ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଯୁବରାଜ ସଂହଙ୍କ ବାପା ଯୋଗରାଜ ସିଂହ ସବୁବେଳେ ଅନ୍ୟ କ୍ରିକେଟର୍‌ଙ୍କୁ କଟୁ ଭାଷାରେ ସମାଲୋଚନା କରି ଚର୍ଚ୍ଚାରେ ରହିଆସୁଛନ୍ତି। ଯୁବରାଜଙ୍କ କ୍ର‌ିକେଟ୍‌ କ୍ୟାରିୟରଙ୍କୁ ନଷ୍ଟ କରିଦେବାରେ ମହେନ୍ଦ୍ର ସିଂହ ଧୋନିଙ୍କ ବଡ଼ ଭୂମିକା ରହିଥିବା ସବୁବେଳେ କହି ଆସୁଛନ୍ତି। ଏବେ କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କ ବିଷୟରେ ମଧ୍ୟ ଟିପ୍ପଣୀ ଦେଇ ସେ ନୂଆ ଆଲୋଚନା ଆରମ୍ଭ କରିଛନ୍ତି। ଯୋଗରାଜଙ୍କଠୁ ପ୍ରଶିକ୍ଷଣ ନେଇ ଅର୍ଜୁନ ତାଙ୍କ କ୍ରିକେଟ୍‌ ଦକ୍ଷତାକୁ ବଢ଼ାଇ ପାରିଛନ୍ତି। 

Advertisment

ଅର୍ଜୁନଙ୍କୁ ଦିଆଯାଇଥିବା ତାଲିମ ବିଷୟରେ ଯୋଗରାଜ କହିଛନ୍ତି, ‘ଆପଣ କୋଇଲା ଖଣିରେ ହୀରା ଦେଖିଛନ୍ତି କି? ସିଏ କୋଇଲା। ଯେତେବେଳେ ଖଣିରୁ ବାହାରିଥାଏ ସେତେବେଳେ ପଥର ହୋଇଥାଏ। କିନ୍ତୁ ଉପଯୁକ୍ତ ବ୍ୟକ୍ତିଙ୍କ ହାତରେ ପଡ଼ିଲେ, ତାହା କୋହିନୂର ପାଲଟିଯାଏ। ତଥାପି ତାହା ମୂଲ୍ୟହୀନ ହୋଇଥାଏ। କିନ୍ତୁ ସେହି ହୀରା ଯେତେବେଳେ ତାହାର ମୂଲ୍ୟ ଜାଣି ନଥିବା ବ୍ୟକ୍ତି ହାତରେ ପଡ଼ିବ, ସେ ତାହାକୁ ନଷ୍ଟ କରିଦେବ। ମୁଁ କହୁନାହିଁ ଯେ, ଯୋଗରାଜ ଜଣେ ମହାନ କାରିଗର। ଯୁବୀ ଏହା ବି କହିଛନ୍ତି ଯେ, ମୋ ବାପାଙ୍କ ହାତରେ ଯାଦୁ ଅଛି, ସେ ହିଁ ମୋତେ ଗଢ଼ିଛନ୍ତି। ଘରେ ମୋତେ ‘ହିଟ୍‌ଲର’, ‘ଡ୍ରାଗନ ସିଂହ’ ଭଳି ଘୃଣା ନଜରରେ ଦେଖାଯାଉଥିଲା। ମୁଁ ବାପା ହେବା ଯୋଗ୍ୟ ନୁହେଁ ବୋଲି ଆମ ସଂପର୍କୀୟମାନେ କହୁଥିଲେ। କିନ୍ତୁ ଯୁବି ତାଙ୍କ ରାସ୍ତାରେ ନିଜେ ଚାଲିଥିଲେ ଏବଂ ଭଗବାନଙ୍କ ଆଶୀର୍ବାଦରୁ ତୁମେ ଯୁବରାଜ ସିଂହଙ୍କ ଭଳି ଖେଳାଳିଙ୍କୁ ପାଇପାରିଲ ବୋଲି ଯୋଗରାଜ କହିଛନ୍ତି। ଯୋଗରାଜଙ୍କ ଏହି କଥା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ସହ ମିଶ୍ରିତ ପ୍ରତିକ୍ରିୟା ପାଇଛନ୍ତି। ଅର୍ଜୁନଙ୍କୁ କୋଇଲା ସହ ତୁଳନା କରିବା ଦ୍ବାରା କେତେକ ତାଙ୍କୁ କଟୁ ଶବ୍ଦ ପାଇଁ ସମାଲୋଚନା କରିଥିଲା ବେଳେ ଆଉ କିଛି ପ୍ରଶିକ୍ଷକ ଭାବେ ଅଭିଜ୍ଞତାରୁ ସେ ଏହା କହିଥିବା ପ୍ରତିକ୍ରିୟା ରଖିଛନ୍ତି। ଯୁବରାଜ ସିଂହ ମଧ୍ୟ ନିକଟରେ ଏକ ପଡ୍‌କାଷ୍ଟରେ ବାପା ଯୋଗରାଜଙ୍କ ମାନସିକ ସ୍ଥିତି ବିଷୟରେ ଟିପ୍ପଣୀ ରଖିବା ସହ ସେ କୌଣସି କଥାକୁ ଗ୍ରହଣ କରିପାରନ୍ତିନି ବୋଲି କହିଥିଲେ।