ଲଣ୍ଡନ: ସର୍ବିଆ ତାରକା ନୋଭାକ୍ ଜୋକୋଭିକ୍-ସ୍ପେନ୍ ତାରକା ରବର୍ଟ ବତିସ୍ତା ଅଗୁଟ୍ ଏବଂ ସ୍ପେନ୍ ତାରକା ରାଫେଲ ନାଦାଲ ଓ ସ୍ବିଜରଲାଣ୍ଡ୍ ତାରକା ରୋଜର୍ ଫେଡେରର୍ ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡ୍ସ୍ଲାମ୍ ଟେନିସ୍ ପ୍ରତିଯୋଗିତା ୱିମ୍ବଲଡନ୍ ପୁରୁଷ ଏକକ ସେମିଫାଇନାଲ୍ରେ ମୁହାଁମୁହିଁ ହେବେ।
ବୁଧବାର କ୍ବାର୍ଟର ଫାଇନାଲ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଜୋକୋଭିକ୍ ୨୧ ମାନ୍ୟତାପ୍ରାପ୍ତ ଡେଭିଡ୍ ଗଫିନ୍ଙ୍କୁ ଅତି ସହଜରେ ପରାସ୍ତ କରିଦେଇଥିଲେ। ଜୋକୋଭିକ୍ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରି ସିଧାସଳଖ ୬-୪, ୬-୦ ଓ ୬-୨ ସେଟ୍ରେ ବେଲ୍ଜିୟମ୍ ତାରକା ଗଫିନ୍ଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଥିଲେ। ଗତ ୧୨ ମାସ ମଧ୍ୟରେ ଗ୍ରାଣ୍ଡ୍ ସ୍ଲାମ୍ରେ ମାତ୍ର ଥରେ ପରାସ୍ତ ହୋଇଥିବା ଜୋକୋଭିକ୍ ଏହି ବିଜୟ ଫଳରେ ନବମ ଥର ପାଇଁ ୱିମ୍ବଲଡନ୍ ସେମିଫାଇନାଲ୍ ପହଞ୍ଚିଛନ୍ତି। କେବଳ ଜିମ୍ମି କନ୍ନର୍ସ ଓ ରୋଜର ଫେଡେରର୍ ତାଙ୍କଠୁ ଅଧିକ ଥର ୱିମ୍ବଲଡନ୍ ସେମିଫାଇନାଲ୍ ଖେଳିଛନ୍ତି। ଏଥର ସେମିଫାଇନାଲ୍ରେ ଜୋକୋଭିକ୍ଙ୍କ ମୁକାବିଲା ଅଗୁଟଙ୍କ ସହ ହେବ। ଅନ୍ୟ ଏକ କ୍ବାର୍ଟର ଫାଇନାଲ୍ରେ ଆର୍ଜେଣ୍ଟିନାର ଗୁଇଡୋ ପେଲାଙ୍କୁ ପରାସ୍ତ କରି ଅଗୁଟ୍ ସେମିଫାଇନାଲ୍ ପ୍ରବେଶ କରିଛନ୍ତି। ୨୩ ମାନ୍ୟତାପ୍ରାପ୍ତ ଅଗୁଟ୍ ୭-୫, ୬-୪, ୩-୬ ଓ ୬-୩ ସେଟ୍ରେ ୨୬ ମାନ୍ୟତାପ୍ରାପ୍ତ ପେଲାଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଥିଲେ।
ଅନ୍ୟ କ୍ବାର୍ଟର ଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଫେଡେରର୍ ପ୍ରଥମ ସେଟ୍ ହାରିବା ସତ୍ତ୍ବେ ଚମତ୍କାର ପ୍ରତ୍ୟାବର୍ତନ କରି ଅଷ୍ଟମ ମାନ୍ୟତାପ୍ରାପ୍ତ ଜାପାନ ପ୍ରତିଦ୍ବନ୍ଦ୍ବୀ କେଇ ନିଶିକୋରିଙ୍କୁ ୪-୬, ୬-୧, ୬-୪ ଓ ୬-୪ରେ ପରାସ୍ତ କରିଥିଲେ। ଏଥିସହ ସେ ୱିମ୍ବଲ୍ଡନ୍ରେ ୧୦୦ତମ ବିଜୟ ପାଇଥିଲେ। ତୃତୀୟ ମାନ୍ୟତାପ୍ରାପ୍ତ ନାଦାଲ ଆମେରିକାର ସାମ୍ କ୍ବେରିଙ୍କୁ ୭-୫, ୬-୨ ଓ ୬-୨ ସିଧାସଳଖ ସେଟ୍ରେ ପରାସ୍ତ କରି ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିଥିଲେ। ୨୦୦୮ ପରେ ସେମିରେ ଉଭୟ ପ୍ରଥମ ଥର ମୁହାଁମୁହିଁ ହେବାକୁ ଯାଉଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp