ଭୁବନେଶ୍ବର: ପ୍ରତ୍ୟେକ କ୍ରିକେଟର୍‌ଙ୍କ ସ୍ବପ୍ନ ଥାଏ ଭାରତ ପାଇଁ ଖେଳିବାକୁ। ଏଥିପାଇଁ ଘରୋଇ କ୍ରିକେଟ୍‌ ରଣଜୀ ଟ୍ରଫିକୁ ମୂଳ ଆଧାର ବୋଲି କୁହାଯାଇଥାଏ। ରଣଜୀରେ ଯିଏ ଭଲ ଖେଳିଲା ଜାତୀୟ ଦଳରେ ସ୍ଥାନ ପାଇବା ସମ୍ଭାବନା ବଢ଼ିଥାଏ। କିନ୍ତୁ ଗତ କିଛି ବର୍ଷ ଧରି ଯୁବ କ୍ରିକେଟର୍‌ମାନେ ରଣଜୀ ଟ୍ରଫି ଅପେକ୍ଷା ଆଇପିଏଲ୍‌କୁ ପ୍ରାଧାନ୍ୟ ଦେଇଆସୁଛନ୍ତି। ଯେଉଁଥିପାଇଁ ବିସିସିଆଇ ଏଭଳି ମାନସିକତା ଉପରେ ଖପ୍ପା ହେବା ସହ ରଣଜୀ ଟ୍ରଫିକୁ ସବୁବେଳେ ଅଗ୍ରାଧିକାର ଦେବା ପାଇଁ ପରାମର୍ଶ ଦେଇଛି। ବିସିସିଆଇ ମାର୍ଗଦର୍ଶନକୁ ଖାତିର୍‌ ନକରିବାରୁ ଶ୍ରେୟସ ଆୟର ଓ ଈଶାନ କିଶନଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ହଟାଇ ଦିଆଯାଇଛି। ଯାହାକି ଯୁବ କ୍ରିକେଟର୍‌ଙ୍କ ପାଇଁ ଏକ କଡ଼ା ଚେତାବନୀ ଭଳି ହୋଇଛି।

Advertisment

କୀର୍ତ୍ତି ଆଜାଦ, ଇର୍ଫାନ୍‌ ପଠାନ, ପ୍ରବୀଣ କୁମାର, କପିଳ ଦେବ, ସୌରଭ ଗାଙ୍ଗୁଲିଙ୍କ ଭଳି ପୂର୍ବତନ କ୍ରିକେଟର୍‌ ଏହି ମାମଲାରେ ବିସିସିଆଇକୁ ସମର୍ଥନ କରିବା ସହ ଉଭୟ କ୍ରିକେଟର୍‌ଙ୍କୁ ସମାଲୋଚନା କରିଛନ୍ତି। ଆଇପିଏଲ୍‌ରେ ଅଧିକ ଅର୍ଥ ମିଳୁଥିବାରୁ ରଣଜୀ ଟ୍ରଫିକୁ ଯୁବ କ୍ରିକେଟର୍‌ ଖାତିର୍‌ କରୁନାହାନ୍ତି। ଆଇପିଏଲ୍‌ ଓ ରଣଜୀ ଟ୍ରଫି ମଧ୍ୟରେ ସନ୍ତୁଳନ ରକ୍ଷା କିରବାକୁ ପୂର୍ବତନ କ୍ରିକେଟର୍‌ମାନେ ପରାମର୍ଶ ଦେଇଛନ୍ତି। ବିସିସିଆଇର ନିଷ୍ପତ୍ତିକୁ ଓଡ଼ିଶା କ୍ରିକେଟର୍‌ମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି। ଆଇପିଏଲ୍‌ରୁ ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ହେଉଛି ମୂଳଦୁଆ। ରଣଜୀ ଟ୍ରଫିକୁ ଛାଡ଼ିଦେଲେ ଜଣେ କ୍ରିକେଟର୍‌ର ସାମଗ୍ରିକ ବିକାଶ ହୋଇପାରିବନି ବୋଲି ମତପ୍ରକାଶ ପାଇଛି।

