ଯୋଗେଶ୍ବରଙ୍କ ବିଶ୍ବାସ ଭାରତ ଜିତିବ ୮-୧୨ ପଦକ

ନୂଆଦିଲ୍ଲୀ : ଭାରତର ଅନ୍ୟତମ ପଦକ ବିଜୟୀ ଅଲିମ୍ପିଆନ୍‌ କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତଙ୍କ ବିଶ୍ବାସ ଭାରତ ଟୋକିଓରୁ ନିଶ୍ଚିତ ୮ରୁ ୧୨ ପଦକ ନେଇ ଆସିବ। ଶୁକ୍ରବାର ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ ହେବା ପୂର୍ବରୁ ଯୋଗେଶ୍ବର ଏଭଳି ଆତ୍ମବିଶ୍ବାସ ଭରା ମତ ଦେଇଛନ୍ତି। ଆମ ଖେଳାଳିଙ୍କ ଉପରେ ବଡ଼ ଆଶା ରହିଛି। ସମଗ୍ର ଦେଶବାସୀ ଖେଳାଳିମାନଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ସେମାନେ ନିଶ୍ଚିତ ଏଥର ଅଧିକ ପଦକ ଜିତିବେ। ମୁଁ ଭାବୁଛି ଭାରତ ନିଶ୍ଚିତ ୮ରୁ ୧୨ ପଦକ ଜିତିପାରିବ। ହକି, ବ୍ୟାଡମିଣ୍ଟନ୍, କୁସ୍ତିରୁ ଭାରତୀୟ ଖେଳାଳିମାନେ ଆଶା ଦେଇଛନ୍ତି। କୁସ୍ତିରୁ ୨/୩ ପଦକ ଆସିବା ସମ୍ଭାବନା ରହିଛି। ଆମର ସମସ୍ତ କ୍ରୀଡ଼ାବିତ୍ ପଦକ ଜିତିବାକୁ ଭୋକିଲା ଅଛନ୍ତି। ଲଣ୍ଡନ୍ ଅଲିମ୍ପିକ୍ସ ପ୍ରଦର୍ଶନକୁ ଭାରତ ଟପି ଯିବ ବୋଲି ମୋର ବିଶ୍ବାସ ରହିଥିବା ଯୋଗେଶ୍ବର ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ଭାରତ ଲଣ୍ଡନ୍ ଅଲିମ୍ପିକ୍ସରେ ସର୍ବାଧିକ ୬ ପଦକ ଜିତିଥିଲା। ୪ ବର୍ଷ ପରେ ରିଓରେ କିନ୍ତୁ ମାତ୍ର ୨ ପଦକ ଜିତି ନିରାଶ କରିଥିଲା। ଯୋଗେଶ୍ବର ଦତ୍ତ ନିଜେ ମଧ୍ୟ ଲଣ୍ଡନରେ କାଂସ୍ୟ ପଦକ ଜିତିଥିଲେ। ଯୋଗେଶ୍ବରଙ୍କୁ ସମର୍ଥନ କରି ଅନ୍ୟତମ ପଦକ ବିଜୟୀ ଭାରତୀୟ କର୍ଣ୍ଣମ ମାଲେଶ୍ବରୀ ମଧ୍ୟ ସମାନ ମତ ଦେଇ କହିଛନ୍ତି ଭାରତ ୧୦ରୁ ୧୨ ପଦକ ଜିତିବା ସମ୍ଭାବନା ରହିଛି। ଆମେ ସକାରାତ୍ମକ ଚିନ୍ତା କରୁଛୁ। ବିଗତ କିଛି ବର୍ଷର ପ୍ରଦର୍ଶନକୁ ଦେଖିଲେ ବିଶ୍ବାସ ଆସୁଛି। ସବୁକିଛି ଯୋଜନା ଉପରେ ନିର୍ଭର କରୁଛି, ଭାରୋତ୍ତୋଳିକା ମୀରାବାଇ ମଧ୍ୟ ଏଥର ଭଲ ଯୋଜନା କରିଛନ୍ତି ପଦକ ଜିତିବା ପାଇଁ ବୋଲି ୨୦୦୦ ସିଡନି ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ଭାବେ ପଦକ (କାଂସ୍ୟ) ଜିତିଥିବା ମାଲେଶ୍ବରୀ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର