୩ ଘଣ୍ଟା ବିୟର ନ ପିଇଲେ ବି ତୁମେ ବଞ୍ଚିପାରିବ ! ଦର୍ଶକଙ୍କୁ କହିଲେ ଫିଫା ମୁଖ୍ୟ

ଦୋହା : କାତାରରେ ଫୁଟବଲ ବିଶ୍ବକପ ଆରମ୍ଭ ହୋଇଯାଇଛି ଓ ପ୍ରଥମ ମ୍ୟାଚରେ ଆୟୋଜକ କାତାର ଇକ୍ବେଡରଠାରୁ ହାରିଯାଇଛି । କିନ୍ତୁ ଷ୍ଟାଡିୟମରେ ବିୟର କଟକଣାକୁ ନେଇ ଚାଲିଥିବା ଚର୍ଚ୍ଚା ଏବେ ବି ଜାରି ରହିଛି ।

ଫିଫା ସଭାପତି ଗିଆନି ଇନଫାଣ୍ଟିନୋ କହିଛନ୍ତି ଯେ ଫ୍ୟାନମାନେ ତିନିଘଣ୍ଟା ମଦ ନ ପିଇଲେ ବି ବଞ୍ଚିପାରିବେ ।

“ମଦକୁ ଅନୁମତି ଦେବା ପାଇଁ ଆମେ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲୁ । କିନ୍ତୁ ତମେମାନେ (ଫୁଟବଲପ୍ରେମୀ) ଯଦି ତିନି ଘଣ୍ଟା ମଦ ନ ପିଅନ୍ତୁ ତେବେ ବି ବଞ୍ଚିପାରିବେ । ସେଥିପାଇଁ ଫ୍ରାନ୍ସ, ସ୍ପେନ ଓ ସ୍କଟଲାଣ୍ଡରେ ଷ୍ଟାଡିୟମରେ ମଦ ପିଇବା ଉପରେ କଟକଣା ରହିଛି । କାତାରର ଲୋକମାନେ ବି ଆମଠାରୁ ଚାଲାକ, ଏଣୁ ସେମାନେ କିଛି ଭାବି କରି ଏପରି ନିଷ୍ପତ୍ତି ନେଇଥିବେ ।

ଅନ୍ୟପକ୍ଷରେ ଫିଫାର ବ୍ରେଭରେଜ୍ ପାର୍ଟନର ବଡବାଇଜର ବିୟର କମ୍ପାନି ପକ୍ଷରୁ ଏକ ମଜାଦାର ଟୁଇଟ କରିବା ପରେ ତାହାକୁ ପୁଣି ଲିଭାଇ ଦିଆଯାଇଛି । ସେଥିରେ ଲେଖାଥିଲା ଯଦି ଏହା ଆମର ଶେଷ ଟୁଇଟ ହୋଇଥାଏ ତେବେ ମନେରଖନ୍ତୁ ଯେ ଆମେ ହେଉଛୁ ବିୟର କିଙ୍ଗ୍ ।

ସୂଚନାଯୋଗ୍ୟ ଯେ, ଆୟୋଜକଙ୍କ ନିଷ୍ପତ୍ତି ଅନୁଯାୟୀ, ମ୍ୟାଚ ଅନୁଷ୍ଠିତ ହେବାକୁ ଥିବା ଷ୍ଟାଡିୟମଗୁଡ଼ିକରେ ଆଲକହଲ ଯୁକ୍ତ ବିୟର ବିକ୍ରିକୁ ନିଷିଦ୍ଧ କରାଯାଇଛି । ତେବେ ଷ୍ଡାଡିୟମରେ ଆଲକହଲ ନଥିବା ବିୟର ବିକ୍ରି ହୋଇପାରିବ । ଏହା ସହିତ ଫିଫା ଫ୍ୟାନ ଫେଷ୍ଟିଭାଲ ଓ ଅନ୍ୟ ଲାଇସେନ୍ସଥିବା ସ୍ଥାନରେ ଆଲକହଲ ଯୁକ୍ତ ବିୟର ବିକ୍ରି ହୋଇପାରିବ ।

 

ସମ୍ବନ୍ଧିତ ଖବର