ଆଇପିଏଲ୍‌ ଦେଇଛି ଅଧିକ ଭାରତୀୟ ଖେଳାଳି
ଗତ ୫ ବର୍ଷର ତଥ୍ୟକୁ ଯଦି ବିଚାର କରାଯାଏ, ତାହେଲେ ରଣଜୀ ଟ୍ରଫି ପ୍ରଦର୍ଶନ ଅପେକ୍ଷା ଆଇପିଏଲ୍‌ରୁ ଅଧିକ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଆଇପିଏଲ୍‌ରେ ଅଧିକ ଅର୍ଥ ମିଳୁଛି। ସମସ୍ତଙ୍କ ଇଚ୍ଛା ଆଇପିଏଲ୍‌ରେ ଖେଳିବୁ। ଏହାକୁ ସାରା ବିଶ୍ବ ମଧ୍ୟ ଦେଖୁଛି ଓ ଫ୍ୟାନ୍‌ବେସ୍‌ ବଢୁଛି। କିନ୍ତୁ କେତେଜଣ ରଣଜୀ ଟ୍ରଫି ଦେଖିବାକୁ ଆସୁଛନ୍ତି? ରଣଜୀ କ୍ରିକେଟ୍‌ରେ କ’ଣ ହେଉଛି ତାହା କେହି ତର୍ଜମା କରୁନାହାନ୍ତି। ଯଦି ଜଣେ ଆଇପିଏଲ୍‌ରେ ନଖେଳିବ, ତାହା ହେ‌ଲେ କୋଟି କୋଟି ଟଙ୍କା ହାତଛଡ଼ା ହୋଇଯିବ। ତଥାପି ରଣଜୀ ଟ୍ରଫିକୁ ସଂପୂର୍ଣ୍ଣ ଭାବେ ଛାଡ଼ିଦେବା ଠିକ୍‌ ନୁହେଁ। ବିସିସିଆଇର ନିଷ୍ପତ୍ତିକୁ ମୁଁ ସମର୍ଥନ କରୁଛି। କାରଣ ଟେଷ୍ଟ୍‌ରୁ କ୍ରିକେଟ୍‌ର ହିରୋମାନେ ବାହାରିଥା’ନ୍ତି। କେବଳ ଈଶାନ୍‌ ଓ ଶ୍ରେୟସ କ’ଣ ଆଇପିଏଲ୍‌ ଖେଳୁଛନ୍ତି, ଅନ୍ୟ ପିଲାମାନେ ବି ରଣଜୀରେ ‌ଖେଳିବା ପରେ ଆଇପିଏଲ୍‌ ଯାଉଛନ୍ତି। ତେଣୁ ବିସିସିଆଇ ଘରୋଇ କ୍ରିକେଟ୍‌ର ସୁରକ୍ଷା ପାଇଁ ଉଚିତ ପଦକ୍ଷେପ ନେଇଛି।
- ବିପ୍ଳବ ସାମନ୍ତରାୟ, ପୂର୍ବତନ ଆଇପିଏଲ୍‌ ଖେଳାଳି

publive-image

ରଣଜୀ ଟ୍ରଫିକୁ ପ୍ରାଧାନ୍ୟ ଦେଲେ କ୍ରିକେଟ୍‌ ଉନ୍ନତି କରିବ
ଆଇପିଏଲ୍‌ରେ ପ୍ରଚୁର ଅର୍ଥ ଅଛି। ସେଠାରେ ଯିଏ ଭଲ ଖେଳୁଛନ୍ତି, ସେ ଭାରତୀୟ ଦଳକୁ ଯାଉଛନ୍ତି। ଯୁବ ଖେଳାଳିଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଆବଶ୍ୟକ। ସେମାନେ ଭାବୁଛନ୍ତି, ଘରୋଇ କ୍ରିକେଟ୍‌ରେ ୪ ଦିନ ଖଟିବା ଅପେକ୍ଷା ୩ଘଣ୍ଟାର ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଅଧିକ ରନ୍‌ କରି ଚୟନକର୍ତ୍ତାଙ୍କୁ ପ୍ର‌ଭାବିତ କରିପାରିବୁ। କିନ୍ତୁ ଆଇପିଏଲ୍‌ ସହ ଘରୋଇ କ୍ରିକେଟ୍‌କୁ ପ୍ରାଧାନ୍ୟ ଦେଲେ ଦେଲେ କ୍ରିକେଟ୍‌ ଉନ୍ନତି କରିବ। ରଣଜୀରେ ସର୍‌ଫରାଜ ଦୁଇ ବର୍ଷ ରନ୍‌ କଲା ପରେ ଭାରତ ପାଇଁ ଖେଳିବାକୁ ପାଇଲେ। କିନ୍ତୁ ଆଇପିଏଲ୍‌ରେ ଗୋଟିଏ ଋତୁ ଭଲ ଖେଳିଲେ ବି ଭାରତୀୟ ଦଳକୁ ଡକରା ମିଳିଯାଉଛି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଆମର ମୂଳଦୁଆ। ସୁନୀଲ ଗାଭାସ୍କର, କପିଳ ଦେବ, ସଚିନ ତେନ୍ଦୁଲକର ସବୁ ପ୍ରଥମ ଶ୍ରେଣୀରୁ ଯାଇଛନ୍ତି। ଆଇପିଏଲ୍‌ ମନୋରଂଜନର ମାଧ୍ୟମ। କିନ୍ତୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ଅସଲ ପିଲା ବାହାରିବେ।
-ନିରଂଜନ ବେହେରା, ପୂର୍ବତନ ରଣଜୀ ଅଧିନାୟକ

