ବେଙ୍ଗାଲୁରୁ: ଗତ ସପ୍ତାହରେ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନି ଅନ୍ୟ ଖେଳାଳିଙ୍କ ସହ ବିସିସିଆଇ ଦ୍ୱାରା ପରିଚାଳିତ ବାଧ୍ୟତାମୂଳକ ୟୋ ୟୋ ପରୀକ୍ଷା (ଶାରୀରିକ ସୁସ୍ଥତା)ରେ ଉତୀର୍ଣ୍ଣ ହୋଇଥିଲେ। ସେତେବେଳେ ଅମ୍ବାତି ରାୟୁଡୁ ଓ ମହମ୍ମଦ ସାମି ବିଫଳ ହୋଇ ଆଗାମୀ ଇଂଲଣ୍ଡ ଗସ୍ତରୁ ବାଦ୍ ପଡ଼ିଥିଲେ। ସେତେବେଳେ ବିଦେଶରେ ଥିବାରୁ ରୋହିତ ଶର୍ମା ପରୀକ୍ଷା ଦେଇନଥିଲେ। ହେଲେ ସେ ପରୀକ୍ଷାରେ ସଫଳ ହେବେନାହିଁ ଭାବି ଠିକ୍ ସମୟରେ ଦୂରେଇ ରହିଲେ ବୋଲି କିଛି ଗଣମାଧ୍ୟମ ସମାଲୋଚନା କରିଥିଲେ। ମାତ୍ର ବ୍ୟକ୍ତିଗତ କାରଣ ଯୋଗୁଁ ସେ ପରେ ପରୀକ୍ଷା ଦେବେ ବୋଲି ବିସିସିଆଇଠୁ ଅନୁମତି ଲୋଡିଥିଲେ। ଆଉ ବୋର୍ଡ ମଧ୍ୟ ତାଙ୍କୁ ଅନୁମତି ଦେଇଥିଲା। ପୁଣି ସେ କାଳେ ପରୀକ୍ଷାରେ ବିଫଳ ହେବେ ସେନେଇ ଇଂଲଣ୍ଡ ଗସ୍ତ ପାଇଁ ତାଙ୍କ ସ୍ଥାନରେ ଆଜିଙ୍କ୍ୟ ରହାଣେଙ୍କୁ ସଜାଗ ରଖାଯାଇଥିଲା। ହେଲେ ବୁଧବାର ରୋହିତ ସ୍ଥାନୀୟ ଜାତୀୟ କ୍ରିକେଟ୍ ଏକାଡେମିରେ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି। ଏଥି ସହିତ ଇଂଲଣ୍ଡ ଗସ୍ତ ପାଇଁ ତାଙ୍କୁ ସବୁଜ ସଂକେତ ମିଳିଯାଇଛି। ରୋହିତ ମଧ୍ୟ ତାଙ୍କ ଶାରୀରିକ ସୁସ୍ଥତା ନେଇ କିଛି ଗଣମାଧ୍ୟମ ଉଠାଇଥିବା ପ୍ରଶ୍ନବାଚୀକୁ କଡ଼ା ଜବାବ ଦେଇଛନ୍ତି। ସେ ସଂପୂର୍ଣ୍ଣ ସୁସ୍ଥ ବୋଲି ପରୀକ୍ଷା ପରେ ବିସିସିଆଇର ମହାପ୍ରବନ୍ଧକ (କ୍ରିକେଟ୍ ପରିଚାଳନା) ସବା କରିମ୍ ସୂଚନା ଦେଇଛନ୍ତି। ଭାରତୀୟ ଦଳ ଆସନ୍ତା ୨୭ ତାରିଖରୁ ଡବ୍ଲିନ୍ରେ ଆୟର୍ଲାଣ୍ଡ୍ ବିପକ୍ଷ ଦୁଇଟି ଟେ୍ଵଣ୍ଟି-୨୦ ମ୍ୟାଚ୍ ଖେଳି ଲଣ୍ଡନ ଗସ୍ତ ଆରମ୍ଭ କରିବ। ସେଥିପାଇଁ ଆସନ୍ତା ୨୩ ତାରିଖରେ ଭାରତୀୟ ଦଳ ଦିଲ୍ଲୀରୁ ଯାତ୍ରା କରିବ।
ୟୋ ୟୋ ପରୀକ୍ଷାରେ ରୋହିତ କୃତକାର୍ଯ୍ୟ
/sambad/media/post_attachments/wp-content/uploads/2018/03/rohit-sharma.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)