ଭୁବନେଶ୍ବର : ଓଡ଼ିଶାର ବାପି ହାଁସଦା ନିଜର ପ୍ରଥମ ଏସୀୟ ପଦକ ଜିତିବାର ଗୌରବ ପାଇଛନ୍ତି। ଉଜ୍‌ବେକିସ୍ତାନର ତାସକେଣ୍ଟରେ ଚାଲିଥିବା ପଞ୍ଚମ ଯୁବ ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରୁଥିବା ଏହି ଓଡ଼ିଆ ପୁଅ ୪୦୦ ମିଟର ବାଧାଦୌଡ଼ରେ ରୌପ୍ୟ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରବିବାର ରେସ୍‌କୁ ସେ ୫୧.୩୮ ସେକେଣ୍ଡରେ ଶେଷ କରି ଦ୍ବିତୀୟ ସ୍ଥାନରେ ରହିଥିଲେ। କାତାରର ମହମତ ଅବକର ଅବ୍‌ଦରହମାନ (୫୦.୯୧) ସ୍ବର୍ଣ୍ଣ ଏବଂ ଶ୍ରୀଲଙ୍କାର କୁଦା ଲିୟାନାଗେ ଆୟୋମଲ ଆକାଲାଙ୍କା (୫୧.୪୦) କାଂସ୍ୟ ପଦକ ଜିତିଥିଲେ। ସଂପ୍ରତି ବାପି ଓଡ଼ିଶା ରିଲାଏନ୍ସ ଏଚ୍‌ପିସିରେ ପ୍ରଶିକ୍ଷଣ ନେଉଛନ୍ତି।

Advertisment

ଏସୀୟ ପଦକ ସଫଳତା ପାଇଁ ବାପିଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ା‌ ସଚିବ ଭିନିଲ କ୍ରିଷ୍ଣା ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶା ଆଉ ଜଣେ ଆଥ୍‌ଲେଟ୍‌ ରିୟାନ ବାସା ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରିୟାନ, ଅଭୟ, ଚରଣ ଓ ନଭପ୍ରୀତଙ୍କୁ ନେଇ ଗଠିତ ଭାରତୀୟ ମିଡ୍‌ଲେ ରିଲେ ଦଳ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ଜିତିଥିଲା।