ଏଥିପାଇଁ ବିସିସିଆଇ ଦାୟୀ
ଯୁବ କ୍ରିକେଟର୍‌ମାନେ ଯଦି ଲାଲ୍‌ ବଲ୍‌ କ୍ରିକେଟ୍‌କୁ ଛାଡ଼ି ଧଳାବଲ୍‌ କ୍ରିକେଟ୍‌ (ବିଶେଷ କରି ଆଇପିଏଲ୍‌)କୁ ଅଗ୍ରାଧିକାର ଦେଉଛନ୍ତି, ସେଥିପାଇଁ ବିସିସିଆଇ ଦାୟୀ। ଯଦି ୫ ବର୍ଷର ଚୟନକୁ ଦେଖିବା ତାହେଲେ ଆଇପିଏଲ୍‌ରୁ ଅଧିକ ଖେଳାଳି ଆନ୍ତର୍ଜାତିକ ପଦାର୍ପଣ କରିଛନ୍ତି। ତେଣୁ ସମସ୍ତଙ୍କ ମନରେ ରହୁଛି ଯେ, ଆଇପିଏଲ୍‌ ଖେଳିବୁ। ଏଥିସହ ଘରୋଇ କ୍ରିକେଟ୍‌ଠୁ ବହୁଗୁଣ ଅର୍ଥ ଆଇପିଏଲ୍‌ରୁ ମିଳୁଛି। ତେଣୁ କିଛି କରିହେବନି। ସେହିପରି ୪ଦିନ ମ୍ୟାଚ୍‌ କିମ୍ବା ଟେଷ୍ଟ୍‌ ମ୍ୟାଚ୍‌ ସାଢ଼େ ୩ଦିନରେ ସରିଯାଉଛି। ତେଣୁ ମ୍ୟାଚ୍‌ ଦ୍ରୁତ ଭାବେ ଖେଳାଯାଉଛି। ଦୁଇ ଦିନରେ ୪୦ ଓଭର ପକାଇବା ଭଳି ଖେଳାଳିଙ୍କ ଫିଟ୍‌ନେସ୍‌ ରହୁନି। ଆଇପିଏଲ୍‌ ଖେଳିବେ, ଅଳ୍ପ ଓଭର ପକାଇବେ, ୱିକେଟ୍‌ ନେବେ, ପ୍ରଚୁର ଅର୍ଥ ପାଇବେ ବୋଲି ଭାବୁଛନ୍ତି। ଆଉ ଭାରତ ପାଇଁ ଖେଳିବା କିମ୍ବା ଟେଷ୍ଟ୍‌ ମ୍ୟାଚ୍‌ ଖେଳିବି ବୋଲି କେହି ଚାହୁନାହାନ୍ତି।
-ବସନ୍ତ ମହାନ୍ତି, ପୂର୍ବତନ ରଣଜୀ କ୍ରିକେଟର୍‌

ଘରୋଇ କ୍ରିକେଟ୍‌ ବାଧ୍ୟତାମୂଳକ ହେଉ
ସବୁପ୍ରକାରର କ୍ରିକେଟ୍‌କୁ ପ୍ରାଧାନ୍ୟ ଦେବା ଦରକାର। ସବୁ ଫର୍ମାଟ୍‌ ପାଇଁ ସବୁବେଳେ ନିଜକୁ ପ୍ରସ୍ତୁତ କରିବାକୁ ହେବ। ଆଇପିଏଲ୍‌ ରେ ଅର୍ଥ ଅଛି, ନାଁ ଅଛି, କିଛି ‌ଖେଳାଳି ସିଧାସଳଖ ଭାରତୀୟ ଦଳକୁ ଚୟନ ହେଉଛନ୍ତି। ସେଥିପାଇଁ ତାହାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ପୂର୍ବରୁ ବିସିସିଆଇ କିଛି କଡ଼ା ନିୟମ କରିନଥିଲା। ରଣଜୀ ଟ୍ରଫି କିମ୍ବା ଘରୋଇ କ୍ରିକେଟ୍‌ ଖେଳିବା ବାଧ୍ୟତାମୂଳକ ଉପରେ ଏବେ ବିସିସିଆଇ ନିୟମାବଳୀ ଆଣିଛି। ଏହି ନିୟମ ଠିକ୍‌। ଗୋଟିଏ ଭଲ ପଦକ୍ଷେପ। ରୋହିତ ଶର୍ମାଙ୍କ ଅନୁସାରେ, ଯାହା ଭିତରେ ଖେଳିବା ଭୋକ ଥିବ ସେ ସବୁ ପ୍ରକାର କ୍ରିକେଟ୍‌ ଖେଳିପାରିବ।
-ଶୁଭ୍ରାଂଶୁ ସେନାପତି, ରଣଜୀ କ୍ରିକେଟର୍‌