ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବାଂଲାଦେଶ ପ୍ରିମିୟର ଲିଗ(ବିପିଏଲ) କ୍ରମାଗତ ଭାବେ ବିବାଦରେ ରହିଛି। ବାଂଲାଦେଶ ପ୍ରିମିୟର ଲିଗ ଖେଳାଳିଙ୍କ ସମେତ କର୍ମଚାରୀ ଓ ବସ ଚାଳକଙ୍କ ପାରିଶ୍ରମିକ ଠିକ ଭାବେ ଦେଉ ନଥିବା ଅଭିଯୋଗ ପୂର୍ବରୁ ରହିଛି।

Advertisment

ସମ୍ପ୍ରତି ଖବର ଆସିଛି କି, ଖେଳ ଉପସ୍ଥାପିକା ୟେଶା ସାଗର ବାଂଲାଦେଶ ପ୍ରିମିୟର ଲିଗକୁ ଛାଡ଼ି ଦେଇଛନ୍ତି। ସାଗରଙ୍କ ନାମରେ ନିୟମ ଭଙ୍ଗ କରୁଥିବା ଅଭିଯୋଗ ହେବା ସହିତ ନୋଟିସ ବି ଜାରି କରାଯାଇଥିଲା। ଯେଉଁ କାରଣରୁ ତାଙ୍କୁ ବାଧ୍ୟ ହୋଇ ଲିଗ ଛାଡ଼ିବାକୁ ପଡ଼ିଛି।

ୟେଶା ବିପିଏଲ ୨୦୨୫ର ଚଟଗ୍ରାମ କିଙ୍ଗ ଟିମ ସହିତ ଯୋଡ଼ି ହୋଇଥିଲେ। ଖବର ମୁତାବକ, ୟେଶା ଚୁକ୍ତି ଭଙ୍ଗ କରିବା ନେଇ ଫ୍ରେଞ୍ଚାଇଜି ମାଲିକ ସମୀର କାଦର ଚୌଧରୀ ନୋଟିସ ପଠାଇଥିଲେ।

ଏହି ନୋଟିସରେ ଚୌଧରୀ ଉଲ୍ଲେଖ କରିଥିଲେ କି, ‘ଚୁକ୍ତି ଅନୁଯାୟୀ  ୟେଶା ତାଙ୍କର କର୍ତ୍ତବ୍ୟ ପାଳନ କରିବାରେ ବିଫଳ ରହିଛନ୍ତି। ଅଧିକାରିକ ଭାବେ ତାଙ୍କୁ ନିମନ୍ତ୍ରଣ କରାଯିବା ସତ୍ତ୍ବେ ସେ ଡିନରରେ ସାମିଲ ହୋଇ ନଥିଲେ। ୟେଶାଙ୍କ ଅନୁପସ୍ଥିତି ଯୋଗୁଁ ଆର୍ଥିକ ଓ ପ୍ରତିଷ୍ଠାର ହାନି ଘଟିଥିଲା।

ଚୌଧରୀଙ୍କ ନୋଟିସର ଉତ୍ତର ଦେବା ବଦଳରେ ‌ୟେଶା ସାଗର ଟୁର୍ଣ୍ଣାମେଣ୍ଟରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲେ। ରାତ୍ରି ଭୋଜନକୁ ନଯିବା ୟେଶାଙ୍କୁ ମହଙ୍ଗା ପଡ଼ିଯାଇଛି ବୋଲି କୁହାଯାଉଛି।