ ତାରିଖରୁ ମେ’ ୫ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ କ୍ରୀଡ଼ା ଛାତ୍ରାବାସରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ଆବଶ୍ୟକ ଛାତ୍ରାବାସ ଖର୍ଚ୍ଚ ଦେବାର ବ୍ୟବସ୍ଥା ବିଭାଗ କରିଥିଲା। ଏହାପରେ ମେ’ ୫ ତାରିଖରୁ ଜୁନ୍‌ ୩୦ ତାରିଖ ଥିଲା ଖରାଛୁଟି ସମୟ। ସେ ସମୟର ଖର୍ଚ୍ଚ ଦିଆ ନଯିବାରେ କିଛି ଅଭିଯୋଗ ନାହିଁ। କିନ୍ତୁ ଇତି ମଧ୍ୟରେ ଜୁଲାଇ ୧ ତାରିଖରୁ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ୮୦ ଦିନ ବିତିଯାଇଥିଲେ ସୁଦ୍ଧା ରାଜ୍ୟର ୧୬ଟି କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ଥିବା ଖେଳାଳୀମାନେ କିପରି ପ୍ରଶିକ୍ଷଣ ନେଉଛନ୍ତି ବା କ୍ରୀଡ଼ାଭ୍ୟାସ କରୁଛନ୍ତି, ସେ ସମ୍ପର୍କରେ ରାଜ୍ୟ କ୍ରୀଡ଼ା ବିଭାଗ ନିରବ ଓ ନିସ୍ପୃହ ରହିଛି। ଏହି ୮୦ ଦିନ ଧରି କ୍ରୀଡ଼ା ଛାତ୍ରାବାସଗୁଡ଼ିକର ଶହ ଶହ ଅନ୍ତେବାସୀମାନଙ୍କ କ୍ରୀଡ଼ାଭ୍ୟାସ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ହୋଇନାହିଁ କିମ୍ବା ସେମାନଙ୍କର ଖର୍ଚ୍ଚ ମଧ୍ୟ ଦିଆଯାଇନାହିଁ।

ଅନ୍ୟପକ୍ଷରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ କିଛି ଖେଳାଳିଙ୍କ ସମେତ ଏକ ଘରୋଇ ହକି ଏକାଡେମିର ଖେଳାଳିମାନଙ୍କର ପ୍ରଶିକ୍ଷଣ ଗତ ଦୁଇମାସରୁ ଅଧିକ ଧରି ଚାଲିଆସୁଛି। ଏଭଳି ସ୍ଥିତିରେ ରାଜ୍ୟର ହକିର ଗଡ ଭାବେ ପରିଚିତ ସୁନ୍ଦରଗଡ଼ ସମେତ ଅନ୍ୟ କ୍ରୀଡ଼ା ଛାତ୍ରାବାସମାନଙ୍କରେ ପୂର୍ବରୁ ରହୁଥିବା ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳିମାନଙ୍କ ପ୍ରଶିକ୍ଷଣ ଓ ଅଭ୍ୟାସକୁ କ‌ରୋନା ଆଳରେ ପାଇଁ ବନ୍ଦ ରଖାଯାଇଛି। ଯଦି ଭୁବନେଶ୍ୱରରେ କିଛି ନିର୍ଦ୍ଦିଷ୍ଟ ଖେଳାଳି ପ୍ରଶିକ୍ଷଣ ବା ଅଭ୍ୟାସ କରିବାରେ ଅସୁବିଧା ହେଉନାହିଁ, ତେବେ ଅନ୍ୟ ଛାତ୍ରାବାସଗୁଡ଼ିକରେ ଅସୁବିଧା କ’ଣ ବୋଲି ପ୍ରଶ୍ନ କରିଛନ୍ତି ରାଉରକେଲାର କ୍ରୀଡା ଉନ୍ନୟନ କ୍ରିୟାନୁଷ୍ଠାନ ସମିିତିର ସଦସ୍ୟ ଥିବା ଅନେକ ପୂର୍ବତନ ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳିମାନେ। ସେହିଭଳି ଗତ ୮୦ ଦିନରୁ ଅଧିକ ଧରି କ୍ରୀଡ଼ାଛାତ୍ରାବାସର ଅନ୍ତେବାସୀମାନଙ୍କୁ ଅପ୍ରେଲ ଓ ମେ ମାସ ଭଳି ଦିଆଯାଇଥିବା ଖର୍ଚ୍ଚ ଦେବାରେ ଅସୁବିଧା କେଉଁଠି ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କ୍ରୀଡା ଉନ୍ନୟନ କ୍ରିୟାନୁଷ୍ଠାନ ସମିତିର ସଦସ୍ୟଗଣ। ଯଥାଶୀଘ୍ର ରାଜ୍ୟ କ୍ରୀଡ଼ା ବିଭାଗ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ବି ହୋଇଛି।

ସମ୍ବନ୍ଧିତ ଖବର