ସିନ୍ଧୁଙ୍କୁ ‘ଦେଶର ଗର୍ବ’ କହିଲେ ପ୍ରଧାନମନ୍ତ୍ରୀ

ସିନ୍ଧୁଙ୍କୁ ୧୦ ଲକ୍ଷ; ପ୍ରଣୀତଙ୍କୁ ୪

ନୂଆଦିଲ୍ଲୀ: ବିଶ୍ବ ବ୍ୟାଡ୍‌ମିଣ୍ଟନରେ ନୂଆ ସାମ୍ରାଜ୍ଞୀ ଭାବେ ଉଭା ହୋଇଥିବା ଭାରତୀୟ ଲଳନା ପିଭି ସିନ୍ଧୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସିନ୍ଧୁ ଏହି ପ୍ରତିଯୋଗିତା ଖେଳିବା ପାଇଁ ସ୍ବିଜରଲାଣ୍ଡ୍‌ରେ ଥିଲା ବେଳେ ସେ ରବିବାର ସ୍ବର୍ଣ୍ଣ ପଦକ ଜିତିଥିଲେ। ଆଉ ସେହି ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ବିଦେଶ ଗସ୍ତରେ ଥିଲେ। ତେବେ ସିନ୍ଧୁ ସ୍ବିଜରଲାଣ୍ଡ୍‌ରୁ ସ୍ବର୍ଣ୍ଣ ଧରି ସୋମବାର ବିଳମ୍ବିତ ରାତି‌ରେ ସ୍ବଦେଶ ଫେରିଥିଲା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ସ୍ବଦେଶ ବାହୁଡିଥିଲେ। ସିନ୍ଧୁ ଭାରତରେ ପାଦ ଦେବା କ୍ଷଣି ତାଙ୍କୁ ମିଳିଥିଲା ବିପୁଳ ସ୍ବାଗତ ସମ୍ବର୍ଧନା। ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବା ପରେ ସାମ୍ବାଦିକଙ୍କ ନିକଟରେ ନିଜର ଖୁସୀ ଜାହିର କରିଥିଲେ ସିନ୍ଧୁ। ମୁଁ ମୋ ଦେଶ ପାଇଁ ଗର୍ବିତ। ଏହା ବହୁ ପ୍ରତୀକ୍ଷିତ ବିଜୟ ଏବଂ ଏଥିରେ ମୁଁ ଖୁବ୍‌ ଖୁସୀ ବୋଲି କହିଥିଲେ। ପଦକ ପ୍ରଦାନ ଉତ୍ସବରେ କିଭଳି ଭାବପ୍ରବଣ ହୋଇପଡ଼ିଥିଲେ ସେହି ମୁହୂର୍ତ୍ତ ସଂପର୍କରେ ସାମ୍ବାଦିକମାନେ ସିନ୍ଧୁଙ୍କୁ ପଚାରିଥିଲେ। ତାହାର ଉତ୍ତର ରଖି ସେ କହିଥିଲେ, ମୋ ଆଖିରେ ଲୋତକ ଭରିଯାଇଥିଲା। ଭାବ ପ୍ରବଣ ହୋଇପଡ଼ିଥିଲି। ଏହା ମୋ ପାଇଁ ପ୍ରକୃତ‌ରେ ସ୍ମରଣୀୟ ମୁହୁର୍ତ୍ତ ଥିଲା ବୋଲି ବର୍ଣ୍ଣନା କରିଥିଲେ ସିନ୍ଧୁ। ଏହି ଗୌରବ ପାଇଁ ମୋର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଉଛି ଏବଂ ଆପଣଙ୍କ ଆଶୀର୍ବାଦ ହିଁ ମୋତେ ଏହି ଯାଗାରେ ପହଞ୍ଚିବାରେ ସହାୟକ ହୋଇଛି ବୋଲି କହିଥିଲେ ସିନ୍ଧୁ।

ମଙ୍ଗଳବାର ସିନ୍ଧୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ଏବଂ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁଙ୍କୁ। ଏହି ଭେଟ ବେଳେ ପ୍ରଧାନମନ୍ତ୍ରୀ ସିନ୍ଧୁଙ୍କ ଉପରେ ଅତ୍ୟନ୍ତ ଖୁସୀ ହୋଇପଡ଼ିଥିଲେ। ତୁମେ ଆମର ଗର୍ବ ବୋଲି ମଧ୍ୟ କହିଥିଲେ। ଦେଶକୁ ସ୍ବର୍ଣ୍ଣ ଭେଟିଦେବା ଏବଂ ବିଶ୍ବ ବିଜୟିନୀ ହୋଇପାରିଥିବାରୁ ସିନ୍ଧୁ ଦେଶର ଗର୍ବ ଓ ଗୌରବ। ତାଙ୍କୁ ଭେଟି ମୁଁ ଅତ୍ୟନ୍ତ ଆନନ୍ଦିତ। ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଉଜ୍ବଳ ଭବିଷ୍ୟତ କାମନା କରୁଛି ବୋଲି ଏହି ସାକ୍ଷାତ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ। ଏହାପରେ ସିନ୍ଧୁ କ୍ରୀଡ଼ା ମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ରିଜିଜୁ ତାଙ୍କ ଐତିହାସିକ ସ୍ବର୍ଣ୍ଣିମ ସଫଳତା ପାଇଁ ସିନ୍ଧୁଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଚେକ୍‌ରେ ପ୍ରଦାନ କରିଥିଲେ। ଏହି ଅବସରରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ସଂଘର ସଭାପତି ହିମନ୍ତ ବିଶ୍ବ ଶର୍ମା, ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦ ଓ କିମ୍‌ ଜି ହ୍ୟୁନ୍‌ ଏବଂ ସିନ୍ଧୁଙ୍କ ବାପା ପିଭି ରମନା (୧୯୮୬ ଏସୀୟ କ୍ରୀଡ଼ାରେ ଭଲିବଲ୍‌ରେ କାଂସ୍ୟ ପଦକ ବିଜେତା) ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ଓ କ୍ରୀଡ଼ା ମନ୍ତ୍ରୀଙ୍କ ସହ ସିନ୍ଧୁଙ୍କର ଏହି ସାକ୍ଷାତ ଆଲୋଚନା ପ୍ରାୟ ୧ ଘଣ୍ଟା ଧରି ଚାଲିଥିଲା। ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ସ୍ବିଜରଲାଣ୍ଡ୍‌ରେ ଅନ୍ୟତମ ବିଶ୍ବ ପଦକ ବିଜେତା ବି ସାଇ ପ୍ରଣୀତଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ। ପୁରୁଷ ଏକକ ବର୍ଗରେ ୩୬ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରକାଶ ପାଦୁକୋନେଙ୍କ ପରେ ପ୍ରଥମ ଭାରତୀୟ ଭାବେ ପଦକ (କାଂସ୍ୟ) ଜିତି ଇତିହାସ ରଚିଥିବା ପ୍ରଣୀତଙ୍କୁ କ୍ରୀଡ଼ାମନ୍ତ୍ରୀ ୪ ଲକ୍ଷ ଟଙ୍କାର ପୁରସ୍କାର ଚେକ୍‌ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର