ଭୁବନେଶ୍ୱର: ସଚିବାଳୟ ପରିସରରେ ଚାଲିଥିବା ଓଏମ୍‌ସି କପ୍‌ ଅନ୍ତଃବିଭାଗୀୟ ୮-ଏ ସାଇଡ୍‌ ଦିବାରାତ୍ର ଟେନିସ୍‌ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଶନିବାର ଯୋଜନା ଓ ସମନ୍ଵୟ ବିଭାଗ ବିଜୟୀ ହୋଇ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଥିଲା ବେଳେ ଆଇନ ଓ ଜଳ ସମ୍ପଦ ବିଭାଗ ମ୍ୟାଚ୍‌ ଟାଇ ହୋଇଯାଇଛି।
ପ୍ରଥମ ମ୍ୟାଚ୍‌ରେ ଯୋଜନା ଓ ସମନ୍ଵୟ ବିଭାଗ ୧୧ ରନ୍‌ରେ ଜିଏ (ସାଧାରଣ ପ୍ରଶାସନ) ବିଭାଗକୁ ପରାସ୍ତ କରିଥିଲା। ଯୋଜନା ବିଭାଗ ୮ ଓଭରରେ ୯୭/୨ (ଦେବପ୍ରସାଦ ପ୍ରତି ୪୯* ଓ ବେଣୁଧର ବିଭାର ୩୭*) କରିଥିଲା। ଜବାବରେ ଜିଏ ୮ ଓଭରରେ ୮୬/୪ରେ ଅଟକି ଯାଇଥିଲା। ବୋଲିଂରେ ୨ ଓ୍ଵିକେଟ୍‌ ନେଇଥିବା ସୂର୍ଯ୍ୟକାନ୍ତ ସେଠୀ ବ୍ୟାଟିଂରେ ୩୩ ଓ ସୌମ୍ୟ ସାମଲ ୨୪ ରନ୍‌ କରିଥିଲେ। ବିଜୟୀ ଦଳ ପକ୍ଷରୁ ଦେବ ପ୍ରସାଦ ପତି ୩ ଓ୍ଵିକେଟ୍‌ ପାଇଥିଲେ।
ଦ୍ୱିତୀୟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଆଇନ ବିଭାଗ ୫ ଓଭରରେ ୬୧/୩ କରିବା ପରେ ଜଳ ସମ୍ପଦ ବିଭାଗ ୬୧/୫ କରିଥିଲା। ଆଇନ ବିଭାଗ ପକ୍ଷରୁ ଜର୍ଜ ଦେବୀଦତ୍ତ ଦାସ ୪୬ ଏବଂ ଜଳ ସମ୍ପଦ ବିଭାଗ ପକ୍ଷରୁ ତପନ ପ୍ରଧାନ ୪୫* ରନ୍‌ କରିଥିଲେ। ମ୍ୟାଚ୍‌ ଟାଇ ହେବାରୁ ଉଭୟ ଦଳ ୧ ପଏଣ୍ଟ୍‌ ଲେଖାଏଁ ବାଣ୍ଟି ନେଇଥିଲେ। ମାରୁତି ଆଚାର୍ଯ୍ୟ, ରତନ କୁମାର ଦାସ ମ୍ୟାଚ୍‌ ପରିଚାଳନା କରିଥିଲେ। ମକର କେତନ ସ୍ୱାଇଁ ଏବଂ ପଦ୍ମଚରଣ ରାଉତ ସ୍କୋରର୍‌ ଥିଲେ। ଅର୍ଥ ବିଭାଗ ସାସ୍କୃତିକ ସଂଘର ଉପସଭାପତି ଭକ୍ତରାମ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ।